ଅହମଦାବାଦର ନାମ କର୍ଣ୍ଣବତୀ ରଖିବାକୁ ଚାହୁଁଛନ୍ତି ଗୁଜରାଟ ସରକାର

ଅହମଦାବାଦ: ଯଦି କୌଣସି ଆଇନ୍‌ଗତ ପ୍ରତିବନ୍ଧକ ନ ଉପୁଜେ ଅହମଦାବାଦର ନାମ ପରିବର୍ତ୍ତନ କରି କର୍ଣ୍ଣବତୀ ରଖିବାକୁ ଗୁଜରାଟ ସରକାର ମଙ୍ଗଳବାର ଦିନ ଇଚ୍ଛା ପ୍ରକାଶ କରିଛନ୍ତି।

ଗାନ୍ଧୀନଗର ଠାରେ ସାମ୍ବାଦିକମାନଙ୍କୁ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍‌ କହିଛନ୍ତି, ଯଦି ଆଇନଗତ ପ୍ରତିବନ୍ଧକ ଏବଂ ଆବଶ୍ୟକ ସମର୍ଥନ ପାଇବେ, ବିଜେପି ସରକାର ଅହମଦାବାଦର ନାମ ପରିବର୍ତ୍ତନ କରିବାକୁ ଆଗ୍ରହୀ।

‘ଓ୍ଵାର୍ଲଡ୍‌ ହେରିଟେଜ୍‌’ ଟ୍ୟାଗ୍‌ ପ୍ରାପ୍ତ ଭାରତର ଏକମାତ୍ର ସହରର ନାମ ପରିବର୍ତ୍ତନ କରିବାକୁ ସରକାର ଚାହାନ୍ତି କି, ବୋଲି ପଚାରାଯିବାରୁ ସେ କହିଛନ୍ତି: ଅହମଦାବାଦର ନାଁ କର୍ଣ୍ଣବତୀ ହେବା ଉଚିତ ବୋଲି ଏବେ ମଧ୍ୟ ଲୋକେ ଅନୁଭବ କରୁଛନ୍ତି। ଯଦି ଆଇନଗତ ପ୍ରତିବନ୍ଧକ ଟପିବାକୁ ଆମେ ଆବଶ୍ୟକ ସମର୍ଥନ ପାଉ, ଆମେ ସହରର ନାମ ପରିବର୍ତ୍ତନ କରିବାକୁ ସଦା ତତ୍ପର ହୋଇ ରହିଛୁ।

୧୧ଶ ଶତାବ୍ଦୀରୁ ଲୋକେ ବସବାସ କରୁଥିବା ଅହମଦାବାଦର ଚାରିପାଖ ଅଞ୍ଚଳକୁ ଅଶଓ୍ଵାଲ୍‌ କୁହାଯାଉଥିଲା।

ଅହ୍ନିଲ୍‌ଓ୍ଵାରାର (ଆଧୁନିକ ପାଟନା) ଚାଲୁକ୍ୟ ଶାସକ କର୍ଣ୍ଣ ଅଶଓ୍ଵାଲ୍‌ର ଭୀଲ୍‌ ରାଜାଙ୍କୁ ଯୁଦ୍ଧ୍ୟରେ ପରାଜିତ କରି ସାବରମତୀ ନଦୀକୂଳରେ କର୍ଣ୍ଣବତୀ ନଗରୀ ସ୍ଥାପନ କରିଥିଲେ।

୧୪୧୧ ମସିହାରେ ସୁଲ୍‌ତାନ୍‌ ଅହମଦ ଶାହା କର୍ଣ୍ଣାବତୀ ନିକଟରେ ଏକ ନୂତନ ପ୍ରାଚିର ଘେରା ନଗରୀ ସ୍ଥାପନ କରି ସେ ଅଞ୍ଚଳର ଅହମଦ୍‌ ନାମରେ ଥିବା ୪ ଜଣ ସନ୍ଥଙ୍କ ନାମାନୁସାରେ ଏହାର ନାମ ଅହମଦାବାଦ ରଖିଥିଲେ।

ଠିକଣା ବେଳରେ ଆମେ ନାମ ପରିବର୍ତ୍ତନ କଥା ଚିନ୍ତା କରିବୁ ବୋଲି ପଟେଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର