ନୂଆଦିଲ୍ଲୀ : ଆଜିସୁଦ୍ଧା ରାଜ୍ୟଗୁଡ଼ିକୁ ଦେବାକୁ ଥିବା ୧୬,୯୮୨ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ରାଶିକୁ କେନ୍ଦ୍ର ସରକାର ପ୍ରଦାନ କରିବେ। ଜିଏସଟି ପରିଷଦର ୪୯ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ଯଦିଓ ଏ ବାବଦ ରାଶି ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ ତଥାପି କେନ୍ଦ୍ର ସରକାର ନିଜ ପାଣ୍ଠିରୁ ଏହାକୁ ପ୍ରଦାନ କରିବେ ବୋଲି ସେ କହିଛନ୍ତି। ଭବିଷ୍ୟତରେ କ୍ଷତିପୂରଣ ସେସ୍ ବାବଦରେ ଯେଉଁ ଅର୍ଥ ଆଦାୟ ହେବ ସେଥିରୁ ଏହା ଭରଣା କରାଯିବ। ଆଜି ପ୍ରଦାନ କରାଯିବାକୁ ଥିବା ରାଶି ଦ୍ବାରା ରାଜ୍ୟଗୁଡ଼ିକ ଏ ବାବଦରେ ୫ ବର୍ଷର କ୍ଷତିପୂରଣ ମିଳିଯିବ।
ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଜୁଲାଇ ପହିଲାରୁ ଦେଶରେ ଜିଏସଟି ଲାଗୁ ହୋଇଥିଲା। ସେହି ସମୟରେ ନୂଆ ଟିକସ ବ୍ୟବସ୍ଥା ଯୋଗୁ ରାଜ୍ୟଗୁଡ଼ିକ ଯେଉଁ ଟିକସ ହାନି ସହିବେ ସେ ବାବଦ ରାଶିକୁ କେନ୍ଦ୍ର ସରକାର ଭରଣା କରିବେ ବୋଲି ବ୍ୟବସ୍ଥା ହୋଇଥିଲା। ୫ ବର୍ଷ ପାଇଁ ଏହା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିସହିତ ଆଜିର ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଟ୍ୟାଗ୍, ଟ୍ରାକିଂ ଡିଭାଇସ ବା ଡାଟା ଲଗର ଉପରେ ଜିଏସ୍ଟିକୁ ସଂପୂର୍ଣ୍ଣ ଛାଡ଼ କରାଯାଇଛି। ପୂର୍ବରୁ ଏହା ଉପରେ ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଥିଲା। ସେହିଭଳି କୋଇଲା ୱାସେରିକୁ ଯୋଗାଇ ଦିଆଯାଉଥିବା ୱାସେରିରୁ ବାହାରୁଥିବା କୋଇଲା ବର୍ଜ୍ୟ ଉପରେ କୌଣସି ଜିଏସଟି ଆଦାୟ କରାଯିବ ନାହିଁ। ପେନସିଲ ସାର୍ପେନର ଉପରେ ଆଦାୟ କରାଯାଉଥିବା ୧୮ ପ୍ରତିଶତ ଜିଏସ୍ଟିକୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି। ଖୋଲାରେ ବିକ୍ରି ହେଉଥିବା ପାଣିଆ ଗୁଡ଼ ଉପରେ କୌଣସି ଜିଏସ୍ଟି ଆଦାୟ ହେବନାହିଁ। ପୂର୍ବରୁ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେଉଥିଲା। ତେବେ ଲେବେଲ ଲାଗି ପ୍ୟାକେଜରେ ବିକ୍ରି ହେଉଥିବା ଏ ପ୍ରକାର ଗୁଡ଼ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେବ। ପୂର୍ବରୁ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେଉଥିଲା।
କୋର୍ଟ ଏବଂ ଟ୍ରିବ୍ୟୁନାଲ ଦ୍ବାରା ଯୋଗାଇ ଦିଆଯାଉଥିବା ସେବା ଉପରେ ରିଭର୍ସ ଚାର୍ଜ ବ୍ୟବସ୍ଥାରେ ଟିକସ ଆଦାୟ କରାଯିବ। ବାର୍ଷିକ ରିଟର୍ଣ୍ଣ ଦାଖଲ ବିଳମ୍ବ ହେଲେ ଏବାବଦରେ ଯେଉଁ ଫି ଆଦାୟ ହେଉଥିଲା ସେଥିରେ ସଂଶୋଧନ ଅଣାଯାଇଛି।
ପାନ ମସଲା ଏବଂ ଗୁଟ୍ଖା ଉପରେ କ୍ଷମତାଭିତ୍ତିକ ଟିକସ ପାଇଁ ମନ୍ତ୍ରିଗୋଷ୍ଠୀ ଯେଉଁ ସୁପାରିସ କରିଥିଲା ତାହାକୁ ଆଜି ଜିଏସଟି ପରିଷଦ ଗ୍ରହଣ କରିଛି। ଏଥିସହିତ ଜିଏସଟି ଆପିଲେଟ ଟ୍ରିବ୍ୟୁନାଲ ଗଠନ ପାଇଁ ମନ୍ତ୍ରିଗୋଷ୍ଠୀ କରିଥିବା ସୁପାରିସକୁ ସାମାନ୍ୟ ସଂଶୋଧନ ସହିତ ଗ୍ରହଣ କରାଯାଇଛି। ଏହାର ଚିଠାକୁ ଆସନ୍ତା ୫ରୁ ୬ ଦିନ ଭିତରେ ଜାରି କରାଯିବ। ସିମେଣ୍ଟ ଉପରେ ଜିଏସ୍ଟି ହ୍ରାସ ଉପରେ ପରିଷଦରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।