ଗୁଜରାଟ ବିଧାନସଭା ନିର୍ବାଚନ: ଅହମଦାବାଦରେ ମୋଦୀଙ୍କ ଦ୍ବିତୀୟ ରୋଡ୍‌ସୋ, ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହୋଇଛି। ବିଜେପି, କଂଗ୍ରେସ ଏବଂ ଆପ୍‌ ନେତାମାନେ ମାରାଥନ ସଭା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ୫୪ କିମି ଲମ୍ବା ରୋଡ୍‌ସୋ କରିଥିବା ବେଳେ ଶୁକ୍ରବାର ଦିନ ଦ୍ବିତୀୟ ଦିନରେ ମଧ୍ୟ ଅହମଦାବାଦରେ ୧୦ କିମି ଲମ୍ବ ରୋଡ୍‌ସୋ କରିଛନ୍ତି। ଅହମଦାବାଦରେ ମା’ ଭଦ୍ରକାଳୀ ମନ୍ଦିରରେ ମୋଦୀ ପୂଜାର୍ଚ୍ଚନା କରିଛନ୍ତି।

ମୋଦୀ ଶୁକ୍ରବାର ଦିନ ଉତ୍ତର ଗୁଜରାଟର ପାଟନ ସହରରେ ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି, ଗତକାଲି କଚ୍ଛ, ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟରେ ଭୋଟ୍‌ ପରେ କଂଗ୍ରେସ ଯେଭଳି ଇଭିଏମ୍‌କୁ ଦାୟୀ କରିବା ଆରମ୍ଭ କରିଛି ଏଥିରୁ ଜଣାପଡ଼ୁଛି ଯେ ବିରୋଧୀ ଦଳ ପରାଜୟକୁ ସ୍ବୀକାର କରିବା ସହ ବିଜେପି ନିର୍ବାଚନ ଜିତିବ ବୋଲି ମଧ୍ୟ ସ୍ବୀକାର କରି ସାରିଛନ୍ତି। ମୋଦୀ କହିଛନ୍ତି, କଂଗ୍ରେସ କେବଳ ଦୁଇଟି କଥା ଜାଣେ। ପ୍ରଥମଟି ହେଉଛି ନିର୍ବାଚନ ପୂର୍ବରୁ ମୋଦୀଙ୍କ ଉପରେ ଆକ୍ରମଣ ଏବଂ ଦ୍ବିତୀୟଟି ହେଲା ଭୋଟ୍‌ ପରେ ଇଭିଏମ୍‌କୁ ଦାୟୀ କରିବା।

ଡିସେମ୍ବର ୫ରେ ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ମୋଟ୍‌ ୮୩୩ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ସକାଳ ୮ଟାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା‌ରେ ଶେଷ ହେବ।

ସମ୍ବନ୍ଧିତ ଖବର