ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିଛି। ଇସୁଦାନ ଗଢ଼ବୀଙ୍କୁ ଖମ୍ବାଲିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ସେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆପ୍ ସ୍ପଷ୍ଟ କରିଛି। ପଞ୍ଜାବରେ ଭଗୱନ୍ତ ମାନଙ୍କୁ ପ୍ରାର୍ଥୀ କରି ରାଜ୍ୟ ହାତେଇବା ପରେ ଏବେ ଗୁଜରାଟରେ ଇସୁଦାନଙ୍କୁ ପ୍ରାର୍ଥୀ କରି ରାଜ୍ୟ ହାତେଇବାକୁ ଉଦ୍ୟମ କରୁଛି ଆପ୍।

Advertisment

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ଟୁଇଟ୍ କରି ଏହି ଘୋଷଣା କରିଛନ୍ତି। କେଜ୍ରିୱାଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ କୃଷକ, ବେରୋଜଗାର ଯୁବକ, ମହିଳା, ବ୍ୟବସାୟୀଙ୍କ ପାଇଁ ବର୍ଷ ବର୍ଷ ଧରି ସ୍ୱର ଉତ୍ତୋଳନ କରିଥିବା ଇସୁଦାନ ଗଢ଼ବୀ ଖମ୍ବାଲିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭଗବାନ କୃଷ୍ଣଙ୍କ ପବିତ୍ର ଭୂମିରୁ ଗୁଜରାଟକୁ ଜଣେ ନୂତନ ତଥା ଉତ୍ତମ ମୁଖ୍ୟମନ୍ତ୍ରୀ ମିଳିବ।

ଅରବିନ୍ଦ କେଜ୍ରିୱାଲଙ୍କ ଏହି ଟ୍ୱିଟର ଜବାବ ଦେଇ ଇସୁଦାନ ଗଢ଼ବୀ ଟ୍ୱିଟ୍ କରିଛନ୍ତି ଯେ, ଆପଣ ଏବଂ ଗୁଜରାଟର ଲୋକମାନେ ମୋ ଉପରେ ବିଶ୍ୱାସ ରଖିଛନ୍ତି, ମୁଁ ନିଶ୍ଚିତ କରୁଛି ଯେ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଗୁଜରାଟର ଲୋକଙ୍କ ସେବା କରିବି।

ତେବେ ରାଜନୀତିରେ ଯୋଗଦେବା ପୂର୍ବରୁ ଇସୁଦାନ ଜଣେ ସାମ୍ବାଦିକ ଥିଲେ। ପ୍ରତିଥର ଭଳି ଗୁଜରାଟର ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଆମ୍ ଆଦମୀ ପାର୍ଟି ଏକ ସର୍ଭେ କରିଥିଲା। ସେହି ସର୍ଭେରେ ରାଜ୍ୟବାସୀ ଗଢ଼ବୀଙ୍କୁ ସର୍ବାଧିକ ଭୋଟ୍ ଦେଇଥିଲେ। ଏହା ପରେ ଆପ୍ ତାଙ୍କୁ ସୁଯୋଗ ଦେଇଥିବା ଜଣାପଡ଼ିଛି। ତେବେ ପଞ୍ଜାବରେ ମାନ କମାଲ କରିବା ଭଳି ଗୁଜରାଟରେ ଇସୁଦାନ କମାଲ କରିପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।