ଜିଏସ୍‌ଟି ବିଶ୍ୱର ବୃହତ୍ତମ ଟିକସ ସଂସ୍କାର: ପ୍ରଧାନମନ୍ତ୍ରୀ ମୋଦି

ଜିଏସ୍‌ଟି ବିଶ୍ୱର ବୃହତ୍ତମ ଟିକସ ସଂସ୍କାର। ଏହା ସମବାୟ ସଂଘୀୟବ୍ୟବସ୍ଥାର ବଡ଼ ଉଦାହରଣ ବୋଲି ୪୫ତମ ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ନିକଟ ଅତୀତର ଟେଷ୍ଟ୍‍ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଖେଳୁଆଡ଼ ଉଚ୍ଛ୍ୱାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ରଶିଦ ଖାଁ ଜଣେ ଉତ୍ତମ କ୍ରିକେଟ୍‌ ଖେଳାଳି। ଏ ମ୍ୟାଚ୍‌ ଆମ ପାଇଁ ସ୍ମରଣୀୟ ହୋଇ ରହିବ। ଟ୍ରଫି ଗ୍ରହଣ ପାଇଁ ପୋଜ୍‌ ଦେବାବେଳେ ଭାରତୀୟ ଟିମ୍‌ ଆଫ୍‌ଗାନ୍‌ ଟିମ୍‌କୁ ଆମନ୍ତ୍ରଣ କରିଛନ୍ତି। ଏହା ଶୁଭ ଲକ୍ଷଣ। କ୍ରୀଡ଼ା ଆମ ସମସ୍ତଙ୍କୁ ବାନ୍ଧି ରଖେ।

ଆନ୍ତର୍ଜାତିକ ଯୋଗ ଦିବସ ଦିନ ଭାରତୀୟ ଏବଂ ବିଶ୍ୱବ୍ୟାପୀ ଲୋକେ ଯୋଗାସନ ସାଧନା କରିବା ଦେଖି ଖୁସି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ବର୍ଷ ଯୋଗ ଦିବସ ପାଳନରେ ବଡ଼ ଉତ୍ସାହ ଦେଖା ଦେଇଥିଲା। ଯୋଗ ଏ ସୁସ୍ଥତା ବିପ୍ଳବକୁ ପ୍ରୋତ୍ସାହିତ କରୁଛି।

ଜୁଲାଇ ପହିଲା ‘ଡାକ୍ତରଙ୍କ ଦିବସ’। ଆବଶ୍ୟକ ବେଳେ ହିଁ ଆମେ ଡାକ୍ତରଙ୍କୁ ସ୍ମରଣ କରିଥାଉ। ମାଆ ଆମକୁ ଜନ୍ମ ଦିଅନ୍ତି, ଡାକ୍ତର ପୁନର୍ଜନ୍ମ ଦିଅନ୍ତି। ସେମାନେ ଖାଲି ଆରୋଗ୍ୟ କରନ୍ତି ନାହିଁ, ସୁସ୍ଥ କରାନ୍ତି। କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଡାକ୍ତର ସମଗ୍ର ବିଶ୍ୱ ବିଦିତ।

ସନ୍ଥ କବୀର ଦାସଙ୍କ ଜୀବନ ଓ ବାର୍ତ୍ତା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଲେ: ମୁଁ ସନ୍ଥ କବୀରଙ୍କର ଉପରେ ଆୟୋଜିତ ଏକ ଜାତୀୟ ଅନୁଷ୍ଠାନରେ ଅଂଶ ଗ୍ରହଣ କରିଛି। ଯିଏ ମଘରରେ ମରୁଥିଲା ସେ ସ୍ୱର୍ଗକୁ ଯାଉ ନ ଥିଲା ବୋଲି ଏକ ପ୍ରଚଳିତ ଅନ୍ଧବିଶ୍ୱାସକୁ ସନ୍ଥ କବୀର ମୂଳପୋଛ କରିଥିଲେ। ସେ ତାଙ୍କ ସମୟ ଠାରୁ ଢେର୍‌ ଆଗକୁ ଚିନ୍ତା କରୁଥିଲେ। ସେ ଶାନ୍ତି ଓ ସହାବସ୍ଥାନର ବାର୍ତ୍ତା ଦେଇଥିଲେ। ସେ ସମାଜ ପାଇଁ କାମ କରିଥିଲେ।

ଗରୁନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ଭଳି ଐତିହାସିକ ଅବସର ପାଳନ ପାଇଁ ଉପାୟ କରିବାକୁ ମୋଦି କହିଛନ୍ତି। ଜାତିବାଦ ଉଚ୍ଛେଦ ପାଇଁ କାମ କରିଥିବା ଗୁରୁ ନାନକ। ଦରିଦ୍ର ସେବା ଈଶ୍ୱରଙ୍କ ସେବା ବୋଲି ସେ କହିଥିଲେ। ସେ ଲଙ୍ଗର୍‌ ଆରମ୍ଭ କରିଥିଲେ।

ଶିକ୍ଷା ଏବଂ ଭାରତରେ ଶିଳ୍ପ କ୍ଷେତ୍ରରେ ଡକ୍ଟର୍‌ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭୂମିକା କଥା ପ୍ରଧାନମନ୍ତ୍ରୀ ମୋଦି ସ୍ମରଣ କରିଥିଲେ।

୨୦୧୯ରେ ଭୟାବହ ଜାଲିଓ୍ଵାନାଓ୍ଵାଲା ବାଗ ବିୟୋଗାନ୍ତ ଘଟନାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି। ସର୍ବଦା ଶାନ୍ତି, ଅହିଂସା ଏବଂ ତ୍ୟାଗର ବିଜୟ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗତ ଅଳ୍ପ କେତେ ଦିନ ହେବ ମୁଁ ଭାରତ ସରକାରଙ୍କ କେତେକ ଯୋଜନାର ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲି। ସେମାନଙ୍କ ଠାରୁ ମୁଁ ଅନୁଭୂତି ଓ ଜୀବନଯାତ୍ରା ସଂକ୍ରାନ୍ତରେ ବହୁକଥା ଜାଣିଲି।

ଏକ ଦେଶ ଏକ ଟିକସ ଥିଲା ଦେଶର ସ୍ୱପ୍ନ, ଜିଏସ୍‌ଟି ଦ୍ୱାରା ଏବେ ତାହା ବାସ୍ତବ ହୋଇଛି। ଜିଏସ୍‌ଟି ପୂର୍ବରୁ ୧୭ଟି ଟିକସ ଥିଲା। ମାଲପତ୍ରର ଚଳାଚଳ ବେଗ ବଢ଼ାଇ ଜିଏସ୍‌ଟି ଚେକ୍‌ପୋଷ୍ଟ୍‍ ଉଠାଇ ଦେଇଛି। ଏ ପର୍ଯ୍ୟନ୍ତ ୨୭ ଥର ଜିଏସ୍‌ଟି ମିଟିଙ୍ଗ୍‌ ବସିଲାଣି।

ସମ୍ବନ୍ଧିତ ଖବର