ନୂଆଦିଲ୍ଲୀ : ସ୍ବାଧୀନ ଭାରତର ପରୋକ୍ଷ ଟିକସ କ୍ଷେତ୍ରର ସବୁଠୁ ବଡ଼ ସଂସ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଜି ପାଞ୍ଚ ବର୍ଷର ଯାତ୍ରା ପୂରଣ କରିବ। ସେବା କର, ବିକ୍ରି କର ଭଳି ୧୭ ପ୍ରକାର ସ୍ଥାନୀୟ ଟିକସ ଓ ୧୩ ପ୍ରକାର ସେସ୍କୁ ଉଚ୍ଛେଦ କରି ସେହି ସ୍ଥାନରେ ଜିଏସ୍ଟି ଲାଗୁ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, ଟିକସଦାତାଙ୍କୁ ବହୁ ସଂଖ୍ୟକ ଟିକସରୁ ମୁକ୍ତି ଦେଇ ଏକ ସରଳ ବ୍ୟବସ୍ଥା ପ୍ରଦାନ କରିବା। ଉପା ସରକାରଙ୍କ ଅମଳରେ ପରିକଳ୍ପନା କରାଯାଇଥିବା ଏହି ସଂସ୍କାରକୁ ୨୦୧୭ ଜୁନ୍ ୩୦-ଜୁଲାଇ ୧ ମଧ୍ୟରାତ୍ରିରେ ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଶୁଭାରମ୍ଭ କରିଥିଲେ। ୧୯୪୭ର ସ୍ବାଧୀନତା ପରେ ଜିଏସ୍ଟି ଥିଲା ଦେଶର ସର୍ବବୃହତ ଟିକସ ସଂସ୍କାର। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଯେଭଳି ୧୯୪୭ର ଅଗଷ୍ଟ ୧୪ ଓ ୧୫ ତାରିଖ ମଧ୍ୟରାତ୍ରିରେ ଅଭିଭାଷଣ ଦେଇଥିଲେ, ଜିଏସ୍ଟି ଶୁଭାରମ୍ଭ ବେଳେ ମଧ୍ୟ ସେହି ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଜିଏସ୍ଟି ହେଉଛି ସଂଘୀୟ ବ୍ୟବସ୍ଥାର ଏକ ଜ୍ବଳନ୍ତ ଉଦାହରଣ। ଏହାର ସବୁ କିଛି ନିଷ୍ପତ୍ତି ଜିଏସ୍ଟି ପରିଷଦ ବୈଠକରେ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରୁଥିବା ବେଳେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନେ ସେଥିରେ ସଦସ୍ୟ ରହିଛନ୍ତି। ୨୦୧୭ ଜୁଲାଇ ୧ ପରଠାରୁ ଜିଏସ୍ଟି ପରିଷଦର ୪୭ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଭାରତରେ ଚାରି ଥାକିଆ ଜିଏସ୍ଟି ଲାଗୁ କରାଯାଇଛି। ସେହି ଚାରି ଟିକସ ସ୍ଲାବ୍ ହେଉଛି ୫%, ୧୨%, ୧୮% ଓ ୨୮%। ଏହା ବ୍ୟତୀତ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ ଛାଡ଼ ବର୍ଗରେ ରଖାଯାଇଥିବା ବେଳେ ହାନିକାରକ ଓ ବିଳାସପୂର୍ଣ୍ଣ ବସ୍ତୁ ଉପରେ ସେସ୍ ଲାଗୁ କରାଯାଇଛି। କେବଳ ସେତିକି ନୁହେଁ ସୁନା, ଗହଣା ଓ ମୂଲ୍ୟବାନ େଷ୍ଟାନ ଉପରେ ୩% ଓ କଟ୍ ଓ ପଲିସଡ୍ ହୀରା ଉପରେ ୧.୫% ଭଳି ଅଲଗା ଟିକସ ଲାଗୁ କରାଯାଇଛି। ଜିଏସ୍ଟି ଲାଗୁ ହେବା ପୂର୍ବରୁ ଟିକସଦାତାମାନଙ୍କୁ ସ୍ଥାନୀୟ ଟିକସ ଓ ସେସ୍ ବାବଦରେ ପ୍ରାୟ ୩୩% ଟିକସ ଗଣିବାକୁ ପଡ଼ୁଥିଲା। ଜିଏସ୍ଟିରେ ସର୍ବୋଚ୍ଚ ସ୍ଲାବ୍ ହେଉଛି ୨୮%। ଏବେ ତିନି ପ୍ରକାର ଜିଏସ୍ଟି ସଂଗ୍ରହ କରାଯାଉଛି। ତାହା ହେଉଛି କେନ୍ଦ୍ରୀୟ ଜିଏସ୍ଟି (ସିଜିଏସ୍ଟି), ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) ଓ ସମନ୍ବିତ ଜିଏସ୍ଟି (ଆଇଜିଏସ୍ଟି)। ପ୍ରତି ମାସରେ ସଂଗ୍ରହ କରାଯାଉଥିବା ଟିକସକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୫୦% ହାରରେ ସମାନ ଭାବେ ବାଣ୍ଟି ଦିଆଯାଉଛି।
ପେଟ୍ରୋଲ୍, ଡିଜେଲ୍ରେ ଲାଗୁ ହୋଇନି
ମାସିକ ସଂଗ୍ରହ ଲକ୍ଷେ କୋଟିରୁ ଅଧିକ
ରାଜ୍ୟଙ୍କୁ ଆଉ ମିଳିବନି କ୍ଷତିପୂରଣ
ଏହି ସଂସ୍କାର ପ୍ରକ୍ରିୟା ଲାଗୁ କରିବା ବେଳେ ସରକାର କହିଥିଲେ ଯେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ତାହା ୨% ବୃଦ୍ଧି ଆଣିବାରେ ସହାୟକ ହେବ। ସେହି ଲକ୍ଷ୍ୟ କେତେ ଦୂର ହାସଲ ହୋଇଛି ତାହା ବିତର୍କର ବିଷୟ ହୋଇରହିଛି। ଯେଉଁଭଳି ତରବରିଆ ଭାବେ ଜିଏସ୍ଟିକୁ ଲାଗୁ କରାଯାଇଥିଲା ତାହାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ଜାହିର କରିଥିଲେ। ଟିକସ ବ୍ୟବସ୍ଥାକୁ ସରଳ କରିବା ଲାଗି ପରିକଳ୍ପନା କରାଯାଇଥିଲେ ହେଁ ଜିଏସ୍ଟି କେବେବି ସରଳ ହୋଇପାରିନାହିଁ। ଏହା ଏତେ ଜଟିଳ ଯେ ଟିକସଦାତାମାନେ ତାହାକୁ ଆଜି ପର୍ଯ୍ୟନ୍ତ ସହଜରେ ବୁଝିପାରୁନାହାନ୍ତି। ବହୁ ସଂଖ୍ୟକ ଫର୍ମ ଓ ଫାଇଲିଂ ମଧ୍ୟରେ ଟିକସଦାତାମାନେ ଛନ୍ଦି ହୋଇଛନ୍ତି। ଏହି ପାଞ୍ଚ ବର୍ଷ ମଧ୍ୟରେ ଜିଏସ୍ଟିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରାଯାଇଛି। ପ୍ରଯୁକ୍ତିର ବ୍ୟବହାର ପରେ ଏହି ବ୍ୟବସ୍ଥାରେ ଅନେକ ସୁଧାର ହୋଇଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ସେଥିରେ ବିଭ୍ରାଟ ଦେଖିବାକୁ ମିଳୁଛି। ତେବେ ପ୍ରଯୁକ୍ତିର ବ୍ୟବହାର ପରେ ମାସିକ ଜିଏସ୍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହୁଛି।
ଜିଏସ୍ଟିକୁ ନେଇ ଟିକସଦାତାଙ୍କ ମନରେ ସର୍ବଦା ଦ୍ବନ୍ଦ୍ବ ଲାଗି ରହୁଛି। ତାହାକୁ ଦୂର କରିବା ଲାଗି ସରକାର ନିୟମିତ ବ୍ୟବଧାନରେ ସର୍କୁଲାର ଓ ସ୍ପଷ୍ଟୀକରଣ ଜାରି କରୁଛନ୍ତି। ବିରୋଧୀ ଦଳ ପକ୍ଷରୁ ଜିଏସ୍ଟିକୁ ‘ଗବର ସିଂହ ଟ୍ୟାକ୍ସ’ ଭାବେ ଅଭିହିତ କରାଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଭଳି ପ୍ରଯୁକ୍ତି ଜ୍ଞାନକୌଶଳର ବ୍ୟବହାର ପରେ ଜିଏସ୍ଟି ସଂଗ୍ରହରେ ଉନ୍ନତି ହୋଇଛି। ଟିକସ ଠକେଇକୁ ରୋକିବା ଲାଗି ମଧ୍ୟ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଜିଏସ୍ଟି ଅଧିକାରୀମାନେ ଚଢ଼ଉ ଜୋରଦାର କରି ଟିକସ ଠକେଇ ରୋକିବାକୁ ଉଦ୍ୟମ କରୁଛନ୍ତି। ଆଜି ପର୍ଯ୍ୟନ୍ତ ସବୁ ବସ୍ତୁ ଓ ସେବା ଉପରେ ଜିଏସ୍ଟି ଲାଗୁ ହୋଇପାରିନାହିଁ। ପେଟ୍ରୋଲିୟମ୍ ସାମଗ୍ରୀ, ବିମାନ ଇନ୍ଧନ ଓ ବିଦ୍ୟୁତ ଶକ୍ତି ଏବେବି ଜିଏସ୍ଟି ପରିସର ବାହାରେ ରହିଛି। ପେଟ୍ରୋଲ ଓ ଡିଜେଲ୍କୁ ଜିଏସ୍ଟିରେ ସାମିଲ କରିବା ଲାଗି ଦାବି ହେଉଥିଲେ ମଧ୍ୟ ରାଜସ୍ବ ହରାଇବା ଭୟରେ ସେହି ପ୍ରସ୍ତାବରେ ରାଜ୍ୟଗୁଡ଼ିକ ସହମତ ହେଉନାହାନ୍ତି।
ଏହି ସଂସ୍କାରର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଥିଲା ବହୁ ସ୍ଥାନୀୟ ଟିକସ ଉଚ୍ଛେଦ ହେବା ପରେ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତିପୂରଣ ରାଶି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି କରିବା। ସେହି ଅବଧି ଆଜିଠାରୁ ଶେଷ ହୋଇଛି। ରାଜ୍ୟଙ୍କୁ ଅଧିକ ବର୍ଷ କ୍ଷତିପୂରଣ ଦିଆଯିବ ନା ନାହିଁ ତାହାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଅଗଷ୍ଟ ପ୍ରଥମ ସପ୍ତାହରେ ମଦୁରାଇରେ ଜିଏସ୍ଟି ପରିଷଦର ପରବର୍ତ୍ତି ବୈଠକ ଅନୁଷ୍ଠିତ ହେବ ଓ ସେଥିରେ କ୍ଷତିପୂରଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କୁହାଯାଉଛି।