ଗୁଜରାଟରେ ଶିକ୍ଷା ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ

ଗାନ୍ଧୀନଗର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଗୁଜରାଟ ଗାନ୍ଧୀନଗରଠାରେ ଗୁଜରାଟ ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ତରଫରୁ ଆୟୋଜିତ ଦୁଇଦିନିଆ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କ ଜାତୀୟ ଶିକ୍ଷା ସମ୍ମିଳନୀରେ ଯୋଗ ଦେଇଛନ୍ତି। ବିଦ୍ୟା ସମୀକ୍ଷା କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଶିକ୍ଷାମନ୍ତ୍ରୀ ଏବଂ ଶିକ୍ଷା ବିଭାଗ ସହ ସଂଶ୍ଲିଷ୍ଟ ପ୍ରତିନିଧିମାନେ ସାମିଲ ହୋଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିଙ୍କ ସହ ବିଭିନ୍ନ ଅନୁଷ୍ଠାନ ଓ ଦକ୍ଷତା ଆଧାରିତ ଅନୁଷ୍ଠାନ ପରିଦର୍ଶନ କରିଥିଲେ।

ବିଦ୍ୟା ସମୀକ୍ଷା କେନ୍ଦ୍ର, ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍‌ ଆପ୍ଲିକେସନ୍ ଏବଂ ଜିଓ-ଇନ୍‌ଫର୍ମେଟିକ୍ସ, ନ୍ୟାସନାଲ ଫରେନ୍‌ସିକ୍ ସାଇନ୍ସ ୟୁନିଭର୍ସିଟି ଏବଂ ଅନ୍ତର୍ଜାତୀୟ ଅଟୋମୋବାଇଲ୍ ସେଂଟର ଅଫ୍ ଏକ୍ସଲେନ୍ସ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ରରେ ସଂଶ୍ଳିଷ୍ଟ ସବୁ ବ୍ୟକ୍ତିମାନଙ୍କୁ ବାଲବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଂଚଳିକ ଭାଷାରେ ଗୁଣାତ୍ମକ ଇ-କଂଟେଟ୍ ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଇଥିଲେ। ସେହିପରି ରାଜ୍ୟ ଶିକ୍ଷାମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୁଜରାଟର ବିଦ୍ୟା ସମୀକ୍ଷା କେନ୍ଦ୍ର ଟେକ୍ନୋଲୋଜି ଦ୍ୱାରା ୫୪ ହଜାର ୨୭୩ ବିଦ୍ୟାଳୟକୁ ପରିଚାଳିତ କରୁଛି। ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ବିଦ୍ୟାର୍ଥୀଙ୍କ ତଥ୍ୟଭିତ୍ତିକ ରେକର୍ଡ ଅନୁସାରେ ସ୍କୁଲରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଡିବାର ଉଦ୍ୟମ କରୁଛି। ସେହିପରି ଶିକ୍ଷାଦାନ ଅଭାବକୁ ସମାଧାନ କରିବା ସହ ଛାତ୍ରଛାତ୍ରୀମାନେ ଶିଖୁଥିବା ପାଠପଢାକୁ ଉନ୍ନତ କରିବାରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶବ୍ୟାପୀ ଶିକ୍ଷାକୁ ଉନ୍ନତ କରିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଶିକ୍ଷା ଗ୍ରହଣର ସର୍ବଶ୍ରେଷ୍ଠ ପଦ୍ଧତି ଆପଣାଇବା ଦରକାର। ସର୍ବଶ୍ରେଷ୍ଠ ସୁଶାସନ ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ଶିକ୍ଷାକୁ ଏକତ୍ର କରି ଏକ କର୍ମଶାଳା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁଜରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର