ନୂଆ ବର୍ଷ ପାଇଁ କଟକଣା ବଢ଼ିଲା: ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ରୋକ୍‌, ବଡ଼ ସହରରେ ସତର୍କତା

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ନୂଆ ପ୍ରଜାତିର କରୋନା ଭୂତାଣୁ ବିଶ୍ବର ‌ଅନେକ ଦେଶରେ ଭୟ ଖେଳାଇ ଦେଲାଣି। ଏଥିଯୋଗୁ କେତେକ ଦେଶ ଓ ରାଜ୍ୟରେ ଏବେ ପୁଣି ନୂଆ କଟକଣା ଆରମ୍ଭ ହୋଇଯାଇଛି। ଭାରତର କେତେକ ରାଜ୍ୟରେ ଏଥିପାଇଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ରୋକ୍‌ ଲାଗିଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି। ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ ଭଳି ୫ଟି ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି।

ମହାରାଷ୍ଟ୍ର‌ରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟ କୌଣସି ବଡ଼ ସହରରେ ବି ନୂଆ ବର୍ଷ ଉତ୍ସବ ପାଳନ ହେବନି। ନୂଆବର୍ଷ ଉତ୍ସବ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ମାତ୍ର ୫୦ ‌ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ। ମୁମ୍ବାଇ ପୁଲିସ ଡିସିପି ଏସ୍‌ ‌ଚୈତନ୍ୟ କହିଛନ୍ତି, ପ୍ରତି ବର୍ଷ ନୂଆ ବର୍ଷ ପାଳନ ପାଇଁ ମୁମ୍ବାଇରେ ବିଶାଳ ଜନସମାଗମ ହୁଏ, କିନ୍ତୁ ଚଳିତ ବର୍ଷ ଏହା ସମ୍ଭବ ନୁହେଁ। କୌଣସି ନିୟମାବଳି ଯେଭଳି ଉଲ୍ଲଂଘନ ନହୁଏ ସେନେଇ ସଚେତନ ରହିବାକୁ ସେ ପୁଲିସ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମାଇରେ ମଧ୍ୟ ୧୪୪ ଧାରା ଜାରି ହୋଇଛି। ୪ରୁ ଅଧିକ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ନହେବା ପାଇଁ କୁହାଯାଇଛି।

ସେହିଭଳି ତାମିଲନାଡ଼ୁରେ ଡିସେମ୍ବର ୩୧ ଏବଂ ଜାନୁଆରି ୧ରେ ରେସ୍ତୋରାଁ, କ୍ଲବ୍‌, ପବ୍‌, ରିସର୍ଟ, ବିଚ୍‌ ‌ରିସର୍ଟରେ ‌କୌଣସି କାର୍ଯ୍ୟକ୍ରମ ହେବନି। କିନ୍ତୁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ନାହିଁ। ନୂଆ ବର୍ଷ ପାର୍ଟି ପାଇଁ ଚେନ୍ନାଇର ଲୋକପ୍ରିୟ ମାରିନା ବେଳାଭୂମି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। କର୍ଣ୍ଣାଟକ ସରକାର ମଧ୍ୟ ଡିସେମ୍ବର ୨୩ରୁ ଜାନୁଆରି ୨ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। କ୍ଲବ୍‌, ପବ୍‌ ଏବଂ ରେସ୍ତୋରାଁ ଗୁଡ଼ିକରେ ପାର୍ଟି ହୋଇପାରିବନି ବୋଲି କୁହାଯାଇଛି। ରାଜସ୍ଥାନ ସରକାର ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରମାନଙ୍କରେ ଡିସେମ୍ବର ୩୧ ତାରିଖ ରାତି ୮ଟାରୁ ଜାନୁଆରି ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୭ଟା ସୁଦ୍ଧା ବଜାର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କୌଣସି ସର୍ବସାଧାରଣ ସ୍ଥା‌ନରେ ନୂଆ ଉତ୍ସବ ପାଇଁ କାର୍ଯ୍ୟକ୍ରମ ପାଳନ ହୋଇପାରିବନି। ଉତ୍ତରାଖଣ୍ଡରେ ମଧ୍ୟ ହୋଟେଲ୍‌, ବାର୍‌, ରେସ୍ତୋରାଁ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନମାନଙ୍କରେ ସେଲିବ୍ରେସନ୍‌ ଉପରେ ରୋକ୍‌ ଲଗାଯାଇଛି। ନିୟମ ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅଧୀନରେ ଦଣ୍ଡିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।।

ସମ୍ବନ୍ଧିତ ଖବର