କେଉଁ ଦେଶରେ ନିର୍ମିତ ହୋଇଛି ଉତ୍ପାଦ ନ ଜଣାଇଲେ ଇ-କମର୍ସ କମ୍ପାନୀ କର୍ତ୍ତୃପକ୍ଷ ଯାଇପାରନ୍ତି ଜେଲ
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀଗୁଡିକ ପାଇଁ କେନ୍ଦ୍ର ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି | ଏଣିକି ଯଦି ଇ-କମର୍ସ କମ୍ପାନୀମାନେ ଉପଭୋକ୍ତାଙ୍କୁ ଯୋଗାଉଥିବା ଦ୍ରବ୍ୟ ବା ଉତ୍ପାଦ କେଉଁ ଦେଶରେ ତିଆରି ହୋଇଛି ସେ ବାବଦରେ ବିସ୍ତୃତ ସୂଚନା ନ ଦେବେ ତେବେ ଦଣ୍ଡିତ ହେବେ | ବିଶେଷ କରି କୌଣସି ସାମଗ୍ରୀ ବିଷୟରେ ଯଦି ଗ୍ରାହକଙ୍କୁ ସବୁ ସୂଚନା ଦେଉ ନାହାଁନ୍ତି, ତେବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ଜେଲ ମଧ୍ୟ ପଠାଯିବ |
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ନିକଟରେ ଚୀନ୍ ସୀମାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦେଶରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅନେକ ଲୋକ ଜାଣିବାକୁ ଚାଁହୁଛନ୍ତି ଯେ ସେମାନେ ବ୍ୟବହାର କରୁଥିବା ସାମଗ୍ରୀ କେଉଁ ଦେଶରେ ତିଆରି ହେଉଛି | ତେବେ ଇ-କମର୍ସ କମ୍ପାନୀଗୁଡିକ ଦ୍ୱାରା ଅନେକ ଜିନିଷ ବିକ୍ରି ହୁଏ ଯେଉଁଥିରେ ସେମାନେ କେଉଁଠୁ ଆସିଛି ତାହା ଉଲ୍ଲେଖ କରନ୍ତି ନାହିଁ।
କେନ୍ଦ୍ର ଉପଭୋକ୍ତା ମାମଲା ସଚିବ ଲୀନା ନନ୍ଦନ କହିଛନ୍ତି ଯେ ଯଦି କୌଣସି ଉତ୍ପାଦକ କିମ୍ବା ମାର୍କେଟିଂ କମ୍ପାନୀ ଏହି ଆଦେଶ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ପ୍ରଥମ ଥର ପାଇଁ ସେମାନଙ୍କୁ ୨୫ ହଜାର ଟଙ୍କା, ଦ୍ୱିତୀୟ ଥର ପାଇଁ ୫୦ ହଜାର ଟଙ୍କା ଆଦାୟ କରାଯିବ | ତେବେ ଏହି ଭୁଲ ଯଦି ବାରମ୍ବାର କରନ୍ତି ତେବେ ୧ ଲକ୍ଷ ଟଙ୍କା ଜରିମାନା ସହ ୧ବର୍ଷ ଜେଲ ଦଣ୍ଡ ଦିଆଯାଇପାରେ | ସେ ସ୍ପଷ୍ଟ କରିଛନ୍ତି ଯେ ଏହି ନିୟମ କେବଳ ଦୋକାନରେ ସାମଗ୍ରୀ ବିକ୍ରୟ କ୍ଷେତ୍ରରେ ନୁହେଁ ବରଂ ଇ-କମର୍ସ କମ୍ପାନୀଗୁଡିକ ପାଇଁ ମଧ୍ୟ ଲାଗୁ ହେବ |