ଗୁଜୁରାଟ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୪୫% ଭୋଟ୍‌

ଗାନ୍ଧୀନଗର:  ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଅଞ୍ଚଳରେ ଥିବା ମୋଟ ୮୯ଟି ଆସନ ପାଇଁ ଏହି ଭୋଟଗ୍ରହଣ ଚାଲିଛି । ତେବେ କେତେକ ବୁଥରେ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଦେଖାଦେଇଥିବା ତ୍ରୁଟି ଯୋଗୁଁ ଭୋଟଦାନ କିଛି ସମୟ ପାଇଁ ଅଟକି ରହିଥିଲା ।

ମିଳିଥିବା ସର୍ବଶେଷ ସୂଚନା ମୁତାବକ ଅପରାହ୍ନ ୩ଟା ସୁଦ୍ଧା ଭୋଟଦାନ ହାର ପ୍ରାୟ ୪୫ ପ୍ରତିଶତ ରହିଥିଲା । ଆଜି ପ୍ରାୟ ୯୭୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଥିବାବେଳେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି (ରାଜକୋଟ ପଶ୍ଚିମ),କଂଗ୍ରେସ ନେତା ଶକ୍ତିସିଂ ସୋଲାଙ୍କି (ମାଣ୍ଡବୀ), ପରେଶ ଧନାନୀ (ଆମରୋଲୀ)  ।

ତେବେ ବିଭିନ୍ନ ବୁଥରେ ଲାଗିଥିବା ପ୍ରାୟ ୧୦୦ରୁ ଅଧିକ ଭୋଟିଂ ମେସିନ ଖରାପ ହେବା ପରେ ନିର୍ବାଚନ ଆୟୋଗର ଟିମ ସେସବୁ ସ୍ଥାନକୁ ଯାଇ ଆବଶ୍ୟକ ଅନୁଧ୍ୟାନ ଓ ବୈଷୟିକ ସହାୟତା ପ୍ରଦାନ କରିବା ପରେ ମତଦାନ ଆରମ୍ଭ ହୋଇଥିଲା । ନଭସୋରେ ଜିଲ୍ଲାର ଜଳପୋରେ ନିର୍ବାଚନ ମଣ୍ଡଳୀରେ ଭୋଟିଂ ମେସିନ ସହ ଏକ ବ୍ଲୁଟୁଥ ଡିଭାଇସ୍‌ ଲାଗିଥିବା କଂଗ୍ରେସ ପ୍ରାର୍ଥୀ ଅଭିଯୋଗ କରିବା ପରେ ନିର୍ବାଚନ ଆୟୋଗର ଏକ ଟିମ ଉକ୍ତ ବୁଥକୁ ଯାଇ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । କିନ୍ତୁ ବ୍ଲୁଟୁଥ ଲାଗିଥିବା ଅଭିଯୋଗକୁ କମିସନ ଅସ୍ୱୀକାର କରିଛନ୍ତି ।

ତେବେ ଭୋଟିଂ ମେସିନକୁ ଦୋଷ ଦେବା କଂଗ୍ରେସ ଦଳ ପାଇଁ କିଛି ନୂଆ କଥା ନୁହେଁ । ଯେତେବେଳେ ବି ସେମାନେ ପରାଜୟର ସମ୍ମୁଖୀନ ହୁଅନ୍ତି ଇଭିଏମକୁ ଦୋଷ ଦେବା ଆରମ୍ଭ କରନ୍ତି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ।

ସମ୍ବନ୍ଧିତ ଖବର