ନୂଆଦିଲ୍ଲୀ, ୨୫/୫: ଭାରତରେ କାୟା ବିସ୍ତାର କରିଥିବା କରୋନାର ବିଭିନ୍ନ ପ୍ରଜାତି ମଧ୍ୟରେ ଅଧିକ ପ୍ରାଧାନ୍ୟ ବିସ୍ତାର କରିଛି ବି.୧.୬୧୭ ପ୍ରଜାତି। ବର୍ତ୍ତମାନ ସୁଦ୍ଧା ଜିନୋମ ସିକ୍ବେନ୍ସିଂ ମାଧ୍ୟମରେ ଭାରତରେ ଚିହ୍ନଟ ହୋଇଥିବା ମୋଟ ଚିନ୍ତାଜନକ ପ୍ରଜାତି (ଭାରିଆଣ୍ଟ୍ ଅଫ୍ କନସର୍ନ) କରୋନା ଭୂତାଣୁ ମଧ୍ୟରେ ବି.୧.୬୧୭ ପ୍ରଜାତିର ଅଂଶ ପ୍ରାୟ ୫୫ ପ୍ରତିଶତ। କରୋନା ସ୍ଥିତି ନେଇ ମନ୍ତ୍ରୀଗୋଷ୍ଠୀର ବୈଠକ ପରେ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି।
ସୋମବାର ସକାଳ ସୁଦ୍ଧା ଦେଶରେ ୨୫,୭୩୯ଟି କୋଭିଡ-୧୯ ପଜିଟିଭ ନମୁନାର ସିକ୍ବେନିଂ ଆଇଏନଏସଏସିଓଜି ଦ୍ବାରା କରାଯାଇଛି। ଏଥିରୁ ୯୫୦୮ଟି ନମୁନା ଚିନ୍ତାଜନକ ପ୍ରଜାତି ବୋଲି ଚିହ୍ନଟ ହୋଇଛି। ଉଲ୍ଲେଖଯୋଗ୍ୟ ଭାରତରେ ପ୍ରଥମେ ମହାରାଷ୍ଟ୍ରରେ ବି.୧.୬୧୭ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ଭୂତାଣୁ ଅତିରିକ୍ତ ମାତ୍ରାରେ ସଂକ୍ରମିତ ହେଉଥିଲା। ୫୨୬୧ଟି ନମୁନାରେ ଏହି ପ୍ରଜାତିର ଭୂତାଣୁ ଥିବା ଜଣାପଡ଼ିଛି। ତେଣୁ ବର୍ତ୍ତମାନ ସୁଦ୍ଧା ପରିବର୍ତ୍ତିତ କରୋନା ଭୂତାଣୁ ମଧ୍ୟରେ ଏହା ସବୁଠୁ ଅଧିକ। ମହାରାଷ୍ଟ୍ର ସହିତ ପଞ୍ଜାବ, ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ଦେଖାଦେଉଥିବା ପ୍ରଜାତିର ଭୂତାଣୁ ଗୁଡ଼ିକ ମଧ୍ୟରେ ଅଧିକ ସାମଞ୍ଜସ୍ୟ ରହିଛି। ନିକଟରେ ବ୍ରିଟେନର ସ୍ବାସ୍ଥ୍ୟ ବିଭାଗ କହିଥିଲା ୬.୧.୬୧୭ ପ୍ରଜାତିର କରୋନା ଭୂତାଣୁର ଗୋଟିଏ ଷ୍ଟ୍ରେନ ବିରୋଧରେ ଦୁଇ ଡୋଜ୍ ଟିକା ଆବଶ୍ୟକ। କିନ୍ତୁ ଭାରତର ବିଶେଷଜ୍ଞମାନେ କହିଛନ୍ତି ଯେ, କୋଭିସିଲ୍ଡର ପ୍ରଥମ ଡୋଜ୍ ରୋଗୀର ଶରୀରରେ ପର୍ଯ୍ୟାପ୍ତ ଆଣ୍ଟିବଡି ସୃଷ୍ଟି କରିବାକୁ ସକ୍ଷମ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏହି ଅବସରରେ ଦେଶରେ ମ୍ୟୁକୋର୍ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶର ୧୮ଟି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪୨୪ଟି ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଛି। ଏଥିରୁ ସର୍ବାଧିକ ଗୁଜରାଟ (୨୧୬୫)ରେ ଦେଖାଦେଇଥିବା ବେଳେ ମହାରାଷ୍ଟ୍ରରେ ୧୧୮୮, ଉତ୍ତର ପ୍ରଦେଶରେ ୬୬୩, ମଧ୍ୟପ୍ରଦେଶରେ ୫୧୯, ହରିୟାଣାରେ ୩୩୯ଟି, ଆନ୍ଧ୍ର ପ୍ରଦେଶରେ ୨୪୮ଟି ମାମଲା ବାହାରିଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମନଇଚ୍ଛା ଷ୍ଟେରଏଡ୍ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/564gj564dg564j56dg4jjjjjjjjjjjjjjjjjjjjjjjjjjjjjjjjjjjjjjjjjj.jpg)