ନୂଆଦିଲ୍ଲୀ‌: ରବିବାର ସନ୍ଧ୍ୟାରେ ଗୁଜରାଟର ମୋର୍ବୀରେ ଝୁଲାପୋଲ ଭୁଶୁଡିବାରୁ ଏପର୍ଯ୍ୟନ୍ତ ୧୪୧ଜଣକର ମୃତ୍ୟୁ ହୋଇଛି। ଏହି ଛାତିଥରା ଘଟଣା ପରେ ପୋଲର ମରାମତି କରିଥିବା କମ୍ପାନି ଓରେଭାର ୨ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। କମ୍ପାନି ବରିଷ୍ଠ ଅଧିକାରୀ ଏହି ଘଟଣା ପରେ ଫେରାର ଥିବାରୁ ୨ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। କମ୍ପ‌ାନି ପୋଲର ମରାମତି କରିବା ସମୟରେ ଅନେକ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେଇନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisment

ପୁଲିସ୍ ସୂତ୍ର ଅନୁଯାୟୀ, ଓରେଭା ପୌର ପ୍ରଶାସନ ପକ୍ଷରୁ ଫିଟନେସ୍ ସାର୍ଟିଫିକେଟ୍ ନନେଇ ଧାର୍ଯ୍ୟ ସମୟ ପୂର୍ବରୁ ଝୁଲାପୋଲ ଖୋଲିଥିଲେ। ମାର୍ଚ୍ଚରେ ଐତିହାସିକ ଝୁଲାପୋଲର ମରାମତି କାର୍ଯ୍ୟ ପାଇଁ କମ୍ପାନିକୁ ଦାୟିତ୍ବ ଦିଆଯାଇଥିଲା। ୭ମାସ ପରେ, ଅକ୍ଟୋବର ୨୬ରେ ଗୁଜୁରାଟୀ ନୂତନ ବର୍ଷ ପାଳନ କରାଯିବା ସମୟରେ ଏହି ସେତୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ସେତୁକୁ ଅତି କମରେ ୮ରୁ ୧୨ମାସ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କମ୍ପାନି କରିଥିବା ଚୁକ୍ତିନାମାରେ କୁହାଯାଇଥିଲା। ହେଲେ ଚୁକ୍ତିନାମା ଅନୁଯାୟୀ କାମ ନକରି ଏହାକୁ ଧାର୍ଯ୍ୟ ସମୟ ପୂର୍ବରୁ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା। ବ୍ରିଜ ଉପରେ ୧୦୦-୧୫୦ ଲୋକ ଯିବାର କ୍ଷମତା ଥିବା ବେଳେ ଟିକେଟ କମ ଥିବାରୁ ୫୦୦ଲୋକ ବ୍ରିଜ ଉପରେ ଉପସ୍ଥିତ ଥିଲେ। ମରାମତି ଠିକ ଭାବରେ ହୋଇନଥିବାରୁ ଏବଂ ଆବଶ୍ୟକତାଠାରୁ ଅଧିକ ଲୋକ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ୧୪୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣଙ୍କ ପତ୍ତା ମିଳିପାରିନାହିଁ।