ଅହମଦାବାଦ: ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟା‌ ବେଳେ ଗୁଜରାଟ ବିଧାନସଭାର ୮୯ଟି ଆସନ ପାଇଁ ରାଜ୍ୟର ଦକ୍ଷିଣାଞ୍ଚଳର ୧୯ଟି ଜିଲ୍ଲାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

Advertisment

ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେବା ପାଇଁ ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହେବା ଅଳ୍ପ ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମ‌ୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ଆଜି ଗୁଜରାଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ଆଜି ଯେଉଁମାନେ ଭୋଟ୍‌ ଦେବେ, ବିଶେଷକରି ପ୍ରଥମକରି ଭୋଟ୍‌ ଦେବାକୁ ଥିବା ଭୋଟର୍‌ମାନଙ୍କୁ ଅନୁରୋଧ, ସେମାନେ ରେକର୍ଡ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭୋଟର୍‌ମାନଙ୍କୁ ନିବେଦନ କରି ଟୁଇଟ୍‌ କରିଛନ୍ତି: ବିଗତ ଦୁଇ ଦଶକରେ ଗୁଜରାଟ ବିକାଶ ଓ ଶାନ୍ତିର ପରିଭାଷା ପାଲଟି ଯାଇଛି, ଯାହାକୁ ନେଇ ପ୍ରତି ଭାରତୀୟ ଗୌରବାନ୍ବିତ ମନେକରୁଛନ୍ତି। କିନ୍ତୁ, ଏହା ଗୁଜରାଟବାସୀଙ୍କଦ୍ବାରା ଚୟନ କରାଯାଇଥିବା ସୁଦୃଢ଼ ସରକାର ଯୋଗୁଁ ସମ୍ଭବ ହୋଇଛି।

ପ୍ରଥମ ପର୍ଯ୍ୟାୟ ଭୋଟ୍‌ଦାତାମାନଙ୍କୁ ଅନୁରୋଧ, ଏହି ବିକାଶ ଯାତ୍ରା ଅବ୍ୟାହତ ରଖିବା ପାଇଁ ଅଭୂତପୂର୍ବ ଉତ୍ସାହ ଓ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ।

publive-image Image Courtesy of India Today

‘ଆପ୍‌’ ମୁଖ୍ୟ ଅରବିନ୍ଦ କ୍ରେଜିୱାଲ୍‌ ଟୁଇଟ୍‌ କରି ଗୁଜରାଟବାସୀଙ୍କୁ ଅନୁରୋଧ କରିଛନ୍ତି: ଆଜି ଗୁଜରାଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ନିମନ୍ତେ ଭୋଟ୍‌ ଦାନ ଚାଲିଛି। ଆଜି ଗୁଜରାଟର ଯେଉଁ ଯେଉଁ ବିଧାନସଭା କ୍ଷେତ୍ରରେ ଭୋଟ୍‌ ଗ୍ରହଣ କରାଯାଉଛି ସେଠାକାର ସମସ୍ତ ଭୋଟ୍‌ଦାତାଙ୍କୁ ମୋର ନିବେଦନ- ଆପଣଙ୍କ ନିକଟକୁ ସୁବର୍ଣ୍ଣ ସୁଯୋଗ ଆସିଛି, ଗୁଜରାଟ ଓ ଆପଣଙ୍କ ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ନିଶ୍ଚୟ ଭୋଟ୍‌ ଦେଇ ଆସନ୍ତୁ, ଏଥର ବହୁସଂଖ୍ୟାରେ ଭୋଟ୍‌ ଦିଅନ୍ତୁ।

ସେହିପରି, ‘ଆପ୍‌’ ନେତା ମନୀଷ ସିସୋଦିଆ ଟୁଇଟ୍‌ କରି ଲେଖିଛନ୍ତି: ସମସ୍ତ ଗୁଜରାଟବାସୀଙ୍କୁ ଅନୁରୋଧ, ଗୁଜରାଟର ପ୍ରତ୍ୟେକ ପିଲାଙ୍କ ଉତ୍ତମ ଶିକ୍ଷା, ପ୍ରତ୍ୟେକ ଯୁବାଙ୍କୁ ଚାକିରି ଓ ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ନିମନ୍ତେ ସେମାନେ ନିଜ ନିଜ ଭୋଟ୍‌ ଦିଅନ୍ତୁ।

ଆପଣମାନଙ୍କ ଭୋଟ୍‌କୁ ଆଧାର କରି ଆପଣଙ୍କ ନିଜ ପରିବାର ସମେତ ସମଗ୍ର ଗୁଜରାଟ ଉନ୍ନତି ଓ ସମୃଦ୍ଧି ପଥରେ ଅଗ୍ରସର ହେବ।

ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି: ଆଜି ଗୁଜରାଟ ଗଣତନ୍ତ୍ରର ମହୋତ୍ସବ ପାଳନ କରୁଛି। ନିର୍ବାଚନ କମିସନ୍‌ ତରଫରୁ ଗୁଜରାଟର ୪.୯ କୋଟି ଭୋଟର୍‌ଙ୍କୁ ମୋର ଏକାନ୍ତ ନିବେଦନ ଆଜି ଏବଂ ୫ ତାରିଖ ଦିନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଦିଅନ୍ତୁ। ଗୁଜରାଟରେ ୪ ଲକ୍ଷରୁ ଊର୍ଦ୍ଧ୍ବ ‘ପିଡବ୍ଲୁଡି’ ଭୋଟର୍‌ ଏବଂ ୯.୮ ଲକ୍ଷ୍ୟ ବରିଷ୍ଠ ନାଗରିକ ଭୋଟର୍‌ ଅଛନ୍ତି।