୨୦୦ ସାମଗ୍ରୀର ଦାମ୍‌ କମିବ!

ଜିଏସ୍‌ଟି ପରିଷଦ ବୈଠକ ଆରମ୍ଭ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ଦୁଇଦିନିଆ ବୈଠକ ଆଜିଠାରୁ ଗୌହାଟିରେ ଆରମ୍ଭ ହୋଇଛି। ବୈଠକରେ ପ୍ରାୟ ୧୫୦ରୁ ୨୦୦ ସାମଗ୍ରୀ ଉପରେ ଧାର୍ଯ୍ୟ ଜିଏସ୍‌ଟି ହ୍ରାସ କରିବାକୁ ପରିଷଦ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ମୁଖ୍ୟତଃ ଯେଉଁ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଛି ସେହି ସାମଗ୍ରୀ ଉପରୁ ଟିକସ ହ୍ରାସ ହୋଇପାରେ। ଏଥିସହିତ ରିଟର୍ଣ୍ଣ ବ୍ୟବସ୍ଥାକୁ ସରଳ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇପାରେ।

ମିଳିଥିବା ସୂଚନା ଅନୁଯାୟୀ ୨୮ ପ୍ରତିଶତ ଜିଏସ୍‌ଟି ବର୍ଗରେ ଥିବା ସାମଗ୍ରୀ ମଧ୍ୟରୁ ୧୬୫ଟି ସାମଗ୍ରୀର ଟିକସ ୧୮ ପ୍ରତିଶତକୁ ହ୍ରାସ କରାଯାଇପାରେ। କେବଳ ୬୨ଟି ସାମଗ୍ରୀକୁ ୨୮ ପ୍ରତିଶତ ବର୍ଗରେ ରଖାଯିବ ବୋଲି କୁହାଯାଉଛି। ସେହିଭଳି ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ ହେଉଥିବା ସାମଗ୍ରୀ ମଧ୍ୟରୁ କେତେକ ସାମଗ୍ରୀକୁ ୧୨ ପ୍ରତିଶତ ଜିଏସ୍‌ଟି ବର୍ଗରେ ସାମିଲ କରାଯିବ। ଏଥିସହିତ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଜିଏସ୍‌ଟି ପରିସରରେ ସାମିଲ କରିବା ଲାଗି ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ନିମନ୍ତେ କି ପ୍ରକାର ନୂଆ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ପରିଷଦ ଆଲୋଚନା କରିବାର ସମ୍ଭାବନା ରହିଛି।

ଜିଏସ୍‌ଟି ବ୍ୟବସ୍ଥାରେ ରିଟର୍ଣ୍ଣ ଫାଇଲ୍‌କୁ ସରଳ କରିବା ଲାଗି ଜିଏସ୍‌ଟି ପରିଷଦକୁ ମନ୍ତ୍ରୀଗୋଷ୍ଠୀ ସୁପାରିସ କରିପାରେ। ଜିଏସ୍‌ଟିଆର ୧, ଜିଏସ୍‌ଟିଆର୍‌ ୨ ଏବଂ ଜିଏସ୍‌ଟିଆର ୩ ଦାଖଲ ବ୍ୟବସ୍ଥାକୁ ଉଚ୍ଛେଦ କରି କେବଳ ଜିଏସ୍‌ଟିଆର୍‌ ୩ ବି ରଖିବା ଲାଗି ପଦକ୍ଷେପ ନିଆଯିବ। ରିଟର୍ଣ୍ଣ ଫାଇଲ୍‌ ଜନିତ ବୋଝକୁ ହାଲ୍‌କା କରିବା ପାଇଁ ସରକାର ଗତ ଅକ୍ଟୋବରରେ ଏକ ପଦକ୍ଷେପ ନେଇ ସାରିଛନ୍ତି। ଏଥିରେ ବାର୍ଷିକ ୧.୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା ବ୍ୟବସାୟୀମାନଙ୍କୁ ତ୍ରୟମାସିକ ରିଟର୍ଣ୍ଣ ଫାଇଲ୍‌ ପ୍ରଦାନକୁ ମଞ୍ଜୁରି ଦେଇସାରିଛନ୍ତି। ଏହାସତ୍ତ୍ୱେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ଲାଗି ଅନେକ ଅସୁବିଧା ରହିଥିବା ସମ୍ପର୍କରେ ବ୍ୟବସାୟୀମାନେ ଅଭିଯୋଗ କରି ଆସୁଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇରେ ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରଠାରୁ ପରିଷଦ ପ୍ରାୟ ୧୦୦ରୁ ଅଧିକ ସାମଗ୍ରୀର ଜିଏସ୍‌ଟି ହାରକୁ ପରିବର୍ତନ କରିସାରିଛନ୍ତି।

ସମ୍ବନ୍ଧିତ ଖବର