ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି। ଜୀବନ ବୀମା ଏବଂ ମେଡିକାଲ ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସ୍ଟି ହଟାଇବାକୁ ସେ ନିର୍ମଳା ସୀତାରମଣଙ୍କୁ କହିଛନ୍ତି।
ସୀତାରମଣଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଗଡକରୀ କହିଛନ୍ତି ଯେ ନାଗପୁର ଡିଭିଜନ ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ୍ କର୍ମଚାରୀ ସଂଘ ଏହି ପ୍ରସଙ୍ଗରେ ତାଙ୍କ ପାଖରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜୀବନ ଏବଂ ମେଡିକାଲ ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ କରିବା ଜୀବନର ଅନିଶ୍ଚିତତା ଉପରେ ଟିକସ ଲାଗୁ କରିବା ପରି।
ଗଡକରୀ ତାଙ୍କ ଚିଠିରେ କହିଛନ୍ତି ଲୋକଙ୍କୁ କଭର୍ କିଣିବାରେ ସକ୍ଷମ କରିବାକୁ ବୀମା ପ୍ରିମିୟମ ଉପରେ ଟିକସ ଲାଗୁ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ସେହିଭଳି ମେଡିକାଲ ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସ୍ଟି ବ୍ୟବସାୟର ଏହି କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଛି ଯାହା ସାମାଜିକ ଦୃଷ୍ଟିରୁ ଆବଶ୍ୟକ ଅଟେ। ଗଡକରୀ କହିଛନ୍ତି ଜୀବନ ବୀମା ମାଧ୍ୟମରେ ସଞ୍ଚୟ ପାଇଁ ଚିକିତ୍ସା, ମେଡିକାଲ ଇନସ୍ୟୁରାନ୍ସ ପ୍ରିମିୟମ ପାଇଁ ଆଇଟି ରିହାତିର ପୁନଃ ପ୍ରବର୍ତ୍ତନ ତଥା ସରକାରୀ କ୍ଷେତ୍ରର ସାଧାରଣ ବୀମା କମ୍ପାନୀଗୁଡିକର ଏକୀକରଣ ଦାବି ମଧ୍ୟ ସଂଘ ଉଠାଇଛି।
ସେ ଏହା ମଧ୍ୟ କହିଛନ୍ତି ବରିଷ୍ଠ ନାଗରିକଙ୍କ ପାଇଁ ଜୀବନ ଏବଂ ମେଡିକାଲ ବୀମା ପ୍ରିମିୟମ ଉପରେ ଜିଏସ୍ଟି ଦେବା ଏକ ଆହ୍ବାନ। ଗଡକରୀ ତାଙ୍କ ଚିଠିରେ ଜୀବନ ଏବଂ ମେଡିକାଲ ଇନସ୍ୟୁରାନ୍ସ ପ୍ରିମିୟମ ଉପରେ ଜିଏସ୍ଟି ପ୍ରତ୍ୟାହାର ପ୍ରସ୍ତାବକୁ ପ୍ରାଥମିକତା ଭିତ୍ତିରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ଏହା ବରିଷ୍ଠ ନାଗରିକଙ୍କ ପାଇଁ ବୋଝ ହୋଇପଡିଛି। ଏହାର ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟ ସଠିକ୍ ଭାାବେ ଯାଞ୍ଚ ହେବା ଉଚିତ୍ ବୋଲି ଗଡକରୀ କହିଛନ୍ତି।