ଗୁଜରାଟ ନିର୍ବାଚନ ଫଳାଫଳ ଏହି ଚାରି ନେତାଙ୍କୁ କ’ଣ ଦେଲା ଓ କ’ଣ ଦେଲା ନାହିଁ !

ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ଲାଗି ଉତ୍ସାହ ଓ ଆନନ୍ଦ ଆଣିଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଲାଗି ଆଣିଛି ମିଶ୍ରିତ ଫଳାଫଳ। ହିମାଚଳ ପ୍ରଦେଶ କଂଗ୍ରେସ ହାତରୁ ଖସିଯାଇଥିବା ବେଳେ ଗୁଜରାଟରେ ଦଳକୁ ମିଳିଛି ଉତ୍ସାହଜନକ ବଢ଼ୌତି। ଗୁଜରାଟ ନିର୍ବାଚନରେ ମୁଖ୍ୟତଃ ୪ ଜଣ ନେତାଙ୍କ ଲାଗି ବିଶେଷ ରାଜନୈତିକ ଗୁରୁତ୍ୱ ବହନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏବଂ ଅଚାନକ ଅଭ୍ୟୁଦୟ ଘଟିଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲ। ଆସନ୍ତୁ ଜାଣିବା ଏଇ ଚାରି ଜଣ ଚର୍ଚ୍ଚିତ ନେତାଙ୍କ ଲାଗି କି ପ୍ରକାର ତାତ୍ପର୍ଯ୍ୟ ରଖିଛି ଗୁଜରାଟ ନିର୍ବାଚନ।

The Indian Express

ନରେନ୍ଦ୍ର ମୋଦି: ଗୁଜୁରାଟ ନିର୍ବାଚନର ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆନନ୍ଦ ସହ ଆଶ୍ୱାସନା ଆଣିଛି । କାରଣ ତାଙ୍କ ରାଜନୈତିକ ବିଶ୍ୱସନୀୟତା ଏକପ୍ରକାର ବାଜି ଲାଗିଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ଶାସନ କରିବା ପରେ ଭାରତୀୟ ଜନତା ପାର୍ଟି ବିରୋଧରେ ଜନମତ ଦାନା ବାନ୍ଧି ଥିଲା, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଏହି ‘ଶାସନ ବିରୋଧ’ ମନୋଭାବର ଫାଇଦା ନେବା ଲାଗି କଂଗ୍ରେସ ଜୋର୍‌ଦାର ପ୍ରୟାସ କରିଥିଲା । ଜାତିବାଦୀ, ସଂପ୍ରଦାୟବାଦୀ ରାଜନୀତିର ସାହାରା ବି ନେଇଥିଲା । ନିର୍ବାଚନ ପ୍ରଚାରର ପ୍ରରମ୍ଭିକ ପର୍ଯ୍ୟାୟରେ ଗୁଜୁରାଟ ଜନତାଙ୍କ ଭିତରେ ଥିବା ଆକ୍ରୋଶକୁ ମାପି ପାରିଥିଲେ ବିଜେପିର ନେତା ଓ କର୍ମୀ । ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ଦଳ ବିରୋଧରେ ଅସନ୍ତୋଷ ଥିଲା । ଜିଏସ୍‌ଟି ନେଇ ବ୍ୟବସାୟୀ ଗୋଷ୍ଠୀ ବିରକ୍ତ ଥିଲେ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳକୁ ବଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରର ମଙ୍ଗ ଧରିବାକୁ ବାଧ୍ୟ ହେଲେ । ତାଙ୍କର ପରିଶ୍ରମ ଫଳରେ ଗୁଜୁରାଟରେ ପୁଣି ଥରେ ପଦ୍ମ ଫୁଟିଛି । ଏହି ବିଜୟ ନରେନ୍ଦ୍ର ମୋଦିଙ୍କ ବିଜୟ ବୋଲି ଧରି ନେବାକୁ ହେବ। ସେ କୁହୁଳୁଥିବା ଜନ ଅସନ୍ତୋଷକୁ ଚପାଇ ତାହାକୁ ଭୋଟରେ ରୂପାନ୍ତରିତ କରିବାକୁ ସଫଳ ହୋଇଛନ୍ତି । ନିଜର ଭାଷଣ ମାଧ୍ୟମରେ ଲୋକଙ୍କ ଭିତରେ ଆବେଗ ସୃଷ୍ଟି କରିଛନ୍ତି, ୨୮୦୦୦ କିଲୋମିଟର ଗସ୍ତ କରିଛନ୍ତି, ଅଧିକାଂଶ ପ୍ରମୁଖ ଧର୍ମପୀଠରେ ପୂଜାର୍ଚ୍ଚନା କରିଛନ୍ତି । ମୋଦିଙ୍କ କୌଶଳ, ପରିଶ୍ରମ ଏବଂ ବ୍ୟକ୍ତିତ୍ୱ ପୁଣି ଥରେ ପ୍ରମାଣିତ ହୋଇଛି ।

The Indian Express

ଅମିତ ଶାହା : ଗୁଜୁରାଟରେ ବିଜେପିର ବିଜୟ ଯଦିଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପାଇଁ ଆଶ୍ୱସନା ଆଣିଛି । କିନ୍ତୁ ତାଙ୍କର କୌଶଳ ଓ ଗଣିତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନ ପୂର୍ବରୁ ସେ ଘୋଷଣା କରିଥିଲେ ଯେ ଦଳ ୧୫୦ ଆସନ ହାସଲ କରିବ । କିନ୍ତୁ ସେପରି ଘଟି ନାହିଁ । ଅନ୍ୟପକ୍ଷରେ ଆନନ୍ଦୀବେନ୍‌ ପଟେଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସେ ପଟିଦାରମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ, ଯାହା ବିଜେପି ଲାଗି ଅସୁବିଧା ସୃଷ୍ଟି କଲା । ଗୁଜୁରାଟରେ ଅମିତ ଶାହାଙ୍କ ଜୋରଦାର୍‌ ପ୍ରଚାର ବି ଦେଖିବାକୁ ମିଳି ନ ଥିଲା । ତେବେ ତାଙ୍କର ସାଙ୍ଗଠନିକ ଦକ୍ଷତା ଯୋଗୁଁ ବୁଥ୍‌ସ୍ତରରେ ଭୋଟରଙ୍କୁ ପ୍ରଭାବିତ କରିବା ଏହି ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ମୋଟାମୋଟି ଶାହାଙ୍କର ରାଜ୍ୟ ଉପରେ ଯେଉଁ ପକଡ଼ ଥିଲା ତାହା କିଛି ମାତ୍ରାରେ ହ୍ରାସ ପାଇଛି, ଏଥିରେ ଦ୍ୱିମତ ନାହିଁ ।

India Today

ରାହୁଲ ଗାନ୍ଧି: ଯଦିଓ ଗୁଜୁରାଟରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଆସନ ଲାଭ କରିଛି ଏବଂ ବିଜେପିକୁ କଡା ଟକ୍କର ଦେଇଛି। କଂଗ୍ରେସର ନିର୍ବାଚିତ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କ ପାଇଁ ନିର୍ବାଚନ ଫଳାଫଳ ଉତ୍ସାହଜନକ ହୋଇଥିଲେ ହେଁ ସଂପୂର୍ଣ୍ଣ ଆନନ୍ଦଦାୟକ ହୋଇ ନାହିଁ । ରାହୁଲ ଗୁଜୁରାଟରେ ପ୍ରଚାରର ମଙ୍ଗ ନିଜେ ଧରିଥିଲେ ଏବଂ ଭାଷଣଠାରୁ ଆରମ୍ଭ କରି ରଣନୀତି ପ୍ରସ୍ତୁତି ଓ ସାଙ୍ଗଠନିକ ବ୍ୟବସ୍ଥା ଯାଏଁ ସବୁ ଦିଗକୁ ତଦାରଖ କରିଥିଲେ । ଗୁଜୁରାଟ ନିର୍ବାଚନ ଫଳାଫଳ ତାଙ୍କ ଲାଗି ସଫଳତା ଆଣିଦେବ ବୋଲି ସେ ଆଶାବାଦୀ ଥିଲେ । ରାହୁଲ ଅତୀତରେ ଯେଉଁ ସବୁ କାର୍ଯ୍ୟ କରି ନ ଥିଲେ ତାହା ଗୁଜୁରାଟରେ କରିବା ଦେଖିବାକୁ ମିଳିଥିଲା। ସେ ବିଭିନ୍ନ ହିନ୍ଦୁ ମନ୍ଦିର ଓ ଧର୍ମପୀଠ ଗସ୍ତ କରିବା ସହ ନିଜକୁ ଶିବ ଭକ୍ତ ବୋଲି ଘୋଷଣା କରିଥିଲେ। ଗୁଜୁରାଟର ଜାତି ଭିତ୍ତିକ ଦଳଗୁଡିକ ସହ ମେଣ୍ଟ କରିଥିଲେ । କଂଗ୍ରେସ ଅଧ୍ୟକ୍ଷଙ୍କ ଲାଗି ଫଳାଫଳ ଉତ୍ସାହଜନକ ହୋଇଛି ସତ କିନ୍ତୁ ବିଜୟର ସ୍ୱାଦ ସେ ଚାଖି ପାରି ନାହାନ୍ତି। ଅନ୍ୟପଟେ ଦଳ ହାତରୁ ଖସିଯାଇଛି ହିମାଚଳ ପ୍ରଦେଶ ।

The Indian Express

ହାର୍ଦ୍ଦିକ ପଟେଲ: ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଲାଗି ଗୁଜୁରାଟ ବିଧାନସଭା ନିର୍ବାଚନ ବେଶ ସଫଳ ପ୍ରମାଣିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ରାତାରାତି ଜଣେ ଜାତୀୟ ବ୍ୟକ୍ତିତ୍ୱ ବନିଯାଇଛନ୍ତି । ମାତ୍ର ୨୪ ବର୍ଷ ବୟସରେ ହାର୍ଦ୍ଦିକ ପାଲଟି ଯାଇଛନ୍ତି ଜାତୀୟ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଚେହେରା । ସେ ବିଜେପି ହାତରୁ ଖସାଇ ନେଇଛନ୍ତି ଦୀର୍ଘ ବର୍ଷ ଧରି ନିଷ୍ଠାବାନ ଥିବା ପଟିଦାର ସମୁଦାୟକୁ । ଏହି ସମୁଦାୟର ଯୁବ ବର୍ଗକୁ ସେ ବିଜେପି ଠାରୁ ଖସାଇ ନିଜ କବ୍‌ଜାକୁ ନେବାର ସଫଳ ହୋଇଛନ୍ତି । ବାରମ୍ବାର ହାର୍ଦ୍ଦିକଙ୍କର ଅଶାଳୀନ ଭିଡିଓ ବଜାରକୁ ଆସିବା ସତ୍ତ୍ୱେ ସେ ସଂପୂର୍ଣ୍ଣ ବଦନାମ୍‌ ହୋଇନାହାନ୍ତି । ଗୁଜୁରାଟ ନିର୍ବାଚନ ହାର୍ଦ୍ଦିକଙ୍କ ଅଭ୍ୟୁଦୟ କରାଇଛି ।

ସମ୍ବନ୍ଧିତ ଖବର