ଋତୁସ୍ରାବର ଯାଞ୍ଚ ପାଇଁ ଅନ୍ତର୍ବସ୍ତ୍ର ଖୋଲି ୬୮ ଛାତ୍ରୀଙ୍କୁ ଉଲ୍ଲଗ୍ନ କରାଇଥିବା କଲେଜ ଅଧ୍ୟକ୍ଷାଙ୍କ ସମେତ ୩ ନିଲମ୍ବିତ

ଅହମ୍ମଦାବାଦ: ଭୁଜ୍‌ର ଏକ ମହିଳା ମହାବିଦ୍ୟାଳୟରେ ପଢ଼ୁଥିବା ୬୮ ଜଣ ଛାତ୍ରୀଙ୍କ ମାସିକ ଋତୁସ୍ରାବର ଯାଞ୍ଚ କରିବା ପାଇଁ ସେମାନଙ୍କ ଅନ୍ତର୍ବସ୍ତ୍ର ଖୋଲି ସେମାନଙ୍କୁ ଉଲ୍ଲଗ୍ନ କରାଇବା ଘଟଣାରେ ଆଜି କଲେଜ ଅଧ୍ୟକ୍ଷା ରୀତା ରାନିନ୍‌ଙ୍ଗା, ହଷ୍ଟେଲ ସୁପରିଷଣ୍ଟଣ୍ଡେଣ୍ଟ ରାମିଲାବେନ୍‌ ଓ ପିଅନ ନୈନାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ଏହି ଲଜ୍ଜାଜନକ ଘଟଣା ଜାତୀୟ ମହିଳା କମିଶନଙ୍କ ଦୃଷ୍ଟିକୁ ଆସିବା ପରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରବା ସହ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରି ଘଟଣାର ତଦନ୍ତ କରଥିଲେ ମହିଳା କମିଶନ। ତଦନ୍ତ କାଳରେ ଘଟଣାରେ ସତ୍ୟତା ରହିଥିବା ଜଣା ପଡ଼ିବା ପରେ ମହିଳା କମିଶନଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା ଏବଂ ଘଟଣାର ତଦନ୍ତ ପାଇଁ ପୁଲିସ୍‌ ମଧ୍ୟ ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌ (ଏସ୍‌ଆଇଟି) ଗଠନ କରିଥିଲା।

ଏସ୍‌ଆଇଟି ଏହି ମାମଲାର ପ୍ରାଥମିକ ତଦନ୍ତ ପରେ ଭାରତୀୟ ଦଣ୍ଡବିଧି ଆଇନର ୩୮୪, ୩୫୫ ଓ ୫୦୬ ଦଫାରେ ଏକ ମାମଲା ରୁଜ୍ଜୁ କରି ଏହି ଘଟଣାରେ ଅଭିଯୁକ୍ତ ଥିବା କଲେଜ ଅଧ୍ୟକ୍ଷା ରୀତା ରାନିନ୍‌ଙ୍ଗା, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ରାମିଲାବେନ୍‌ ଓ ପିଅନ ନୈନାଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଆଜି ଏହି ତିନଦି ଜଣଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

The Hindu

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗୁଜୁରାଟ ଭୁଜ୍‌ର କଚ୍ଚ ଜିଲ୍ଲାରେ ଥିବା ଶ୍ରୀ ସହଜାନନ୍ଦ ଗାର୍ଲସ ଇନଷ୍ଟିଚ୍ୟୁଟର ଛାତ୍ରୀ ନିବାସରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ଏହି ଛାତ୍ରୀ ନିବାସରେ ଗୁଜୁରାଟ ଗ୍ରାମାଞ୍ଚଳର ୬୮ ଜଣ ଛାତ୍ରୀ ଅନ୍ତେବାସିନୀ ରୂପେ ରହିବା ସହ କଲେଜରେ ପାଠ ପଢ଼ୁଥିଲେ। ତେବେ, ଏହି ଛାତ୍ରୀ ନିବାସର ତତ୍ୱାବଧାରିକା କଲେଜ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ମହିଳାମାନଙ୍କ ମାସିକ ଋତୁସ୍ରାବ କାଳରେ ଯେଉଁ ସମସ୍ତ ନୀତି ନିୟମ ପଳନର ପରମ୍ପରା ରହିଛି, ତାହାକୁ ଛାତ୍ରୀ ନିବାସରେ ଅନ୍ତେବାସିନୀ ରୂପେ ରହୁଥିବା ୬୮ ଜଣ ଛାତ୍ରୀ ମାନୁ ନାହାନ୍ତି। ସେମାନଙ୍କର ମାସିକ ଋତୁସ୍ରାବ ହୋଇଥିଲେ ମଧ୍ୟ ସେମାନେ ତାହାକୁ ଲୁଚାଇ ପୂଜାଘର ଠାରୁ ଆରମ୍ଭ କରି ରୋଷେଇଶାଳ ପର୍ଯ୍ୟନ୍ତ ସବୁଆଡ଼େ ଚଳପ୍ରଚଳ କରୁଛନ୍ତି।

News Nation

ଛାତ୍ରୀ ନିବାସର ତତ୍ୱାବଧାରିକାଙ୍କ ଠାରୁ ଏହି ଅଭିଯୋଗ ମିଳିବା ପରେ କଲେଜ ପରିଚାଳନା କର୍ତ୍ତୃପକ୍ଷ ଛାତ୍ରୀ ନିବାସର ସମସ୍ତ ୬୮ ଜଣ ଅନ୍ତେବାସିନୀଙ୍କୁ ଡକାଇଥିଲେ। ଏବଂ ଜଣ ଜଣକରି ସମସ୍ତ ଛାତ୍ରୀଙ୍କୁ ସେମାନଙ୍କ ଅନ୍ତର୍ବସ୍ତ ଖୋଲି ସେମାନଙ୍କୁ ଉଲ୍ଲଗ୍ନ କରାଇବା ସହ ଛାତ୍ରୀମାନଙ୍କର ମାସିକ ଋତୁସ୍ରାବର ଯାଞ୍ଚ କରିଥିଲେ। ଏହି ଘଟଣାରେ ଛାତ୍ରୀମାନେ ଗଭୀର ଭାବେ ମାନସିକ ଆଘାତ ପାଇଥିଲେ ଏବଂ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହାକୁ କେନ୍ଦ୍ରକରି ଦେଶବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର