ଗୁଜରାଟ ବିଧାନସଭା ନିର୍ବାଚନ: ୪୫୬ ପ୍ରାର୍ଥୀ କୋଟିପତି, ବିଜେପିର ଜୟନ୍ତୀ ପଟେଲ ସବୁଠୁ ଧନୀ ପ୍ରାର୍ଥୀ

ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ଡିସେମ୍ବର ୧ରେ ଭୋଟ୍‌

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ୁଥିବା ମୋଟ୍‌ ୧୬୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୫୬ ଜଣ ତଥା ୨୮ ପ୍ରତିଶତ ପ୍ରାର୍ଥୀ କୋଟିପତି। ଏଡିଆର ରିପୋର୍ଟ ଅନୁଯାୟୀ ଏହି କୋଟିପତି ପ୍ରାର୍ଥୀଙ୍କ ତାଲିକାରେ ବିଜେପି ‌ଶୀର୍ଷରେ ଅଛି। ବିଜେପିର ମୋଟ୍‌ ୧୫୪ ପ୍ରାର୍ଥୀ କୋଟିପତି, କଂଗ୍ରେସର ୧୪୨ ଏବଂ ଆପ୍‌ର ୬୮ ପ୍ରାର୍ଥୀ କୋଟିପତି। ଏଡିଆର ରିପୋର୍ଟ ଅନୁଯାୟୀ ପ୍ରାର୍ଥୀମାନଙ୍କର ହାରାହାରି ସମ୍ପତ୍ତିର ମୂଲ୍ୟ ୨.୫୬ କୋଟି। ଗାନ୍ଧୀନଗରର ମାନ୍‌ସା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପିର ଜୟନ୍ତୀ ପଟେଲ ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୬୬୧ କୋଟି ଟଙ୍କା ବୋଲି ସେ ଘୋଷଣା କରିଥିବା‌‌ ବେଳେ ବିଜେପିର ବଳବନ୍ତ ରାଜପୁତଙ୍କ ସମ୍ପତ୍ତିର ମୂଲ୍ୟ ୩୭୨ କୋଟି ଏବଂ ଆପ୍‌ ପ୍ରାର୍ଥୀ ଅଜିତସିଂହ ଠାକୁରଙ୍କ ସମ୍ପତ୍ତିର ମୂଲ୍ୟ ୩୪୨ କୋଟି। ପ୍ରଥମ ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୧ ଜଣ କୋଟିପତି ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୮୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୫ ଜଣ କୋଟିପତି। ନିର୍ବାଚନ ଲଢ଼ୁଥିବା ୬ ପ୍ରାର୍ଥୀଙ୍କର କିଛି ସମ୍ପତ୍ତି ନାହିଁ। ଅନ୍ୟପକ୍ଷେ ଅନ୍ୟ ୬ ଜଣ ସେମାନଙ୍କର ୧୦ ହଜାରରୁ କମ୍‌ ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ଡିସେମ୍ବର ୧ରେ ଭୋଟ୍‌

ଅହମଦାବାଦ: ଗୁଜରା‌ଟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟା‌ୟରେ ୮୯ ଆସନରେ ଭୋଟ୍‌ ଗ୍ରହଣ ହେବ। ଦକ୍ଷିଣ ଗୁଜରାଟ,କଚ୍ଛ-ସୌରାଷ୍ଟ୍ରର ମୋଟ୍‌ ୧୯ ଜିଲ୍ଲାର ୮୯ ଆସନ ପାଇଁ ୭୮୮ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ନିର୍ବାଚନ କମିସନ୍‌ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍‌ ୨,୩୯,୭୬,୬୭୦ ଭୋଟର ପଂଜିକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧,୨୪,୩୩,୩୬୨ ପୁରୁଷ ଥିବାବେଳେ ୧,୧୫,୪୨,୮୧୧ ଜଣ ମହିଳା ଏବଂ ୪୯୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଗୁଜରାଟରେ ମୋଟ୍‌ ୪,୯୧,୩୫,୪୦୦ ପଂଜିକୃତ ଭୋଟର ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫,୪୩୪ ଭୋଟିଂ ବୁଥ୍‌ରେ ଭୋଟ୍‌ ଗ୍ରହଣ ହେବ।

ଗୁଜରାଟରେ ପାରମ୍ପରିକ ଭାବେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ବିପାକ୍ଷିକ ଲଢ଼େଇ ହୋଇଥାଏ। ଚଳିତ ଥର ଆପ୍‌ ନିର୍ବାଚନ ମଇଦାନରେ ପ୍ରବେଶ କରିଛି। ଆପ୍‌ ଗୁଜରାଟରେ ୧୮୨ ଆସନରୁ ୧୮୧ ଆସନରେ ପ୍ରାର୍ଥୀ ଦେଇଛି। ୨୭ ବର୍ଷ ଧରି ଗୁଜରାଟ‌ରେ କ୍ଷମତାରେ ଥିବ‌ା ବିଜେପି ଚଳିତ ଥର ମଧ୍ୟ କ୍ଷମତାକୁ ଫେରିବାପାଇଁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ଆଶାୟୀ ରହିଛି। ପଂଜାବରେ ନିର୍ବାଚନ ଜିତିଥିବା ଆପ୍‌ ଗୁଜରାଟରେ ଚଳିତ ଥର ୯୦ରୁ ଅଧିକ ଆସନରେ ଜିତିବ ବୋଲି ଦୃଢ଼ୋକ୍ତି ବାଢ଼ିଛି।

ସମ୍ବନ୍ଧିତ ଖବର