ଅହମଦାବାଦ: ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଡିସେମ୍ବର ୧ ଏବଂ ୫ ତାରିଖରେ ଭୋଟଗ୍ରହଣ ହେବ ଓ ୮ରେ ହିମାଚଳ ସହ ଏକା ସାଙ୍ଗରେ ଫଳ ଘୋଷଣା ହେବ। ତାରିଖ ଘୋଷଣା ପରେ ଏବେ ନିର୍ବାଚନୀ ଉଷ୍ମତା ବଢ଼ିଯାଇଛି। ଏହି ନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଏହି ରାଜ୍ୟରୁ ଆସିଛନ୍ତି। ରାଜ୍ୟରେ ପ୍ରାୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ବିଦଳୀୟ ଲଢ଼େଇ ହୋଇଥାଏ। ଏଥର ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍) ରାଜ୍ୟରେ ପଶି ନିର୍ବାଚନୀ ବାତାବରଣକୁ ଆହୁରି ସରଗରମ କରିଦେଇଛି। ଦୁଇଥର ଦିଲ୍ଲୀରେ ଏବଂ ଚଳିତବର୍ଷ ଆରମ୍ଭରୁ ପଞ୍ଜାବରେ ନିର୍ବାଚନ ଜିତିବା ପରେ ଦଳର ଉଚ୍ଚାକାଂକ୍ଷା ବଢ଼ିଯାଇଛି।
ଗୁଜରାଟରେ ଏପର୍ଯ୍ୟନ୍ତ ମିଳିଥିବା ପ୍ରତିକ୍ରିୟାରୁ ମଧ୍ୟ ଦଳ ଉତ୍ସାହିତ ରହିଛି। କେତେ ଦଶନ୍ଧି ଧରି ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ରହିଆସିଛି। ଏବେ ଆପ୍ ଯଦି ସେହି ଅସନ ନେଇଯାଏ, କଂଗ୍ରେସ ପାଇଁ ତାହା ବହୁତ ବଡ଼ ଝଟ୍କା ହେବ। ଏହାର ପ୍ରଭାବ ୨୦୨୪ ପୂର୍ବରୁ ବିରୋଧୀ ଏକତାର ସ୍ବରୂପ ଉପରେ ମଧ୍ୟ ପଡ଼ିବ। ବର୍ତ୍ତମାନ ଯେତୋଟି ପ୍ରାକ୍-ନିର୍ବାଚନୀ ସର୍ଭେ ହୋଇଛି ସବୁଥିରେ ବିଜେପି ପୁନଶ୍ଚ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାରେ ଜିତିବ ବୋଲି କୁହାଯାଇଛି। କେତେକ ସର୍ଭେରେ କଂଗ୍ରେସ ବଦଳରେ ଆପ୍ ମୁଖ୍ୟ ବିରୋଧୀ ଦଳ ହେବ ବୋଲି ମଧ୍ୟ ଦାବି କରାଯାଇଛି। ତେବେ କିଏ କେତେ ଆସନରେ ଜିତିବ ତାହା ତ ଡିସେମ୍ବର ୮ରେ ଜଣାପଡ଼ିବ। ତା’ ପୂର୍ବରୁ ଜନମତ କ’ଣ କହୁଛି ଆସନ୍ତୁ ଜାଣିନେବା।
କଂଗ୍ରେସର ଅଭିଯୋଗ ନେଇ ଇସିଙ୍କ ଜବାବ, ଆମେ ୧୦୦% ନିରପେକ୍ଷ
ନୂଆଦିଲ୍ଲୀ, ୩/୧୧: ନିର୍ବାଚନ କମିସନ୍ (ଇସି) ଆଜି ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ କଂଗ୍ରେସ ଇସିଙ୍କୁ କଟାକ୍ଷ କରିଥିଲା। ନିର୍ବାଚନ କମିସନ୍ ପକ୍ଷପାତ କରୁଥିବା ଇଙ୍ଗିତ କରି କଂଗ୍ରେସ ଏକ ଟ୍ବିଟ୍ କରିଥିଲା। କଂଗ୍ରେସ କହିଥିଲା, ‘ନିର୍ବାଚନ କମିସନ୍ ଏକ ସ୍ବୟଂଶାସିତ ଅନୁଷ୍ଠାନ। ଏହା ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରନ୍ତି।’ କମିସନ୍ଙ୍କୁ କଟାକ୍ଷ କରି କଂଗ୍ରେସ ଏଭଳି ଟ୍ବିଟ୍ କରିଥିଲା। କେବଳ କଂଗ୍ରେସ ନୁହେଁ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଦାବି କରିଛନ୍ତି ଯେ ନିର୍ବାଚନ କମିସନ୍ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ ପ୍ରଚାର ପାଇଁ ଅଧିକ ସମୟ ଦେବାକୁ ହିମାଚଳ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ପୃଥକ୍ ଭାବେ ଘୋଷଣା କରିଛନ୍ତି। ତେବେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏହାର ଜବାବ ଦେଇ କହିଛନ୍ତି, ଗୁଜରାଟ ନିର୍ବାଚନ ଠିକ୍ ସମୟରେ ହେଉଛି ଏବଂ ଆମେ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ। କିଛି ଲୋକ ନକରାତ୍ମକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କଥାଠାରୁ କାମ ବେଶୀ ଗୁରୁତ୍ବପୂର୍ଣ୍ଣ। ଯେଉଁ ଦଳମାନେ କମିସନ୍ଙ୍କୁ ସମାଲୋଚନା କରିଛନ୍ତି ସେମାନେ ମଧ୍ୟ ଆଶ୍ଚର୍ଯ୍ୟଜନକ ନିର୍ବାଚନ ଫଳ ଦେଖିଛନ୍ତି। ରାଜୀବ କୁମାର କହିଛନ୍ତି, ନିର୍ବାଚନ ଆଚରଣ ବିଧି ୩୮ ଦିନ ରହିବ। ଏହା ସବୁଠୁ କମ୍ ସମୟ। ତେବେ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ କୁମାର କହିଛନ୍ତି, ଗୁଜରାଟ ବିଧାନସଭା କାର୍ଯ୍ୟକାଳ ଫେବ୍ରୁଆରି ୧୮, ୨୦୨୩ରେ ଶେଷ ହେବ। ଏଥିପାଇଁ ବହୁତ ସମୟ ଅଛି। ଭୋଟ୍ ଗଣତି ଏବଂ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ମଧ୍ୟରେ ୭୨ ଦିନର ବ୍ୟବଧାନ ରହିଛି।
ପ୍ରାକ୍-ନିର୍ବାଚନୀ ସର୍ଭେ କ’ଣ କହୁଛି?
ଟାଇମ୍ସ ନାଓ ନବଭାରତ
ଟାଇମ୍ସ ନାଓ ନବଭାରତ-ଇଟିଜିର ଜନମତ ସର୍ଭେ ଅନୁସାରେ ବିଜେପି ଗୁଜରାଟରେ ୧୨୫ରୁ ୧୩୧ଟି ଆସନରେ ଜିତିବ। କଂଗ୍ରେସ ୨୯ରୁ ୩୩ଟି ସିଟ୍ ପାଇବ। ଆମ୍ ଆଦ୍ମୀ ଖାତାରେ ୧୮ରୁ ୨୨ଟି ଆସନ ଆସିପାରେ। ଅନ୍ୟମାନେ ୨ରୁ ୪ଟି ଆସନ ପାଇବା ଆଶା କରାଯାଏ। ତେବେ ଆପ୍ କଂଗ୍ରେସଠାରୁ କମ୍ ଆନ ପାଇଲେ ବି ଭୋଟ ସେୟାରରେ ଉପରେ ରହିବ। ବିଜେପି ୪୮% ଭୋଟ ପାଇଲା ବେଳେ ଆପ୍ ୨୪ % ଓ କଂଗ୍ରେସ ୨୧% ଭୋଟ ପାଇବ।
ଏବିପି-ସିଭୋଟର
ଏବିପି-ସିଭୋଟର ଦ୍ବାରା ଅକ୍ଟୋବର ପ୍ରାରମ୍ଭରେ କରାଯାଇଥିବା ଜନମତ ସର୍ଭେ ଅନୁସାରେ, ଗୁଜରାଟରେ ବିଜେପି ୧୩୫ରୁ ୧୪୩ଟି ସିଟ୍ ପାଇବ। ତେବେ ବିଜେପିର ଭୋଟ ସେୟାର କମିବା ଆଶା କରାଯାଏ। ଭୋଟ ସେୟାରରେ କଂଗ୍ରେସକୁ ଆପ୍ ପଛରେ ପକାଇଦେଇପାରେ। ତେବେ ଆପ୍କୁ ୨ରୁ ଅଧିକ ଆସନ ମିଳି ନ ପାରେ।
ସିଏସ୍ଡିଏସ୍-ଲୋକନୀତି
ଲୋକନୀତି-ସେଣ୍ଟର ଫର ଦ ଷ୍ଟଡି ଅଫ୍ ଡେଭ୍ଲପିଂ ସୋସାଇଟିଜ୍ (ସିଏସ୍ଡିଏସ୍) ଦ୍ବାରା ଗତ ପାଞ୍ଚବର୍ଷରେ ସରକାରଙ୍କ ପ୍ରଦର୍ଶନ ଉପରେ ଗୁଜରାଟ ଜନସାଧାରଣଙ୍କ ରାୟ ମଗାଯାଇଥିଲା। ପ୍ରାୟ ଦୁଇତୃତୀୟାଂଶ ଲୋକ କହିଥିଲେ କି ସେମାନେ ରାଜ୍ୟ ସରକାରଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ (ସମ୍ପୂର୍ଣ୍ଣ ବା ଆଂଶିକ)। ଶେଷ ଏକତୃତୀୟାଂଶ ଅସନ୍ତୁଷ୍ଟ (ସମ୍ପୂର୍ଣ୍ଣ ବା ଆଂଶିକ) ବୋଲି କହିଥିଲେ। ୨୦୧୭ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ସର୍ଭେ ଅପେକ୍ଷା ସରକାରଙ୍କ କାମରେ ସନ୍ତୁଷ୍ଟ ହୋଇଥିବା ଲୋକଙ୍କ ସଂଖ୍ୟାରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ସରକାରଙ୍କ ପ୍ରଦର୍ଶନରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥିବା ଲୋକସଂଖ୍ୟା ୮ ପ୍ରତିଶରୁ ବୃଦ୍ଧି ପାଇ ୩୧ ପ୍ରତିଶତରେ ପହଞ୍ଚିଛି। ପ୍ରତି ୧୦ ଜଣରୁ ୩ ଜଣ ଗୁଜରାଟ ସରକାର ସବୁ ବର୍ଗର ଲୋକଙ୍କ ବିକାଶ କରିଛି ବୋଲି କହିଥିଲେ।
ସିପିଙ୍ଗ କଣ୍ଟେନର ବୁଥ୍ଠାରୁ ଆରମ୍ଭ କରି ଗିର୍ ଜଙ୍ଗଲ ପର୍ଯ୍ୟନ୍ତ
ନୂଆଦିଲ୍ଲୀ: ଚଳିତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅନେକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟର ଏକ ଦ୍ବୀପରେ ଥିବା ଭୋଟରଙ୍କ ଠାରୁ ଆରମ୍ଭ କରି ଗିର୍ ଜଙ୍ଗଲର ଜଣେ ମାତ୍ର ଭୋଟରଙ୍କ ପାଇଁ ବୁଥ୍ ବ୍ୟବସ୍ଥା କରାଯାଇଛି। ଭାରୁଚ ଜିଲ୍ଲାର ଭାଗ୍ରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଲିଆବେଟ ଗ୍ରାମରେ ପ୍ରାୟ ୨୦୦ରୁ ଅଧିକ ଭୋଟରଙ୍କ ପାଇଁ ଏକ ସିପିଂ କଣ୍ଟେନରରେ ବୁଥ୍ ବ୍ୟବସ୍ଥା କରାଯାଇଛି। ଆଲିଆବେଟ ହେଉଛି ଏକ ଦ୍ବୀପ ଗ୍ରାମ। ଏହି ଗ୍ରାମର ଲୋକମାନଙ୍କୁ ଭୋଟ୍ ଦେବାପାଇଁ ଭାରୁର ନିକଟସ୍ଥ ଭୋଟିଂ ବୁଥ୍ରେ ପହଞ୍ଚିବାପାଇଁ ଦୀର୍ଘ ସମୟ ଯାତ୍ରା କରିବାକୁ ପଡ଼ିଥାଏ। ସେହିପରି ଗିର୍ ଜଙ୍ଗଲର ବାନେଜରେ ଜଣେ ମାତ୍ର ଭୋଟରଙ୍କ ପାଇଁ ଭୋଟିଂ ବୁଥ୍ ପ୍ରତିଷ୍ଠା କରାଯିବ। ପୂର୍ବରୁ ମଧ୍ୟ ଗିର୍ ଜଙ୍ଗଲର ଜଣେ ମାତ୍ର ଭୋଟରଙ୍କ ପାଇଁ ଭୋଟିଂ ବୁଥ୍ ପ୍ରତିଷ୍ଠା ହୋଇଛି।