ଜିଏସଟି କାଉନସିଲର ନିଷ୍ପତ୍ତି : ଶସ୍ତା ହେବ ୨୯ଟି ସାମଗ୍ରୀ, ୫୩ଟି ସେବା

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୨୫ତମ ବୈଠକ ଶେଷହୋଇଛି । ପ୍ରାୟ ୨୯ଟି ଦ୍ରବ୍ୟ ଓ ୫୩ଟି ସେବା ଉପରେ ଲାଗୁ ଜିଏସଟି ହାରକୁ ହ୍ରାସ କରାଯାଇଛି । ଏହା ସହିତ ପ୍ରାୟ ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ଜିଏସଟି ମୁକ୍ତ ତାଲିକାରେ ସାମିଲ କରାଯାଇଛି । ଏ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି ।

ବୈଠକ ପରେ ଜେଟଲୀ କହିଛନ୍ତି ଯେ ୨୯ଟି ଦ୍ରବ୍ୟ ଓ ୫୩ଟି ସେବା ଉପରୁ ଜିଏସଟି ହାର ହ୍ରାସ କରିବାଲାଗି ଫିଟମେଣ୍ଟ କମିଟି ସୁପାରିଶ କରିଥିଲା । ଜିଏସଟି କାଉନସିଲ ଫିଟମେଣ୍ଟ କମିଟିର ଏହି ସୁପାରିସକୁ ମାନିନେଇଛି । ଆସନ୍ତା ୨୫ ତାରିଖରୁ ଏହି ନୂଆ ଦର ଲାଗୁ ହେବ । ଆସନ୍ତା ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ବଜେଟ ଆଗତ କରିବାକୁ ଯାଉଥିବାରୁ ଏହି ବୈଠକର ବେଶ ଗୁରୁତ୍ୱ ରହିଛି ।

କମିଲା : ହସ୍ତଶିଳ୍ପ ସାମଗ୍ରୀ, ୟୁଜଡ୍‌ କାର୍‌ (ସେକେଣ୍ଡହାଣ୍ଡ କାର), ପେଟ୍ରୋଲିୟମ ଓ ଗ୍ୟାସର ମାଇନିଂ ଓ ଡ୍ରିଲିଂ ସେବା, ଆମ୍ବୁଲାନ୍ସ ଗାଡ଼ି, ପେଟ୍ରୋଲିୟମ ଉତ୍ପାଦର ପରିବହନ ସେବା, ମେଟ୍ରୋ ଏବଂ ମନୋରେଲ ପ୍ରୋଜେକ୍ଟ ସର୍ଭିସ, ହୀରା, ଭେଲଭେଟ୍‌ କପଡ଼ା, ମେହେନ୍ଦି ପେଷ୍ଟ, ପାଣି ବୋତଲ, ଫସଫୋରିକ ଏସିଡ, ବାୟୋଡିଜେଲ, ମେକାନିକାଲ ସ୍ପ୍ରେୟାର, ବାୟୋ ଡିଜେଲରେ ଚାଲୁଥିବା ବସ, ଜୈବ-କୀଟନାଶକ, ଘରୋଇ ବିତରକଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏଲପିଜି ।

ବଢିଲା : ରାଇସ୍‌ ବ୍ରାନ ଅଏଲ, ସିଗାରେଟ୍‌

ତେବେ ଏହି ବୈଠକରେ ଜିଏସଟି ଫାଇଲିଂକୁ ଆହୁରି ସରଳ କରିବା ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ପୁଣି ପେଟ୍ରୋଲ ଓ ଡିଜେଲକୁ ଜିଏସଟିର ଅନ୍ତର୍ଭୁକ୍ତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଜିଏସଟି କାଉନସିଲର ଆଗାମୀ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଇ-େଓ୍ଵ ବିଲ୍‌ ବ୍ୟବସ୍ଥାର ପରୀକ୍ଷଣ ଜାନୁୟାରୀ ୨୫ ପର୍ଯ୍ୟନ୍ତ ଅବ୍ୟାହତ ରହିବ ଓ ଫେବ୍ରୁଆରୀ ୧ରୁ ଏହାକୁ ବାଧ୍ୟତାମୂଳକ କରାଯିବ । ପୁଣି ରାଜ୍ୟ ଭିତରେ ଇ-େଓ୍ଵ ବିଲ୍‌ ବ୍ୟବସ୍ଥା ଲାଗି ୧୫ଟି ରାଜ୍ୟ ରାଜି ହୋଇଛନ୍ତି ।

ସମ୍ବନ୍ଧିତ ଖବର