କିଛି ଲୋକ ଜାଣିଶୁଣି ପୋଲ ହଲାଇବାରୁ ଆମେ ଆଗକୁ ଗଲୁ ନାହିଁ: ଗୁଜରାଟ ଝୁଲାପୋଲ ଦୁର୍ଘଟଣାରୁ ବର୍ତ୍ତିଥିବା ପରିବାର

ନୂଆଦିଲ୍ଲୀ: କିଛି ଲୋକ ଜାଣିଶୁଣି ପୋଲ ହଲାଇବାରୁ ଆମେ ଆଗକୁ ଗଲୁ ନାହିଁ। ଗୁଜରାଟ ଝୁଲାପୋଲ ଦୁର୍ଘଟଣାରୁ ବର୍ତ୍ତିଥିବା ପରିବାର ଆଜି ଏଭଳି କହିଛନ୍ତି। ରବିବାର ସନ୍ଧ୍ୟାରେ ମୋର୍‌ବୀରେ ପ୍ରବାହିତ ମଚ୍ଛୂନଦୀ‌ ଉପରେ ଲାଗିଥିବା ଝୁଲାପୋଲ ଛିଡ଼ି ପଡ଼ିବା ପରେ ଏପର୍ଯ୍ୟନ୍ତ ୧୪୧ଜଣଙ୍କର ମୃତ୍ୟୁ ହୋଇସାରିଛି। ଦୁର୍ଘଟଣା ଘଟିବା ପରଠାରୁ କ୍ରମାଗତଭାବେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ପ୍ରାୟ ୫୦୦ଲୋକ ଦୁର୍ଘଟଣା ଘଟିବା ସମୟରେ ପୋଲ ଉପରେ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଏମଧ୍ୟରେ ଦୁର୍ଘଟଣାରରୁ ଅଳ୍ପକେ ବର୍ତ୍ତିଥିବା ଜଣେ ପରିବାର ଘଟଣା ବିଷୟ‌ରେ ଜଣାଇଛନ୍ତି।

ଅହମଦାବାଦ ବାସିନ୍ଦା ବିଜୟ ଗୋସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟ ରବିବାର ଅପରାହ୍ନରେ ଝୁଲାପୋଲ ପହଞ୍ଚିଥିଲେ। କିନ୍ତୁ ଭିଡ଼ ଭିତରୁ କିଛି ଲୋକ ଏହାକୁ ହଲାଇବା ଆରମ୍ଭ କରିବାରୁ ସେ ଭୟଭୀତ ହୋଇ ଅଧା ରାସ୍ତାରୁ ଫେରିଆସିଥିଲେ। ଏହାର ଚାରି ଘଣ୍ଟା ପରେ ବିଜୟ ଗୋସ୍ୱାମୀଙ୍କ ଭୟ ସତ ହେଲା ହେଲା ଯେତେବେଳେ ପର୍ଯ୍ୟଟକମାନେ ଯାଉଥିବା ଝୁଲାପୋଲଟି ସନ୍ଧ୍ୟା ୬.୩୦ରେ ଭୁଶୁଡି ପଡିଥିଲା। ବିଜୟ ଗୋସ୍ୱାମୀଙ୍କ କହିବା ମୁତାବକ, କିଛି ଲୋକ ଝୁଲାପୋଲକୁ ଜୋରରେ ହଲାଉଥିବା ନେଇ ମୁଁ ପୋଲ କର୍ମଚାରୀଙ୍କୁ ଜଣାଇଥିଲି, ହେଲେ ସେ କିଛି କରିନଥିଲେ। ଏହାର କିିଛି ଘଣ୍ଟା ପରେ ଦୁର୍ଘଟଣା ଘଟିଯାଇଥିଲା।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରାଜକୋଟର ‘ବିଜେପି’ ସାଂସଦ ମୋହନଭାଇ କଲ୍ୟାଣଜୀ କୁଣ୍ଡରିୟାଙ୍କ ପରିବାରର ୧୨ଜଣ ସଦସ୍ୟ ଅଛନ୍ତି। ଗଣମାଧ୍ୟମକୁ ମୋହନଭାଇ କଲ୍ୟାଣଜୀ କୁଣ୍ଡରିୟା କହିଛନ୍ତି, ଏହି ଅଘଟଣରେ ୫ଜଣ ପିଲାଙ୍କ ସମେତ ମୁଁ ମୋ ପରିବାରର ୧୨ଜଣ ସଦସ୍ୟଙ୍କୁ ହରାଇଛି। ମୋ ଭଉଣୀର ପରିବାରରୁ ଆସିଥିବା ସଦସ୍ୟମା‌ନଙ୍କୁ ମଧ୍ୟ ମୁଁ ହରାଇଛି।

ସମ୍ବନ୍ଧିତ ଖବର