ଗୁଜରାଟ ବିଧାନସଭା ନିର୍ବାଚନ: ଇସ୍ତାହାର ଜାରିକଲା ବିଜେପି

୧୦ ଲକ୍ଷ ନିଯୁକ୍ତି, ସମାନ ନାଗରିକ ସଂହିତା ଲାଗୁ ପ୍ରତିଶ୍ରୁତି, କେଜିରୁ ପିଜି ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା

ନୂଆଦିଲ୍ଲୀ : ଦୀର୍ଘ ୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଗୁଜରାଟରେ କ୍ଷମତାରେ ଥିବା ବିଜେପି ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ବିଜେପିର ଇସ୍ତାହାରରେ ୪୦ଟି ପ୍ରତିଶ୍ରୁତି ଦିଆଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏବଂ ରାଜ୍ୟ ବିଜେପି ସଭାପତି ସିଆର ପାଟିଲ ଆଜି ବିଜେପିର ଇସ୍ତାହାର ଜାରି କରିଛନ୍ତି। ବିଜେପି ବେକାର ଯୁବକଙ୍କ ପାଇଁ ୨୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଇଛି । ‘ସଂକଳ୍ପ ପତ୍ର’ ଅଧୀନରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିବ ବୋଲି ବିଜେପି କହିଛି।

ଗୁଜରାଟ ସମାନ ନାଗରିକ ସଂହିତା କମିଟିର ସୁପାରିସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ଇସ୍ତାହାର ଜାରି କରି ନଡ୍ଡା କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ମହିଳାଙ୍କ ପାଇଁ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାପାଇଁ ରାଜ୍ୟରେ ସ୍ବତନ୍ତ୍ର ପ୍ରକୋଷ୍ଠ ସ୍ଥାପନ ହେବ । କିଣ୍ଡରଗାର୍ଟେନରୁ ପିଜି ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ସେହିପରି କଲେଜରେ ପଢ଼ୁଥିବା ମେଧା ଛାତ୍ରୀଙ୍କୁ ଦୁଇ ଚକିଆ ଯାନ ଦେବା ସହ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ବସ୍‌ ସେବା ପ୍ରଦାନ କରାଯିବ।

୨୦ ହଜାର ସରକାରୀ ସ୍କୁଲ୍‌କୁ ବିଜେପି ଆସନ୍ତା ୫ ବର୍ଷ ମଧ୍ୟରେ ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ପ୍ରକଳ୍ପ ପାଇଁ ୧୦ ହଜାର କୋଟି ବଜେଟ୍‌ ଧାର୍ଯ୍ୟ ହୋଇଛି। ରାଜ୍ୟରେ ଆଦିବାସୀଙ୍କ ପାଇଁ ବିଜେପି ଘରେ ଘରେ ରାସନ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ବିଜେପି ଆୟୁଷ୍ମାନ ଭାରତ ଯୋଜନାରେ ବାର୍ଷିକ ଖର୍ଚ୍ଚ ସୀମା ୫ ଲକ୍ଷ ବଦଳରେ ୧୦ ଲକ୍ଷ କରିବାକୁ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର