ଗୁଜରାଟ ନିର୍ବାଚନ: ବିଜେପିର ଲଗାତାର ସପ୍ତମ ବିଜୟ

ସିପିଏମ୍‌ର ପଶ୍ଚିମବଙ୍ଗ ରେକର୍ଡ ସହ ସମକକ୍ଷ ହେଲା, ୧୯୮୦ରେ ପ୍ରଥମ ନିର୍ବାଚନ ଲଢ଼ି ମାତ୍ର ୯ ଆସନରେ ଜିତିଥିଲା

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ‌ରେ ବିଜେପି ୧୫୦ରୁ ଅଧିକ ଆସନ ଜିତି ନୂଆ ଇତିହାସ ସୃଷ୍ଟି କରିବା ସହ ଲଗାତାର ସପ୍ତମ ବିଜୟ ହାସଲ କରିଛି। ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ଥିବା ବିଜେପି ୧୯୮୦ରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲା। ପ୍ରଥମ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୯ଟି ଆସନରେ ଜିତିଥିଲା। ୨୦୨୨ ବିଧାନସଭା ନିର୍ବାଚନକୁ ମିଶାଇଲେ ବି‌ଜେପି ଗୁଜରା‌ଟରେ ମୋଟ୍‌ ୧୦ଟି ବିଧାନସଭା ନିର୍ବାଚନ ଲଢ଼ିଛି। ତେବେ ବିଜେପି ଲଢ଼ିଥିବା ମୋଟ୍‌ ୧୦ଟି ବିଧାନସଭା ନିର୍ବାଚନ ମଧ୍ୟରେ ୧୯୮୦ରେ ଏହାକୁ ସବୁଠାରୁ କମ୍‌ ଆସନ ମିଳିଥିଲା। ଅନ୍ୟପକ୍ଷେ ଚଳିତ ନିର୍ବାଚନରେ ବିଜେପି ସବୁ ରେକର୍ଡ ଭାଙ୍ଗି ଦେଇଛି। ୧୯୮୦ ପରେ ୧୯୮୫‌ରେ ବିଜେପି ଆସନ ସଂଖ୍ୟା ୯ରୁ ୧୧କୁ ବୃଦ୍ଧି ପାଇଲା। ୧୯୯୦ରେ ବିଜେପି ୬୭ଟି ଆସନରେ ଜିତି ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିଲା। ୧୯୯୫ରେ ବିଜେପି ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଜିତିଲା। ୧୯୯୫ରେ ବିଜେପି ୧୨୧ ଆସନରେ ଜିତିଥିଲା। ପ୍ରଥମ ଥର ପାଇଁ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। କେଶୁଭାଇ ପଟେଲ ମାର୍ଚ୍ଚ ୧୯୯୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ୧୯୯୮ରେ ବିଜେପିର ଆସନ ସଂଖ୍ୟା ୧୨୧ରୁ ୧୧୭କୁ କମିଗଲା। ୨୦୦୨ରେ ବିଜେପିର ଆସନ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଲା। କିନ୍ତୁ ଏହାପରେ ଦଳର ଆସନ ସଂଖ୍ୟା ଲଗାତାର ଭାବେ କମିବା ଆରମ୍ଭ କଲା।

୨୦୦୭ ବିଧାନସଭା ନିର୍ବାଚନରେ ବିଜେପି ୧୧୭ ଆସନରେ ଜିତିଥିଲା। ୨୦୦୨ ନିର୍ବାଚନ ତୁଳନାରେ ୨୦୦୭ରେ ବିଜେପିର ୧୦ଟି ଆସନ କମିଯାଇଥିଲା। ଅନ୍ୟପକ୍ଷେ ୨୦୦୨ରେ କଂଗ୍ରେସର ଆସନ ସଂଖ୍ୟା ୫୧ ଥିବାବେଳେ ୨୦୦୭ରେ ଏହା ୫୯କୁ ବୃଦ୍ଧି ପାଇଥିଲା। ୨୦୧୨ରେ ବିଜେପି ୧୧୫ ଆସନରେ ଜିତିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟରେ ଏହା ମୋଦୀଙ୍କର ଶେଷ ନିର୍ବାଚନ ଥିଲା। ତେବେ ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ଏବଂ ଅମିତ ଶାହ ଗୃହମନ୍ତ୍ରୀ ହେବାପରେ ବିଜେପି ୨୦୧୭ରେ ‘ମିସନ୍‌ ୧୫୦’ ଆରମ୍ଭ କରିଥିଲା। ଗୁଜରାଟରେ ୧୫୦ ଆସନରେ ଜିତିବା ଏହାର ଲକ୍ଷ୍ୟ ଥିଲା। କିନ୍ତୁ ୨୦୧୭ରେ ବିଜେପିର ଆସନ ସଂଖ୍ୟା ସାଂଘାତିକ ଭାବେ କମିଗଲା। ବିଜେପି ୯୯ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୭ ଆସନରେ ଜିତିଥିଲା। ଏହାପପରେ ବିଜେପି ପ୍ରଥମେ ଏହାର ସାଂଗଠନିକ ପରିବର୍ତ୍ତନ କରିଥିଲା। ଦଳ ପଟିଦାର ନେତାମାନଙ୍କୁ ଦଳକୁ ଫେରିବାପାଇଁ ‌କ୍ଷେତ୍ର ପ୍ରସ୍ତୁତ କଲା‌।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବି‌ଜେପିର ପ୍ରଥମ ଫୋକସରେ ଥିଲା। ଆଦିବାସୀ ଏବଂ ଗ୍ରାମୀଣ ଅଞ୍ଚଳରେ ସ୍ବତନ୍ତ୍ର ଫୋକସ୍‌ ରଖି ବିଜେପି କାମ ଆରମ୍ଭ କଲା। ମୋଦୀ ଗୁଜରାଟରେ ୩୧ଟି ରୢାଲି କରିବା ସହ ୨ଟି ବଡ଼ ରୋଡ୍‌ସୋ କରିଥିଲେ। କଂଗ୍ରେସ ଚଳିତ ଥର ରାଜ୍ୟରେ ଯେଉଁ ନିରବ ପ୍ରଚାର କରିଛି ତାହା ଭୋଟରଙ୍କୁ ପ୍ରଭାବିତ କରିପାରିନି। ଲଗାତାର ସପ୍ତମ ଥର ପାଇଁ ବିଜେପି ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିଛି। ପୂର୍ବରୁ ଏଭଳି ରେକର୍ଡ କରିଥିବା ଏକମାତ୍ର ଦଳ ହେଉଛି ସିପିଏମ୍‌। ୧୯୭୭ରୁ ୨୦୧୧ ପର୍ଯ୍ୟନ୍ତ ସିପିଏମ୍‌ ଲଗାତାର ୩୪ ବର୍ଷ ପାଇଁ ପଶ୍ଚିମବଙ୍ଗକୁ ଶାସନ କରିଥିଲା।

ସମ୍ବନ୍ଧିତ ଖବର