ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରସ୍ତୁତି ଜୋରଦାର ହୋଇଛି। ବିଜେପି, କଂଗ୍ରେସ ଏବଂ ଗୁଜରାଟରେ ନୂଆ କରି ପ୍ରବେଶ କରିଥିବା ଆପ୍ ଘନ ଘନ ପ୍ରଚାରରେ ମାତିଛନ୍ତି। ଚଳିତ ନିର୍ବାଚନ ବିଜେପି ପାଇଁ ବିଭିନ୍ନ ଦୃଷ୍ଟିକୋଣରୁ ଜଟିଳ ହେବ। ଗୁଜରାଟରେ ଆପ୍ର ପ୍ରବେଶ ଫଳରେ ତ୍ରୀକୋଣୀୟ ଲଢ଼େଇ ହେବ। ଦ୍ବିତୀୟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିଛି ନେତାଙ୍କୁ ଟିକେଟ ଦେବାକୁ ଯାଇ ବିଜେପି ବର୍ତ୍ତମାନର ଅନେକ ବିଧାୟକଙ୍କୁ ଟିକେଟ ଦେଇନାହିଁ। ଏଥିପାଇଁ ଦଳରେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିଛି। ଏହି ଅସନ୍ତୁଷ୍ଟ ନେତା ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦଳର ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାରେ ଲାଗି ପଡ଼ିଛନ୍ତି। ବିଜେପିରୁ ୬ ଥର ବିଧାୟକ ହୋଇଥିବା ମଧୁ ଶ୍ରୀବାସ୍ତବ ବିଜେପି ସହ ୨୫ ବର୍ଷର ସମ୍ପର୍କ ତୁଟାଇ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାପାଇଁ ସ୍ଥିର କରିଛନ୍ତି।
ଟିକେଟ ପାଇନଥିବା ଅନେକ ଅସନ୍ତୁଷ୍ଟ ନେତାଙ୍କୁ ରାଜ୍ୟ ବିଜେପି ମୁଖ୍ୟାଳୟକୁ ଡକାଯାଇଛି। ମିଳିଥିବା
ସୂଚନାନୁଯାୟୀ ଶାହ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି ମଧ୍ୟ ରାଜ୍ୟ ବିଜେପି ମୁଖ୍ୟ ସିଆର ପାଟିଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ପୁରୁଷୋତ୍ତମ ରୁପାଲା, ଭାର୍ଗବ ଭଟ୍ଟ, ପ୍ରଦୀପସିଂହ ବାଘେଲା, ମନସୁଖ ମାଣ୍ଡଭୀୟ ଏବଂ ହର୍ଷ ସଂଘବୀଙ୍କୁ ଏହି କାର୍ଯ୍ୟରେ ଲଗାଇଛି। ୨୦୧୭ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୧୯ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣଙ୍କୁ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କୁ ବିଜେପି ଟିକେଟ ଦେଇଛି। ବିଜେପି ବର୍ତ୍ତମାନର ବିଧାୟକ ଥିବା ୩୮ ଜଣଙ୍କୁ ଟିକେଟ ଦେଇନି। ବିଭିନ୍ନ ସ୍ଥାନରେ ବିଜେପିର ପ୍ରାର୍ଥୀ ଚୟନକୁ ନେଇ ବିଦ୍ରୋହ ହୋଇଛି। କେନ୍ଦ୍ରୀୟ ଗୁଜରାଟର ବୀରମଗାମ, ନାନ୍ଦୋଡ଼, ୱାଘୋଦିଆ, ମଂଜଲପୁର, ପାଦ୍ରା କାର୍ଜନ ଏବଂ ନାରୋନାରେ ଟିକେଟ ନମିଳିବାରୁ ବିଦ୍ରୋହ ହୋଇଛି। ଉତ୍ତର ଗୁଜରାଟରେ ବିଜେପି ଦ୍ବାରା ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ବିଜେପି କର୍ମୀମାନେ ବିରୋଧ କରିଛନ୍ତି।
୬ ଥରର ବିଧାୟକ ସ୍ବାଧୀନ ପ୍ରାର୍ଥୀ ହେବେ
ଅହମଦାବାଦ: ଗୁଜରାଟର ୱାଘୋଦିଆରୁ ବିଜେପି ଟିକେଟରେ ୬ ଥର ନିର୍ବାଚନ ଜିତି ବିଧାୟକ ହୋଇଥିବା ମଧୁଭାଇ ଶ୍ରୀବାସ୍ତବଙ୍କୁ ଚଳିତଥର ଟିକେଟ୍ ମିଳିନି। ତେଣୁ ସେ ଏଥର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମଧୁଭାଇ ଶ୍ରୀବାସ୍ତବ ହେଉଛନ୍ତି ବିଜେପିର ଜଣେ ଟାଣୁଆ ନେତା। କିନ୍ତୁ ଏବେ ସେ ବିଦ୍ରୋହୀ ପାଲଟିଛନ୍ତି। ବିଜେପିର ବରିଷ୍ଠ ନେତାମାନେ ମଧୁଭାଇଙ୍କୁ ଭେଟି ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ସେ କାହାକୁ ଧରାଛୁଆଁ ଦେଉନାହାନ୍ତି। ସେ ସିଧାସଳଖ ଶାହଙ୍କ ସହ କଥା ହେବାକୁ ଚାହିଛନ୍ତି। ଖାଲି ମଧୁଭାଇ ନୁହନ୍ତି ମଧୁଭାଇଙ୍କ ସମେତ ମୋଟ୍ ୬ ନେତା ବିଜେପି ବିରୋଧରେ ବିଦ୍ରୋହ କରିଛନ୍ତି। ଶ୍ରୀବାସ୍ତବ ୧୯୯୫ରେ ବିଜେପିରେ ଯୋଗ ଦେଇଥିଲେ। ସେ ଏବଂ ତାଙ୍କ ପରିବାର ସଦସ୍ୟ ପୂର୍ବରୁ କଂଗ୍ରେସ, ଜନତା ଦଳ ଏବଂ ଅନ୍ୟ ରାଜନୈତିକ ଦଳରେ ଥିଲେ। ମଧୁଭାଇ କହିଛନ୍ତି, ମୁଁ ମନକୁ ମନ ବିଜେପିକୁ ଆସିନି। ୧୯୯୫ରେ ଯେତେବେଳେ ମୁଁ ବିପୁଳ ଭୋଟ୍ରେ ଜିତିଥିଲି ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ମତେ ସେତେବେଳେ ବିଜେପିରେ ଯୋଗ ଦେବାକୁ କହିଥିଲେ। କେବଳ ଏହି କାରଣ ପାଇଁ ମୁଁ ବିଜେପିରେ ଯୋଗ ଦେଇଥିଲି। ଡିସେମ୍ବର ୧ ଏବଂ ୫ରେ ଗୁଜରାଟରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଏବଂ ଡିସେମ୍ବର ୮ରେ ଫଳାଫଳ ଆସିବ।
କଂଗ୍ରେସକୁ ଭୋଟ୍ ଦେଇ ନଷ୍ଟ କରନା: କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ଗୁଜରାଟ ଭୋଟରଙ୍କୁ ଏକ ସ୍ବତନ୍ତ୍ର ନିବେଦନ କରି କହିଛନ୍ତି କଂଗ୍ରେସକୁ ଭୋଟ୍ ଦେଇ ଭୋଟ୍ ନଷ୍ଟ କରନା। କଂଗ୍ରେସ ବଦଳରେ ଆପ୍କୁ ଭୋଟ୍ ଦିଅ। ଚଳିତ ଥର ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉନି। ବରଂ ତାଙ୍କ ଦଳ ବିଜେପି ସହ ସିଧାସଳଖ ଲଢ଼େଇ କରୁଛି। କେଜ୍ରିୱାଲ ଆଜି ଅହମଦାବାଦରେ ପହଞ୍ଚିବାପରେ ସାମ୍ବାଦିକମାନଙ୍କ ସାମ୍ନାରେ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ କଂଗ୍ରେସ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ମାତ୍ର ୪-୫ଟି ଆସନରେ ଜିତିବ। କଂଗ୍ରେସର ଭୋଟ୍ ପ୍ରତିଶତ ୧୩ ପ୍ରତିଶତକୁ ଖସିଯିବ ଏବଂ ଚଳିତ ଥର ବିଜେପି ଏବଂ ଆପ୍ ମଧ୍ୟରେ ସିଧାସଳଖ ଲଢ଼େଇ ହେବ ବୋଲି କେଜ୍ରିୱାଲ କହିଛନ୍ତି।