ରାଜକୋଟ: ଗୁଜରାଟର ରାଜକୋଟରେ ଶନିବାର ସନ୍ଧ୍ୟାରେ ଏକ ଟିଆର୍ପି ଗେମିଂ ଜୋନ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟି ୯ ଶିଶୁଙ୍କ ସମେତ ୨୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ୨୮ଜଣକ ମଧ୍ୟରେ ଜଣେ ନବବିବାହିତ ଦମ୍ପତ୍ତି ଥିଲେ ବୋଲି ଜଣାପଡ଼ିଛି। ଦମ୍ପତ୍ତିଙ୍କ ସହିତ କନ୍ୟାର ଜଣେ ଭଉଣୀ ମଧ୍ୟ ତାଙ୍କ ସହିତ ଜଳିଯାଇଥିବା ସାମ୍ନାକୁ ଆସିଛି। କୁହାଯାଉଛି ସପ୍ତାହେ ପୂର୍ବରୁ ଦମ୍ପତ୍ତି କୋର୍ଟରେ ବିବାହ କରିଥିଲେ। ବର୍ଷ ଶେଷ ଆଡକୁ ରୀତିନୀତିରେ ବିବାହ କରିବାର ଯୋଜନା ଥିଲା। ହେଲେ ଏହା ପୂର୍ବରୁ ଅଘଟଣ ଘଟିଗଲା। ମୃତକମାନେ ହେଲେ ଅକ୍ଷୟ ଢ଼ୋଲାରିଆ(୨୪), ପତ୍ନୀ ଖ୍ୟାତି(୨୦) ଓ ଶାଳି ହରିତା।
ମିଳିଥିବା ସୂଚନା ମୁତାବକ, କାନାଡାରେ ରହୁଥିବା ଅକ୍ଷୟ ବିବାହ ପାଇଁ ଭାରତ ଆସିଥିଲେ। ସପ୍ତାହେ ପୂର୍ବରୁ ତାଙ୍କର କୋର୍ଟରେ ବିବାହ ହୋଇଥିଲା। ସପ୍ତାହ ଶେଷ ଥିବାରୁ ସମୟ କଟାଇବା ପାଇଁ ୩ଜଣ ଟିଆର୍ପି ଗେମିଂ ଜୋନ୍ ଯାଇଥିଲେ। ହେଲେ ଏହା ସେମାନଙ୍କର ଶେଷ ଦିନ ହେବ ବୋଲି ତାଙ୍କୁ ଜଣାନଥିଲା। ୩ଜଣ ଭିତରେ ଥିବା ବେଳେ ହଠାତ୍ ନିଆଁ ଲାଗିବାରୁ କେହି ବାହାରକୁ ଆସିପାରିନଥିଲେ। ଏହା ଫଳରେ ୩ଜଣକର ମୃତ୍ୟୁ ହୋଇଥିଲା। ଶରୀର ପୋଡ଼ି ଯାଇଥିବାରୁ ଅକ୍ଷୟ ପିନ୍ଧିଥିବା ମୁଦିରୁ ତାଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ଖ୍ୟାତି ଓ ହରିତାଙ୍କ ମୃତଦେହ ଚିହ୍ନଟ ପାଇଁ ଡିଏନଏ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି ଯେ ଫାୟାର କ୍ଲିୟରାନ୍ସ ପାଇଁ ଗେମିଂ ଜୋନ ପାଖରେ ଏନଓସି ନଥିଲା ଏବଂ ଗେମିଂ ଜୋନରେ କେବଳ ଗୋଟାଏ ପ୍ରସ୍ଥାନ ଫାଟକ ଥିଲା। ଏନେଇ ପଚରାଉଚରା କରିବାକୁ ଗେମିଂ ଜୋନର ମାଲିକ ଓ ମ୍ୟାନେଜରଙ୍କୁ ଅଟକ ରଖାଯାଇଥିବା କହିଛି ପୁଲିସ।