ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଲେ ଗୁଜରାଟ କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌

ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ଗୁଜରାଟ କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା କଥା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି: ଆଜି ମୁଁ ଦୃଢ଼ ଆତ୍ମବିଶ୍ବାସର ସହିତ ପଦରୁ (ଗୁଜରାଟ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ସଭାପତି) ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ। ‌ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବି।

Image Courtesy of India Today

ରାଜ୍ୟରେ ଆଉ ଅଳ୍ପ କେତେ ମାସ ପରେ ବିଧାନସଭା ନିର୍ବାଚନ ଥିବାରୁ ହାର୍ଦ୍ଦିକ ପଟେଲ୍‌ଙ୍କ ଇସ୍ତଫା କଂଗ୍ରେସ ପ୍ରତି ନିଶ୍ଚୟ ଗୋଟାଏ ଶକ୍ତ ଆଘାତ। ବରିଷ୍ଠ ଗୁଜରାଟ କଂଗ୍ରେସ ନେତାମାନେ ତାଙ୍କୁ ଉପେକ୍ଷା କଲେ ‌ବୋଲି ବିଭିନ୍ନ ସୂତ୍ରରୁ ଖବର ମିଳୁଛି।

Image Courtesy of India Today

ଗୁଜରାଟରେ ପଟିଦାର ଆନ୍ଦୋଳନର ପ୍ରତିନିଧିତ୍ବ କରୁଥିବା ହାର୍ଦ୍ଦିକ ପଟେଲ୍‌ଙ୍କ ପ୍ରତି କଂଗ୍ରେସ ଯେଭଳି ଆଚରଣ ପ୍ରଦର୍ଶନ କଲା ସେଥିରେ ସେ ମର୍ମାହତ ବୋଲି ପୂର୍ବରୁ ତାଙ୍କର ନିକଟତମ ବ୍ୟକ୍ତିମାନ‌େ କହୁଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଏପ୍ରିଲ୍‌ ମାସରେ ଅହମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ପଟେଲ୍‌ ଭେଟିଥିଲେ। ତେଣୁ, ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି ଉଡ଼ାଖବର ମିଳୁଥିଲା। କିନ୍ତୁ, ପଟେଲ୍‌ଙ୍କ ନେତୃତ୍ବାଧୀନ ‘ପଟିଦାର ଅନାମତ ଅନ୍ଦୋଳନ ସମିତି’ର ଆନ୍ଦୋଳନ ଯୋଗୁଁ ‘ବିଜେପି’ର ଜଣେ ପ୍ରମୁଖ ନେତାଙ୍କ କ୍ୟାରିୟର୍‌ କ୍ଷତିଗ୍ରସ୍ତ ହୋଇଥିଲା। ସେ ବିରୋଧ କରୁଥିବାରୁ ‘ବିଜେପି’ରେ ଯୋଗ ଦେବା ପଟେଲ୍‌ଙ୍କ ପକ୍ଷରେ ଏତେ ସହଜ ବ୍ୟାପାର ନୁହେଁ।

ସମ୍ବନ୍ଧିତ ଖବର