ଗାନ୍ଧୀନଗର : ଚଳିତ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରାୟ ୨୯୦ କୋଟି ଟଙ୍କାର ନଗଦ ରାଶି, ଡ୍ରଗ୍, ମଦ ଓ ମାଗଣା ଉପହାର ଜବତ କରାଯାଇଛି। ଏହା ଗତ ୨୦୧୭ ମସିହା ନିର୍ବାଚନ ସମୟରେ ଜବତ କରାଯାଇଥିବା ପରିମାଣଠାରୁ ୧୦ ଗୁଣା ହେବ। ଗୁଜରାଟରେ ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୫ରେ ହେବ।
ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ସମୟରେ ବିଭିନ୍ନ ସ୍ଥାନରୁ ରେକର୍ଡ ପରିମାଣର ଜବତ କରାଯାଇଛି ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି। ଗୁଜରାଟ ଏଟିଏସ୍ ଟିମ୍ ରାଜ୍ୟରେ ଦୁଇଟି ମେଫେଡ୍ରୋନ୍ ଡ୍ରଗ୍ ତିଆରି କାରଖାନା ଠାବ କରିବା ସହ ୪୭୮ କୋଟି ଟଙ୍କାର ୧୪୩ କେଜି ମେଫେଡ୍ରୋନ୍ (ସିନ୍ଥେଟିକ୍ ଡ୍ରଗ୍) ଜବତ କରିଛି। ଏହି ମାମଲାରେ ନାଦିଆଦ ଓ ବଡ଼ୋଦରାରୁ ୫ ଜଣଙ୍କୁ ଗିରଫ କରାଯିବା ସହ ଏଟିଏସ୍ ଥାନାରେ ମାମଲା ରୁଜୁ କରାଯାଇଛି।
୨୦୧୭ ନିର୍ବାଚନ ସମୟରେ ମୋଟ ୨୭.୨୧ କୋଟି ଟଙ୍କାର ନଗଦ ଟଙ୍କା ଓ ସାମଗ୍ରୀ ଜବତ କରାଯାଇଥିବା ବେଳେ ଚଳିତବର୍ଷ ଗତ ନଭେମ୍ବର ୨୯ ସୁଦ୍ଧା ୨୯୦.୨୪ କୋଟି ଟଙ୍କାର ନଗଦ ରାଶି ଓ ଡ୍ରଗ୍ ଆଦି ଜବତ କରାଯାଇଛି ଯାହା ପୂର୍ବ ତୁଳନାରେ ୧୦.୬୬ ଗୁଣ ଅଧିକ। ଏଥି ମଧ୍ୟରେ ୬୧.୯୬ କୋଟି ଟଙ୍କାର ଡ୍ରଗ୍ ଓ ୧୪.୮୮ କୋଟି ଟଙ୍କାର ୪ ଲକ୍ଷ ଲିଟରରୁ ଊର୍ଦ୍ଧ୍ବ ମଦ ସାମିଲ ଅଛି।