ଗୁଜରାଟ ବିଧାନସଭା ନିର୍ବାଚନ: କଂଗ୍ରେସର ବଡ଼ ବିପର୍ଯ୍ୟୟ ପଛର କାରଣ କ’ଣ? ୧୪୯ ରୁ ୧୭

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ଅତି ଦୟନୀୟ ଭାବେ କମିଯାଇଛି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ କଂଗ୍ରେସ ମାତ୍ର ୧୭ଟି ଆସନରେ ବିଜୟୀ ହୋଇଛି। ଦୀର୍ଘ ୨୭ ବର୍ଷ ପରେ କଂଗ୍ରେସ ଗୁଜରାଟ‌‌ରେ ପରିବର୍ତ୍ତନ ଦେଖିବ ବୋଲି ଆଶା କରିଥିଲା। କିନ୍ତୁ ଗତକାଲିର ଫଳାଫଳ କଂଗ୍ରେସ କର୍ମୀଙ୍କୁ ହତୋତ୍ସାହ କରିଦେଇଛି ଏବଂ ସେମାନଙ୍କ ମନୋବଳ ମଧ୍ୟ ଭାଙ୍ଗିଯାଇଛି।

୧୯୮୫ରେ କଂଗ୍ରେସ ବରିଷ୍ଠ ନେତା ମାଧବସିଂହ ସୋଲାଙ୍କିଙ୍କ ନେତୃତ୍ବରେ ୧୪୯ ଆସନରେ ବିଜୟୀ ହୋଇଥିଲା। କିନ୍ତୁ ଚଳିତ ଥର ଦଳକୁ ମାତ୍ର ୧୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଏହାଦ୍ବାରା କଂଗ୍ରେସ ଗୁଜରାଟରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ବି ହରାଇ ଦେବ। ପ୍ରମୁଖ ବିରୋଧୀ ଦଳ ହେବାପାଇଁ ୧୦ ପ୍ରତିଶତ ‌ଭୋଟ୍‌ ଏବଂ ୧୮ ଆସନରେ ଜିତିବା ଆବଶ୍ୟକ। ତେବେ ଗୁଜରାଟରେ କଂଗ୍ରେସର ଏଭଳି ଲଜ୍ଜାଜନକ ପ୍ରଦର୍ଶନ ପଛର କାରଣ କ’ଣ। ଅନେକ ଏହାକୁ ରାହୁଲ ଗାନ୍ଧି ୨୦୧୯ରେ କଂଗ୍ରେସ ସଭାପତି ପଦ ଛାଡ଼ିବା ସହ ଯୋଡ଼ିଛନ୍ତି। ୨୦୧୯ରେ ରାହୁଲ କଂଗ୍ରେସ ସଭାପତି ପଦ ଛାଡ଼ିବା ସହ ଲକ୍ଷ୍ୟହୀନ ହୋଇ କାମ କରିବା ଫଳରେ ପ୍ରତିଦ୍ବନ୍ଦ୍ବୀ ବିଜେପି ଏହି ସୁଯୋଗ ନେଇ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଯଦିଓ ଜଣେ ଅଣଗାନ୍ଧି ଏବେ କଂଗ୍ରେସ ସଭାପତି ହୋଇଛନ୍ତି ଏବଂ ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରାରେ ଅଛନ୍ତି ତଥାପି ଦଳ ଗତ ୨ ବର୍ଷ ମଧ୍ୟରେ ଯେଉଁ କ୍ଷତି ସହିଛି ତାହା ଏତେ ଶୀଘ୍ର ପୂରଣ ହେବାଭଳି ଲାଗୁନାହିଁ। କେରଳ, ଉତ୍ତରାଖଣ୍ଡ, ଆସାମ ଏବଂ ଗୋଆରେ ହାରିବାପରେ କଂଗ୍ରେସ ଗୁଜରାଟରେ ହାରିଛି। ଆଗକୁ ରାଜସ୍ଥାନ, ହରିୟାଣା ଏବଂ କର୍ଣ୍ଣାଟକରେ ନିର୍ବାଚନ ଅଛି। ଆପ୍‌ ଏବେ କଂଗ୍ରେସ ପାଇଁ ନୂଆ ଚ୍ୟାଲେଂଜ ହୋଇଛି। ‌ପଂଜାବରେ ଆପ୍‌ଠାରୁ ଶୋଚନୀୟ ଭାବେ ହାରିବାପରେ ସେଠାରେ ମଧ୍ୟ ଏବେ ଦଳର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାହୁଲ ମାତ୍ର ଥରେ ନିର୍ବାଚନ ପ୍ରଚାର କରିଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ଆପ୍‌ ବିପୁଳ ଫାଇଦା ନେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର