୨୭ବର୍ଷରେ ନିର୍ବାଚନ ଜିତିପାରିଲେ ନାହିଁ, ନାଁ ବଦଳାଇବେ; କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ କହିଲେ ଓୱେସୀ

ଅହମଦାବାଦ: ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ‘ନିର୍ବାଚନୀ ଇସ୍ତାହାର’ ଉନ୍ମୋଚନ କରିଥିଲେ। ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଚାଲିଥିବା ନିର୍ବିଚାର ଘରୋଇକରଣକୁ କଂଗ୍ରେସ ବନ୍ଦ କରିବ ବୋଲି ଉକ୍ତ ଇସ୍ତାହାରରେ ଉଲ୍ଲେଖ କରାଯାଇଥିଲା। ଏହା ସହ କଂଗ୍ରେସ ଜିତିଲେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାଁ ବଦଳା ଯାଇ ପୁଣି ଥରେ ସର୍ଦ୍ଦାର ପଟେଲ ଷ୍ଟାଡିୟମ କରିଦିଆଯିବ ବୋଲି କହିଥିଲା କଂଗ୍ରେସ।

କଂଗ୍ରେସର ଏଭଳି ପ୍ରତିଶ୍ରୁତିକୁ ସମାଲୋଚନା କରି ଏବେ ଏଆଇଏମଆଇ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଦଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ୨୭ବର୍ଷ ହେଲାଣି ଗୁଜରାଟରେ ନିର୍ବାଚନ ​​ଜିତିବାରେ ସକ୍ଷମ ହୋଇ ନାହିଁ। ତାଙ୍କର ଗୋଟିଏ ବି ସାଂସଦ ଗୁଜରାଟରେ ନାହାନ୍ତି। ଏଭଳି ସମୟରେ ଗୁଜରାଟବାସୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରିବର୍ତ୍ତେ ଷ୍ଟାଡିୟମର ନାଁ ବଦଳାଇବା କଥା କହୁଛି କଂଗ୍ରେସ।

ଅନ୍ୟପକ୍ଷରେ ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରି ଗାଳି ଦେବା ପ୍ରସଙ୍ଗ ଉଠାଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଓୱେସୀ। ପ୍ରଧାନମନ୍ତ୍ରୀ ତେଲେଙ୍ଗାନାରେ ପହଞ୍ଚି କହିଥିଲେ ଯେ, “ଏତେ କାମ କରି ମୁଁ ଥକୁନାହିଁ କି ବୋଲି ଲୋକେ ମୋତେ ପ୍ରଶ୍ନ କରନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ମୁଁ ଥକେ ନାହିଁ। କାରଣ ପ୍ରତିଦିନ ମୋତେ ୨-୩କିଲୋ ଗାଳି ଶୁଣିବାକୁ ମିଳେ। ଏହି ଗାଳି ମୋ ଶରୀର ଭିତରକୁ ଯାଇ ପୋଷଣ ଯୋଗାଇଥାଏ। ଭଗବାନ ମୋତେ ଗାଳିକୁ ପୋଷଣରେ ପରିଣତ କରିପାରିବାର ଆଶୀର୍ବାଦ ଦେଇଛନ୍ତି। ମୁଁ କହିଦେବାକୁ ଚାହଁ ଯେ, ମୋଦୀଙ୍କୁ ଗାଳି କର, ବିଜେପିକୁ ଗାଳି କର… କିନ୍ତୁ ଯଦି କେହି ତେଲେଙ୍ଗାନାର ଲୋକଙ୍କୁ ଗାଳି କରିବ ତେବେ ତାଙ୍କୁ ଏଥିପାଇଁ ଭାରୀ ମୂଲ୍ୟ ଦେବାକୁ ହେବ। ”

ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଓୱେସୀ କହିଛନ୍ତି ଯେ, ତାଙ୍କୁ ଗାଳି ଦେବାର ସାହସ କାହା ପାଖରେ ନାହିଁ।

ସମ୍ବନ୍ଧିତ ଖବର