ଗୁଡ଼ିୟା ଗଣଦୁଷ୍କର୍ମ ମାମଲା: ୨ ଦୋଷୀଙ୍କୁ ୨୦ ବର୍ଷ ଜେଲ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଆଜି ବହୁ ଚର୍ଚ୍ଚିତ ଗୁଡ଼ିୟା ଗଣଦୁଷ୍କର୍ମ ମାମଲାରେ ୨ ଜଣ ଦୋଷୀ ମନୋଜ ଶାହ ଏବଂ ପ୍ରଦୀପ କୁମାରକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ପୀଡ଼ିତାର ପରିବାରକୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଉଭୟ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ ଏପ୍ରିଲ ୧୫ରେ ଗାନ୍ଧୀନଗରରେ ଜଣେ ୫ ବର୍ଷୀୟା ନାବାଳିକାକୁ ଅପହରଣ କରାଯାଇ ତା’ ସହ ଗଣଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମକାରୀମାନେ ଗୁଡ଼ିୟାର ଗୁପ୍ତାଙ୍ଗରେ କାଠ ଏବଂ କାଚ ପୂରାଇ ତାକୁ ମୁର୍ମୂଷୁ ଅବସ୍ଥାରେ ଏକ ପରିତ୍ୟକ୍ତ ‌କୋଠରୀ ମଧ୍ୟରେ ଛାଡ଼ି ଦେଇ ପଳାଇଥିଲା। ଘଟଣା ଘଟିବାର ୪୦ ଘଣ୍ଟା ପରେ ଅର୍ଥାତ ଏପ୍ରିଲ ୧୭ରେ ଗୁଡ଼ିୟାକୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆଜର ରାୟ ପ୍ରକାଶ ପାଇବା ପରେ ଗୁଡ଼ିୟାର ବାପା କାନ୍ଦି କାନ୍ଦି କହିଛନ୍ତି, ଦୋଷୀଙ୍କୁ ଫାଶୀ ଦିଆ ନଯାଉ। ଜୀବନସାରା ସେମାନଙ୍କୁ ପଶ୍ଚାତାପ କରିବା ସୁଯୋଗ ମିଳୁ। ତାଙ୍କ ଝିଅକୁ ସେ ଯୌନ ରାକ୍ଷସମାନେ ଏଭଳି ଅବସ୍ଥା କରିଥିଲେ ଯେ ସେ ଆଜି ବି ସୁସ୍ଥ ହୋଇ ପାରିନାହିଁ। ତାର ୭ଟି ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ଝିଅର ଏଭଳି ଅବସ୍ଥା କରାଇଥିବା ଦୋଷୀଙ୍କୁ ଫାଶୀ ଦଣ୍ଡ ଯଥେଷ୍ଟ ନୁହେଁ ବୋଲି ଗୁଡ଼ିୟାର ବାପା କହିଛନ୍ତି।

ସମ୍ବନ୍ଧିତ ଖବର