ଆପକୁ ନେଇ ଥିବା ଲୋକଙ୍କ ଚିନ୍ତାଧାରାକୁ ଦେଖି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛି, ଅପହରଣ କଥା ମିଛ: କଞ୍ଚନ ଜରିୱାଲା

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ବୋଲି କୁହାଯାଉଥିବା ଗୁଜରାଟ ‘ଆପ୍‌’ ପ୍ରାର୍ଥୀ କଞ୍ଚନ ଜରିୱାଲାଙ୍କୁ ଅପହରଣ କରାଯାଇଥିବା ନେଇ ଦାବି କରିଥିଲା ଆପ୍। ଏହା ପରେ ପରେ ସେ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଏହି ଘଟଣାକ୍ରମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ କେଉଁ ଚାପରେ ଜରିୱାଲା ଏଭଳି ନିଷ୍ପତ୍ତି ନେଲେ, ସେନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର କିଛି ଘଣ୍ଟା ପ‌ରେ ଏହାର କାରଣ କହିଛନ୍ତି ଜରିୱାଲା।

ତାଙ୍କ କହିବା ମୁତାବକ, ପ୍ରାର୍ଥୀପତ୍ର ଦାଖଲ କରିବା ପରେ ମୁଁ ଲୋକଙ୍କ ସହ କଥା ହୋଇଥିଲି। ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ମୁଁ ଲୋକଙ୍କ ସହ କଥା ହୋଇ ସେମାନଙ୍କ ମତାମତ ନେଇଥିଲି। ସେମାନେ ମୋତେ ସ୍ପଷ୍ଟ କହିଥିଲେ ଯେ, ସେମାନେ ମୋତେ ସମର୍ଥନ କରିବେ ନାହିଁ କାରଣ ମୁଁ ଆମ୍ ଆଦମୀ ପାର୍ଟିର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଯେତେବେଳେ ମୁଁ ମୋର ସମ୍ପ୍ରଦାୟର ଲୋକଙ୍କ ନିକଟକୁ ଯାଇଥିଲି, ସେମାନେ କହିଥିଲେ ଯେ ଆପ୍ ଏକ ଜାତୀୟ ବିରୋଧୀ ଦଳ। ଏସବୁ ଶୁଣିବା ପରେ ମୁଁ ମାନସିକ ଚାପରେ ଥିଲି। କିଛି ଦିନ ପରେ ମୁଁ ମୋର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ବେଳଠାରୁ କଞ୍ଚନ ଜରିୱାଲା ଓ ତାଙ୍କର ପରିବାର ସଦସ୍ୟଙ୍କର ପତ୍ତା ମିଳୁନାହିଁ ବୋଲି ଆଜି ‘ଆପ୍‌’ ନେତାମାନେ କହିବା ସହିତ ‘ବିଜେପି’ ତାଙ୍କୁ ଅପରହଣ କରି ନେଇଥିବା ଦାବି କରିଥିଲେ। ଗୁଜରାଟ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯିବା ଲାଗି ମଧ୍ୟ ତାଙ୍କ ବାଧ୍ୟ କରାଯାଉଛି ବୋଲି ଅରବିନ୍ଦ କେଜ୍ରିୱାଲ୍‌ ଓ ମନୀଷ ସିସୋଦିଆଙ୍କ ସମତେ ଅନ୍ୟ ‘ଆପ୍‌’ ନେତାମାନେ ଅଭିଯୋଗ କରିଥିଲେ। ହେଲେ ପରେ କଞ୍ଚନ  ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ।

ସମ୍ବନ୍ଧିତ ଖବର