ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରିଧାମ ଯାତ୍ରା ଚଳିତ ବର୍ଷ ୩୦ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଗଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆସିବେ ବୋଲି ଆଶା କରାଯାଉଛି । ଯାତ୍ରାକୁ ସୁଗମ, ସୁରକ୍ଷିତ ଏବଂ ସଂଗଠିତ କରିବା ପାଇଁ ସରକାର ଏବଂ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ପରିବହନ ବିଭାଗ ଚାରିଧାମ ଯାତ୍ରା ପାଇଁ ଏକ ଆଡଭାଇଜରି ଜାରି କରିଛି । ଯେଉଁଥିରେ ଯାତ୍ରା ରୁଟରେ ଯାନବାହାନ ଚଳାଚଳଠୁ ନେଇ ଚାଳକମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଅନ୍ତର୍ଭୁକ୍ତ । ପରିବହନ ବିଭାଗର ଆଡଭାଇଜରି ଅନୁସାରେ, ପାହାଡ଼ି ରାସ୍ତାରେ ରାତିରେ ବାଣିଜ୍ୟିକ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାତି ୧୦ଟାରୁ ସକାଳ ୪ଟା ଯାଏଁ ଚାରିଧାମ ଯାତ୍ରା ରୁଟ୍ରେ କୌଣସି ବ୍ୟବସାୟ ଭିତ୍ତିକ ଯାନବାହାନ ଚଳାଚଳ କରିପାରିବ ନାହିଁ । ପାହାଡ଼ି ରାସ୍ତାରେ ରାତିରେ ଦୁର୍ଘଟଣା ରୋକିବା ଏବଂ ଯାତ୍ରୀଙ୍କ ସୁରକ୍ଷା ଚିନ୍ତା କରି ଏହିଭଳି ନିଷ୍ପତ୍ତି ନିଆଯାଇଛି।
ଆଞ୍ଚଳିକ ପରିବହନ ଅଧିକାରୀ ଚକ୍ରପାଣି ମିଶ୍ର କହିଛନ୍ତି ଯେ ପାହାଡିଆ ରାସ୍ତାରେ ଗାଡ଼ି ଚଲାଇବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ, ଯେଉଁଥିରେ ଡ୍ରାଇଭରମାନଙ୍କର ଦକ୍ଷତା ଏବଂ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ । ଆଡଭାଇଜରିରେ ବାଣିଜ୍ୟିକ ଡ୍ରାଇଭରମାନଙ୍କ ପାଇଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ଡ୍ରାଇଭରମାନଙ୍କୁ ସ୍ୱତନ୍ତ୍ର ତାଲିମର ସମ୍ପୂର୍ଣ୍ଣ ପ୍ରମାଣପତ୍ର, ଫିଟନେସ୍ ପ୍ରମାଣପତ୍ର ଏବଂ ସମସ୍ତ ଯାନବାହାନ କାଗଜପତ୍ର ରଖିବାକୁ ପଡିବ । ଏହା ବ୍ୟତୀତ ଡ୍ରାଇଭରମାନଙ୍କ ପୋଷାକ, ଆଚରଣ ଏବଂ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ।
ଏଆରଟିଓ ଚକ୍ରପାଣି ମିଶ୍ର କହିଛନ୍ତି ଯେ ଯାତ୍ରା ସମୟରେ ଡ୍ରାଇଭରମାନଙ୍କୁ ଚପଲ କିମ୍ବା ସାଣ୍ଡେଲ ପିନ୍ଧି ଗାଡ଼ି ଚଲାଇବାକୁ ଅନୁମତି ଦିଆଯିବ ନାହିଁ । ଏହା ବଦଳରେ ସେମାନଙ୍କୁ ଜୋତା ପିନ୍ଧିବାକୁ ପଡିବ । ପାହାଡ଼ି ରାସ୍ତାରେ ଯାନବାହାନ ଚଲାଇବା ସମୟରେ ଚାଳକମାନେ କିପରି ସୁରକ୍ଷିତ ରହିପାରିବେ ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି । ଯାତ୍ରା ସମୟରେ ଯାନବାହାନଗୁଡ଼ିକର ବୈଷୟିକ ସ୍ଥିତି ଉପରେ ମଧ୍ୟ କଡ଼ା ନଜର ରଖାଯିବ । ସମସ୍ତ ବାଣିଜ୍ୟିକ ଯାନବାହାନର ଫିଟନେସ୍ ପ୍ରମାଣପତ୍ର ଏବଂ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ଥିବା ଆବଶ୍ୟକ । ଏହା ସହିତ, ଡ୍ରାଇଭରମାନଙ୍କୁ ନିଶାଠାରୁ ଦୂରରେ ରହିବା ଏବଂ ଯାତ୍ରୀମାନଙ୍କ ସହିତ ନମ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିବହନ ବିଭାଗ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭର ଏବଂ ଯାନବାହନ ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରଶାସନର କହିବା ଅନୁସାରେ,ଏଥର ଚାରିଧାମ ଯାତ୍ରାକୁ ପୂର୍ବ ଅପେକ୍ଷା ଅଧିକ ସଂଗଠିତ ଏବଂ ସୁରକ୍ଷିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ପ୍ରଶାସନ ତରଫରୁ ଯାତ୍ରୀମାନଙ୍କୁ ପରାମର୍ଶ ପାଳନ କରିବାକୁ ଏବଂ ଯାତ୍ରା ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି । ଏହା ସହ ପ୍ରଶାସନ ତୀର୍ଥଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ପଞ୍ଜିକରଣ କରିବାକୁ ଏବଂ ପାଣିପାଗ ବିଷୟରେ ସୂଚନା ସଂଗ୍ରହ କରି ଯାତ୍ରା କରିବାକୁ ପରାମର୍ଶ ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/12/gou8wQUzrwLtr5r3Ve41.jpg)