ସାଧାରଣ ଖାଉଟି ସାମଗ୍ରୀ ଉପରୁ ଟିକସ ହ୍ରାସ ନେଇ ବିଚାର କରିପାରନ୍ତି ଜିଏସ୍‌ଟି କାଉନ୍‌ସିଲ

ନୂଆଦିଲ୍ଲୀ: ନଭେମ୍ବର ୧୦ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ନେଇ ଗୌହାଟିରେ ବସିବ କ୍ଷମତାସଂପନ୍ନ ଜିଏସଟି କାଉନସିଲ ବୈଠକ। ଏହି ବୈଠକରେ ଏଥର ଅନେକ ସାଧାରଣ ସାମଗ୍ରୀ ଉପରେ ଟିକସ କମିପାରେ ବୋଲି ଆଶା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଦିଲ୍ଲୀରେ ଶନିବାର ସୂଚନା ଦେବା ପରେ କାଠତିଆରି ଆସବାବପତ୍ର, ଗାଧୋଇବା ପାଇଁ ବ୍ୟବହୃତ ହେଉଥିବା ଅନେକ ପ୍ଲାଷ୍ଟିକ ଉପକରଣରେ ଜିଏସଟି ଟିକସ ହାର ହ୍ରାସ ପାଇପାରେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜିଏସଟି ଲାଗୁ ହେବା ପୂର୍ବରୁ ଅନେକ ପ୍ଲାଷ୍ଟିକ ସାମଗ୍ରୀ ଉପରେ ନିଆଯାଉଥିବା ବିଭିନ୍ନ ଟିକସ ତୁଳନାରେ ବର୍ତ୍ତମାନ ଅଧିକ ଟିକସ ନିଆଯାଉଥିବା ପ୍ଲାଷ୍ଟିକ ର୍ନିମାତା ସଂଘ ଅଭିଯୋଗ କରିଛନ୍ତି। ଉଦାହରଣ ସ୍ୱରୁପ, ସାୱାର ବାଥ, ସିଙ୍କ, ୱାସ ବେସିନ ଓ ପ୍ଲାଷ୍ଟିକ ତିଆରି ଅନେକ ସାନିଟାରୀ ଉପକରଣରେ ସର୍ବାଧିକ ୨୮ ପ୍ରତିଶତ ଜିଏସଟି ଟିକସ ଜାରି ହୋଇଛି। ପ୍ଳାଷ୍ଟିକ ଶିଳ୍ପ ସହ କାଠ ଶିଳ୍ପରେ ଅନେକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ଜଡିତ ଥିବାରୁ ଟିକସ ହାରକୁ ୧୮ ପ୍ରତିଶତ ଭିତରେ ସୀମିତ ରଖିବାକୁ ଦାବି ହେଉଛି । ଏହା ଖାଉଟିମାନଙ୍କ ପାଇଁ ବି ଲାଭଦାୟକ ହେବ ବୋଲି କୁହାଯାଉଛି ।

ଚଳିତ ବର୍ଷ ଜୁଲାଇ ମାସ ଆରମ୍ଭରୁ ସାରା ଦେଶରେ ପ୍ରାୟ ୧୭ଟି ପରୋକ୍ଷ ଟିକସ ହଟାଇ ନିଆଯାଇ ତା’ ସ୍ଥାନରେ ଜିଏସଟି ବା ଦ୍ରବ୍ୟ ଓ ସେବା କର ଟିକସ ଲାଗୁ କରାଯାଇଛି । ଜିଏସଟି ଲାଗୁ ହେବା ପରେ ବିଭିନ୍ନ ବୈଠକରେ ଜିଏସଟି କାଉନସିଲ ପ୍ରାୟ ୧୦୦ରୁ ଅଧିକ ଦ୍ରବ୍ୟ ଓ ସେବା ଉପରେ ଟିକସ ହାର ବଦଳାଇ ସାରିଲାଣି ।

ସମ୍ବନ୍ଧିତ ଖବର