ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି। ଭୋଟିଂ ଚାଲିଥିବା ବେଳେ ଗୁଜୁରାଟର ନଡିୟାଦର ଜଣେ ଭୋଟର ନିଜର ନିଷ୍ଠା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Advertisment

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ‌ଭୋଟିଂ ସମୟରେ ଅଙ୍କିତ ସୋନି ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ମତଦାନ କେନ୍ଦ୍ରରେ ପହଞ୍ଚି ତାଙ୍କ ପାଦ ବ୍ୟବହାର କରି ଭୋଟ୍ ଦେଇଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି।

କିଛିବର୍ଷ ପୂ‌ର୍ବେ ବିଦ୍ୟୁତ ଆଘାତ ଲାଗିବାରୁ ଅଙ୍କିତ ସୋନିଙ୍କ ହାତ ନଷ୍ଟ ହୋଇଯାଇଥିଲା। ଏତେ ବଡ଼ ଅଘଟଣର ଶିକାର ହୋଇଥିବା ସତ୍ତ୍ବେ ଅଙ୍କିତ ହାର ମାନି ନଥିଲେ। ସେ ପାଠପଢ଼ି ଭଲ ନମ୍ବର ରଖି  ଯୁକ୍ତତିନ ପରୀକ୍ଷାରେ ସଫଳ ହୋଇଥିଲେ। ଏହାପରେ ଇଣ୍ଟରଭ୍ୟୁ ଦେଇ ଏକ କମ୍ପାନିରେ ସେ ସେକ୍ରେଟେରି ଭାବେ କାମ ପାଇଥିଲେ।

ଅଙ୍କିତ ସୋନି କହିଛନ୍ତି, ‘ଗୋଟିଏ ବି ଭୋଟ ଖୁବ ମହତ୍ତ୍ବରଖେ। ତେଣୁ ଆପଣମାନେ ସମସ୍ତେ ଆଗକୁ ଆସନ୍ତୁ। ଅଧିକରୁ ଅଧିକ ଭୋଟ ଦିଅନ୍ତୁ। ଏଥିରେ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଆମର ଭବିଷ୍ୟତ ପାଇଁ ଭଲ ନେତା ବାଛିବା ଆମର କର୍ତ୍ତବ୍ୟ। ମୋର ହାତ ନଥିବା ସତ୍ତ୍ବେ ମୁଁ ଭୋଟ ‌କେନ୍ଦ୍ରରେ ପହଞ୍ଚି ପାଦରେ ନିଜର ଭୋଟ ଦାନ କରିଛି। ଭୋଟ ଦେବା ପ‌ରେ ମୁଁ ଗର୍ବ ଅନୁଭବ କରୁଛି। ଆପଣମାନେ ବି ଆସନ୍ତୁ ଭୋଟ ଦେଇ ନିଜ ନେତା ବାଛନ୍ତୁ।