ଇସ୍ରାଏଲୀ ସଂସ୍ଥା ଦ୍ବାରା ଗୁଇନ୍ଦାଗିରି: କେନ୍ଦ୍ରମନ୍ତ୍ରୀ, ବିଚାରପତିଙ୍କ ଫୋନ୍ ହ୍ୟାକ୍

ନୂଆଦିଲ୍ଲୀ : ଇସ୍ରାଏଲର ଏକ ସଂସ୍ଥା ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବର ହ୍ୟାକ୍ କରିଛି। ଏଥିରେ ଅଛନ୍ତି ମୋଦୀ ସରକାରରେ ଥିବା ଦୁଇ ଜଣ ମନ୍ତ୍ରୀ, ସୁପ୍ରିମ କୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ତିନି ଜଣ ନେତା ଏବଂ ସାମ୍ବାଦିକ। ଆଜି ରାତି ‘ଦ ୱାୟର’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲୀ ସଂସ୍ଥା ଏଭଳି ଫୋନ୍ ହ୍ୟାକ୍ କରିଛି, ତାହା ଜଣାପଡ଼ି ନାହିଁ। ତେବେ କେନ୍ଦ୍ର ସରକାର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ରିପୋର୍ଟ ମୁତାବକ ଇସ୍ରାଏଲୀ ସଂସ୍ଥା ସ୍ପାଏୱେର୍‌ ପେଗାସସ୍‌ ପକ୍ଷରୁ ଏଭଳି ଗୁଇନ୍ଦାଗରି କରାଯାଇଛି। ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ୍ ସଂକ୍ରାନ୍ତ ତଥ୍ୟ (କଲ୍, ମେସେ‌ଜ, ହ୍ବାଟସଆପ୍ ବାର୍ତା) ଏହାର ଡାଟାବେସରେ ରହିଛି। ଯେଉଁମାନଙ୍କର ଫୋନ୍ ନମ୍ବର ଅନ୍ୟ ତଥ୍ୟ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ, ବିରୋଧୀ ଦଳର ତିନି ଜଣ ନେତା, ସୁପ୍ରିମ କୋର୍ଟର ବିଚାରପତି, ୫୦ରୁ ଅଧିକ ସାମ୍ବାଦିକ, ବ୍ୟବସାୟୀ, ସରକାରୀ ଅଧିକାରୀ, ବୈଜ୍ଞାନିକ, ଆଇନଜୀବୀ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା। ତାଲିକାରେ ୩୦୦ରୁ ଅଧିକ ଭାରତୀୟ ମୋବାଇଲ ନମ୍ବର ରହିଛି। ହିନ୍ଦୁସ୍ତାନ ଟାଇମ୍ସ, ଇଣ୍ଡିଆ ଟୁଡେ, ନେଟୱାର୍କ ୧୮, ଦ ହିନ୍ଦୁ ଏବଂ ଇଣ୍ଡିଆନ ଏକ୍ସପ୍ରେସ ସମେତ ବଡ଼ ଗଣମାଧ୍ୟମର ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଛି।

ପେଗାସସ୍‌କୁ ମାଧ୍ୟମରେ ଭାରତର କୌଣସି ସରକାରୀ ସଂସ୍ଥା ଏଭଳି ଗୁଇନ୍ଦାଗିରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। କିନ୍ତୁ ସରକାର ଏହାର ଖଣ୍ଡନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି ହ୍ୟାକିଂ ପ୍ରକ୍ରିୟାରେ ସରକାର ଆଦୌ ସାମିଲ ନାହାନ୍ତି ଏବଂ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ଆଇଟି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଏକ ସୁଦୃଢ଼ ଗଣତନ୍ତ୍ର ଏବଂ ନାଗରିକଙ୍କ ମୌଳିକ ଅଧିକାରକୁ ସବୁ ପରିସ୍ଥିତିରେ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ। ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି ।

ସମ୍ବନ୍ଧିତ ଖବର