ନୂଆଦିଲ୍ଲୀ : ଆଜି ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଦିଲ୍ଲୀର ଲାଲକିଲ୍ଲାଠାରେ ମୁଖ୍ୟ ସମାରୋହ ପାଳନ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଥିଲେ । ଏହି ସମାରୋହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଏହି ସୁରକ୍ଷା ପାଇଁ କେତେକ ଅତ୍ୟାଧୁନିକ ଉପକରଣ ଲଗାଯାଇଥିଲା । ତାହା ମଧ୍ୟରେ ଥିଲା ଏକ ସ୍ୱତନ୍ତ୍ର ପ୍ରକାରର ଲେଜର ଯନ୍ତ୍ର ଲଗାଯାଇଥିଲା ଯାହାକି ଡ୍ରୋନକୁ ଠାବ କରି ନଷ୍ଟ କରିଦେବ ।

Advertisment

ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏହି ଆଣ୍ଟି-ଡ୍ରୋନ ସିଷ୍ଟମକୁ ତିଆରି କରାଯାଇଛି । ଏହା ତିନି କିଲୋମିଟର ଦୂରରୁ ଛୋଟ ଡ୍ରୋନକୁ ମଧ୍ୟ ଠାବ କରି ତାହାକୁ ଜାମ କରିପାରିବ । ସେହିପରି ଅଢେଇ କିଲୋମିଟର ଦୂରରୁ ଡ୍ରୋନକୁ ଶକ୍ତିଶାଳି ଲେଜର ରଶ୍ମି ପକାଇ ନଷ୍ଟ କରିପାରିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

ଆଜିକାଲି ଡ୍ରୋନ ଗୁଡ଼ିକୁ ଆତଙ୍କବାଦୀ ଆକ୍ରମଣ କାମରେ ବ୍ୟବହାର କରାଯାଉଥବାରୁ ଏହି ଆଣ୍ଟି-ଡ୍ରୋନ ସିଷ୍ଟମ ବେଶ ଉପଯୋଗୀ ହୋଇପାରିବ । ଏଥରେ ଥିବା ଶକ୍ତିଶାଳୀ ରାଡାର ଦୂରରୁ ଆସୁଥିବା ମାଇକ୍ରୋ-ଡ୍ରୋନଗୁଡ଼ିକୁ ଠାବ କରିଥାଏ । ଠାବ କରିବାର କିଛି ସମୟମଧ୍ୟରେ ହିଁ ଉକ୍ତ ଡ୍ରୋନକୁ ନଷ୍ଟ କରିଦେଇଥାଏ । ଗତ ଫେବ୍ରୁଆରିରେ ଅହମଦାବାଦଠାରେ ଅନୁଷ୍ଠିତ ହୋଇଥିବା ମୋଦୀ-ଟ୍ରମ୍ପ ସଭାରେ ଏହାକୁ ମୁତୟନ କରାଯାଇଥିଲା ।