ନୂଆଦିଲ୍ଲୀ: ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଗଠିତ ମନ୍ତ୍ରିଗୋଷ୍ଠୀ (ଜିଓଏମ୍‌) ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ଛାଡ଼ କରିବାକୁ ପ୍ରସ୍ତାବ ଦେଇଛି। ସେହିଭଳି ଟର୍ମ ଇନସ୍ୟୁରାନ୍ସ ପ୍ରିମିୟମ ଉପରୁ ମଧ୍ୟ ଜିଏସ୍‌ଟି ଛାଡ଼ ପ୍ରସ୍ତାବ ଦିଆଯାଇଛି। ୨୦ ଲିଟର ବିଶିଷ୍ଟ ପାନୀୟ ଜଳ ବୋତଲ, ସାଇକଲ, ଏକ୍ସରସାଇଜ ନୋଟବୁକ୍‌ ଉପରେ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଦାମୀ ଘଣ୍ଟା ଏବଂ ଜୋତା ଉପରେ ଜିଏସ୍‌ଟି ୧୮ ପ୍ରତିଶତ ପରିବେର୍ତ୍ତ ୨୮ ପ୍ରତିଶତକୁ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି। ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ସାମଗ୍ରୀ ଉପରେ ଜିଏସ୍‌ଟି ହ୍ରାସ ଏବଂ ଅନେକ ସାମଗ୍ରୀ ଉପରେ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି।

Advertisment

ଏହାଦ୍ବାରା ୨୦ ହଜାର କୋଟି ଟଙ୍କାର ରାଜସ୍ବ ବଳକା ଆକଳନ କରାଯଇଛି। ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସ୍ବାସ୍ଥ୍ୟ ବୀମା ଉପରେ ଜିଏସଟି ୧୮ ପ୍ରତିଶତ ହାରରେ ଜାରି ରହିବ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ରାଶି ଯାହା ହେଉ ନା କାହିଁକି ତାହା ଉପରେ ଜିଏସ୍‌ଟି ଆଦାୟ କରାଯିବ ନାହିଁ। ତେବେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସ୍‌ଟି ପରିଷଦ ହିଁ ନେବ। ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର‌ ଜୋତା ଏବଂ ୨୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ହାତଘଣ୍ଟା ଉପରେ ଜିଏସ୍‌ଟି ୧୮ ପ୍ରତିଶତ ପରିବର୍ତ୍ତେ ୨୮ ପ୍ରତିଶତ ହେବ। ୨୦ ଲିଟରରୁ ଅଧିକ ପରିମାଣର ପାନୀୟ ଜଳ ଥିବା ବୋତଲ ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବ। ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟର ସାଇକଲ ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଁ ଆଲୋଚନା ହୋଇଛି। ସେହିଭଳି ଏକ୍ସରସାଇଜ ନୋଟବୁକ ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ପ୍ରସ୍ତାବ ଦିଆଯାଇଛି।