ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ, ପନିପରିବା ଆଦିର ଦାମ ସାଧାରଣ ଜନତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲାଣି। ଏଭଳି ସ୍ଥିତିରେ ସରକାର ଖାଉଟିଙ୍କ ଉପରେ ଜିଏସ୍ଟି ବୋଝ ଲଦିବାକୁ ଯାଉଛନ୍ତି। ଗତମାସ ଚଣ୍ଡୀଗଡ଼ରେ ଜିଏସଟି ପରିଷଦରେ ନିଆଯାଇଥିବା ନିଷ୍ପତ୍ତିକୁ ଆସନ୍ତା ୧୮ ତାରିଖ ଅର୍ଥାତ୍ ସୋମବାରଠାରୁ ଲାଗୁ କରାଯିବ। ବୈଠକରେ ସାଧାରଣ ଲୋକଙ୍କୁ ବାଧିବା ଭଳି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସଟି ବଢ଼ାଇ ଦିଆଯାଇଛି। ଫଳରେ ସାଧାରଣ ଖାଉଟିଙ୍କୁ ଦରବୃଦ୍ଧିର ଝଟ୍କା ଲାଗିବ। କେବଳ ବିଭିନ୍ନ ସାମଗ୍ରୀ ନୁହେଁ, ବ୍ୟାଙ୍କ ସେବା ଏବଂ ହୋଟେଲ ରହଣି ଓ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢ଼ିଯିବ।
/sambad/media/post_attachments/wp-content/uploads/2022/07/gst-1.jpg)
ନୂଆ ଜିଏସଟି କାର୍ଯ୍ୟକାରୀ ହେବା ଦ୍ବାରା ଦେଶରେ ଲେଖିବା/ଛାପିବା ଏବଂ ଡ୍ରଇଂ ପାଇଁ ବ୍ୟବହୃତ କାଳୀ, ଏଲ୍ଇଡି ଲ୍ୟାମ୍ପ, ଲାଇଟ୍ ଓ ଫିକ୍ସଚର, ମେଟାଲ ପ୍ରିଣ୍ଟେଡ୍ ସର୍କିଟ ବୋର୍ଡ ମହଙ୍ଗା ହେବ। ଏସବୁ ସାମଗ୍ରୀ ଉପରେ ଜିଏସଟି ହାର ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। କଟ୍ ଏବଂ ପଲିସ ହୋଇଥିବା ହୀରା ଉପରେ ଜିଏସଟି ୦.୨୫ ପ୍ରତିଶତରୁ ବୃଦ୍ଧି କରାଯାଇ ୧.୫ ପ୍ରତିଶତ କରାଯାଇଛି। ଛୁରି, ବ୍ଲେଡ, ପେନସିଲ ସାର୍ପେନର, ଚାମଚ, ଫର୍କସ, ଲାଡଲସ, ସ୍କିମର୍ସ, କେକ୍ ସର୍ଭର ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି। ପାୱାର ଚାଳିତ ପମ୍ପ, ସାଇକଲ ପମ୍ପ, ଡେରି ଯନ୍ତ୍ରାଂଶ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ। ବିହନ ସଫା କରିବା, ବାଛିବା ଏବଂ ଗ୍ରେଡିଂ କରିବା ପାଇଁ ଉଦ୍ଦିଷ୍ଟ ମେସିନ, ମିଲିଂ ପାଇଁ ବ୍ୟବହୃତ ମେସିନ, ଏୟାର ବେସଡ୍ ଅଟା ଚକି ଏବଂ ୱେଟ୍ ଗ୍ରାଇଣ୍ଡର ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ। ବ୍ୟାଙ୍କ ଚେକ୍ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେବ। ସୋଲାର ୱାଟର ହିଟର ଓ ସିଷ୍ଟମ ଉପରେ ୧୨ ପ୍ରତିଶତ, ଦିନକୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍ ରହଣି ଉପରେ ବି ୧୨ ପ୍ରତିଶତ ଟିକସ ଲାଗିବ। ପ୍ରିଣ୍ଟେଡ ମ୍ୟାପ, ଚାର୍ଟ ଆଦି ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ କରାଯିବ। ଡାକ୍ତରଖାନାରେ ଆଇସିୟୁ ବ୍ୟତୀତ ଅନ୍ୟ ରୁମ୍ ପାଇଁ ଦିନକୁ ନିଆଯାଉଥିବା ୫୦୦୦ ଟଙ୍କାରୁ ଅଧିକ ଭଡ଼ା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି। ରାସ୍ତା, ପୋଲ, ରେଳବାଇ, ମେଟ୍ରୋ, ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ଶ୍ମଶାନ ଆଦି ନିର୍ମାଣର ଠିକା କାର୍ଯ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ। ଐତିହାସିକ କୀର୍ତ୍ତିରାଜି, କେନାଲ, ଡ୍ୟାମ, ପାଇପଲାଇନ, ଜଳ ଯୋଗାଣ ପ୍ଲାଣ୍ଟ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଆଦି ନିର୍ମାଣର ଠିକା କାର୍ଯ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ।
ପୂର୍ବରୁ ପ୍ୟାକ୍ ଏବଂ ଲେବେଲ୍ ହୋଇଥିବା ଖାଦ୍ୟ ସାମଗ୍ରୀ ଯଥା ମାଛ, ମାସଂ, ଦହି, ପନିର ଏବଂ ମହୁ (ଫ୍ରୋଜେନ୍ ବ୍ୟତୀତ) ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେବ। ସେହିଭଳି ପୂର୍ବରୁ ପ୍ୟାକ ଓ ଲେବେଲ୍ ହୋଇଥିବା ଅଣବ୍ରାଣ୍ଡେଡ ଅଟା ଏବଂ ଚାଉଳ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେବ। ବର୍ତ୍ତମାନ କେବଳ ବ୍ରାଣ୍ଡେ୍ଡ ଅଟା ଓ ଚାଉଳ ଉପରେ ଜିଏସଟି ଲାଗୁ ହେଉଛି। ସେହିଭଳି ଡ୍ରାଏଡ ଲହୁଣି, ମୁଡ଼ି ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେବ।
/sambad/media/post_attachments/wp-content/uploads/2021/10/gst-750x430.jpg)
ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଅଣବ୍ରାଣ୍ଡେଡ ସାମଗ୍ରୀ ଉପରେ ଜିଏସଟି ଲାଗୁକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଇଛି। ଦେଶ ସ୍ବାଧୀନ ହେବାର ୭୬ ବର୍ଷ ମଧ୍ୟରେ ଏଭଳି ଟିକସ ଲାଗୁ କରାଯାଇ ନଥିଲା ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି। କୋଭିଡ ପରେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି। ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନରେ ଥିବାବେଳେ ଏହି ଟିକସ ବୃଦ୍ଧି କାହା ସ୍ବାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ନୂଆ ଜିଏସଟି ଦ୍ବାରା ଛୋଟ ଛୋଟ ବ୍ୟବସାୟୀ, ଓ ମିଲରମାନେ ମଧ୍ୟ ସେମାନଙ୍କ ଜୀବିକା ହରାଇବେ। ଦେଶରେ ପ୍ରାୟ ୨୦ ଲକ୍ଷ ଛୋଟ ଛୋଟ ମିଲ୍ ବନ୍ଦ ହୋଇଯିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।