ଗୁଜରାଟ: ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩୮ ବିଧାୟକଙ୍କୁ ମିଳିଲାନି ଟିକେଟ

ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାନୀ ଏବଂ ୫ ମନ୍ତ୍ରୀ ତାଲିକାରୁ ବାଦ୍‌ ପଡ଼ିଲେ

ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୬୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ୨ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବି‌ଜେପି ୮୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ୭୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମନସୁଖ ମାଣ୍ଡଭୀୟ ଆଜି ଗୁଜରାଟ ବିଜେପି ସଭାପତି ସିଆର ପାଟିଲଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ୧୪ ମହିଳା ଅଛନ୍ତି ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀରୁ ଯଥାକ୍ରମେ ୧୩ ଏବଂ ୧୪ ସଦସ୍ୟ ଅଛନ୍ତି। ଯାଦବ କହିଛନ୍ତି, ତାଲିକାରେ ବର୍ତ୍ତମାନର ୬୯ ବିଧାୟକ ଅଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସମେତ ଆହୁରି ଅନେକ ବରିଷ୍ଠ ନେତାଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ଚଳିତ ବିଧାନସଭାରୁ ୩୮ ବିଜେପି ବିଧାୟକଙ୍କୁ ଟିକେଟ ଦିଆଯାଇନାହିଁ। ମୋର୍ବି ବିଧାୟକ ତଥା ମନ୍ତ୍ରୀ ବ୍ରିଜେଶ ମେର୍ଜାଙ୍କ ନାମ ମଧ୍ୟ ଏହି ତାଲିକାରେ ନାହିଁ। ଗୁଜରାଟ ବିଧାନସଭା ବାଚସ୍ପତି ନିମାବେନ ଆଚାର୍ଯ୍ୟଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିନାହିଁ। ସେହିପରି ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ, ପ୍ରଦୀପ ପାରମର, ଅରବିନ୍ଦ ରୟାନି ଏବଂ ଆର୍‌ସି ମକୱାନାଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବିଜେପିର ପ୍ରାର୍ଥୀ ତାଲିକା ଚୂଡ଼‌ାନ୍ତ କରିବାପାଇଁ ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର