ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲାଲକିଲ୍ଲାରେ ୭୯ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଇ ଦୀପାବଳି ବେଳକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ବଡ଼ ସଂସ୍କାର ଆସିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ସାଧାରଣ ଲୋକଙ୍କୁ ପର୍ଯ୍ୟାପ୍ତ ଟିକସ ରିହାତି ମିଳିବ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ମଧ୍ୟ ଉପକୃତ ହେବେ। ଜିଏସ୍ଟି ବ୍ୟବସ୍ଥାକୁ ୮ ବର୍ଷ ପୂରଣ ହୋଇଥିବାରୁ ଏଥିରେ ସଂସ୍କାର ଅଣାଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
୫ ଓ ୧୮% ସ୍ଲାବ୍ ରହିବ, ୪୦%ର ନୂଆ ସ୍ଲାବ୍ ଆସିବ
ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜିଏସ୍ଟିକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି। ଜିଏସ୍ଟିରେ ସଂସ୍କାର ଫଳରେ ବିଭିନ୍ନ ସାମଗ୍ରୀର ଦରଦାମ କମିବା ନେଇ ଆଶା କରାଯାଉଛି। ଏକ ସୂତ୍ରରୁ ମିଳିଥିବା
ସୂଚନା ଅନୁଯାୟୀ, ଜିଏସ୍ଟି ଢାଞ୍ଚାକୁ ସରଳ କରାଯିବ। ବର୍ତ୍ତମାନ ୫,୧୨, ୧୮ ଏବଂ ୨୮ ପ୍ରତିଶତ ଭଳି ୪ଟି ସ୍ଲାବ୍ ରହିଛି। କିନ୍ତୁ ନୂଆ ବ୍ୟବସ୍ଥାରେ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଭଳି ଦୁଇଟି ମୁଖ୍ୟ ଜିଏସ୍ଟି ସ୍ଲାବ୍ ରହିବ। ଏଥିସହିତ ୪୦ ପ୍ରତିଶତର ଏକ ସ୍ବତନ୍ତ୍ର ସ୍ଲାବ୍ ରହିବ, ଯେଉଁଥିରେ ସ୍ବାସ୍ଥ୍ୟ ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ରହିବ।
ଜିଏସ୍ଟିରେ ସଂସ୍କାର ବା ପୁନର୍ଗଠନ ପରେ ୧୨ ପ୍ରତିଶତ ଟିକସ ବର୍ଗରେ ଥିବା ପ୍ରାୟ ୯୯ ପ୍ରତିଶତ ସାମଗ୍ରୀ ୫ ପ୍ରତିଶତ ବର୍ଗକୁ ପଳାଇବ। ସେହିପରି ୨୮ ପ୍ରତିଶତ ଟିକସ ବର୍ଗରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀ ୧୮ ପ୍ରତିଶତ ବର୍ଗରେ ରହିବ। ସାଧାରଣ ଲୋକମାନେ ବ୍ୟବହାର କରୁଥିବା ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀକୁ ୫ ପ୍ରତିଶତ ଟିକସ ବର୍ଗରେ ରଖାଯିବାର ସମ୍ଭାବନା ରହିଛି। ୪୦ ପ୍ରତିଶତର ଉଚ୍ଚ ଜିଏସ୍ଟି ସ୍ଲାବ୍ରେ ତମାଖୁ ସମେତ ମୋଟ ୭ଟି ସାମଗ୍ରୀ ରହିବ।
ଦେଶରେ ୨୦୧୭ ଜୁଲାଇ ପହିଲାରେ ଜିଏସ୍ଟି ଲାଗୁ କରାଯାଇଥିଲା। ଜିଏସ୍ଟି ରାଜସ୍ବରେ ୧୮ ପ୍ରତିଶତର ଯୋଗଦାନ ସର୍ବାଧିକ ରହିଛି। ଏହି ସ୍ଲାବ୍ରୁ ପ୍ରାୟ ୬୫ ପ୍ରତିଶତ ରାଜସ୍ବ ଆସୁଛି। ହୀରା ଏବଂ ମୂଲ୍ୟବାନ ପ୍ରସ୍ତର ଭଳି ଶ୍ରମଭିତ୍ତିକ ଓ ରପ୍ତାନି ଉଦ୍ଦେଶ୍ୟରେ ପ୍ରସ୍ତୁତ ସାମଗ୍ରୀ ଉପରେ ବର୍ତ୍ତମାନର ଜିଏସ୍ଟି ହାର ଜାରି ରହିବ। ଜିଏସ୍ଟିରେ ହେବାକୁ ଥିବା ପରିବର୍ତ୍ତନ ଫଳରେ ଲୋକଙ୍କ ବ୍ୟୟକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖାଯାଇଛି। ଜିଏସ୍ଟି ହାରରେ ପରିବର୍ତ୍ତନ ଯୋଗୁ ଯେଉଁ ରାଜସ୍ବ ହାନି ହେବ ତାହା ଲୋକଙ୍କ ବ୍ୟୟବୃଦ୍ଧି ଦ୍ବାରା ଭରଣା ହେବ।