ନୂଆଦିଲ୍ଲୀ : ଗୁଜରାଟରେ ନିର୍ବାଚନ ଦାୟିତ୍ବରେ ଥିବା ଉତ୍ତରପ୍ରଦେଶର ଜଣେ ଆଇଏଏସ ଅଫିସର ଅଭିଷେକ ସିଂହଙ୍କୁ ଆଜି ନିର୍ବାଚନ କମିସନ(ଇସି) ଦାୟିତ୍ବରୁ ହଟାଇ ଦେଇଛନ୍ତି। ଆଇଏଏସ ଅଫିସରଙ୍କ ଇନଷ୍ଟାଗ୍ରାମ ପୋଷ୍ଟ୍ ତାଙ୍କ ଉପରେ ଭାରି ପଡ଼ିଛି। ଅଭିଷେକ ସିଂହ ଗୁଜରାଟ ନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ତେବେ ସେ କେବଳ ପବ୍ଲିସିଟ୍ ଷ୍ଟଣ୍ଟ୍ ପାଇଁ ତାଙ୍କ ପୋଷ୍ଟିଂ ଏବଂ ପଦବିକୁ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବାରୁ ଇସି ତାଙ୍କୁ ଦାୟିତ୍ବରୁ ହଟାଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ ଅଫିସର ଅଭିଷେକ ସିଂହ ଅହମଦାବାଦର ୨ଟି ନିର୍ବାଚନ ମଣ୍ଡଳୀ ବାପୁନଗର ଏବଂ ଅସରୱା ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିଲେ। ସୋସିଆଲ ମିଡିଆରେ ନିଜକୁ ଆଇଏଏସ କହିଥିବା ଅଫିସର ଇନଷ୍ଟାଗ୍ରାମରେ ୨ଟି ଫଟୋ ପୋଷ୍ଟ୍ କରିଥିଲେ। ଗୋଟିଏ ପୋଷ୍ଟ୍ରେ ସେ ନିଜ ଅଫିସ ଗାଡ଼ି ପାଖରେ ଠିଆ ହୋଇଛନ୍ତି ଏବଂ ଏହାର କ୍ୟାପସନ୍ ରହିଛି ‘ଜଏନ୍ଡ ଅବଜରବର ଫର ଗୁଜରାଟ ଇଲେକ୍ସନ୍’ ଅର୍ଥାତ ଗୁଜରାଟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଲି। ଅନ୍ୟ ଏକ ପୋଷ୍ଟ୍ରେ ତାଙ୍କୁ ଅନ୍ୟ ୩ ଜଣ ଅଧିକାରୀଙ୍କ ସହ ଦେଖିବାକୁ ମିଳିଛି। ନିର୍ବାଚନ କମିସନ ଅଭିଷେକଙ୍କ ଏହି କାର୍ଯ୍ୟକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଦାୟିତ୍ବରୁ ହଟାଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଭିଷେକ କୌଣସି ନିର୍ବାଚନ ଡ୍ୟୁଟିରେ ଯୋଗ ଦେଇ ପାରିବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/gujrat-e.jpg)