ନୂଆଦିଲ୍ଲୀ: ମଙ୍ଗଳବାର (ମାର୍ଚ୍ଚ ୧୧) ଗୁଜୁରାଟର କଚ୍ଛ ଜିଲ୍ଲାରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ଯାହାଫଳରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଗାନ୍ଧୀନଗର ସ୍ଥିତ ଭୂମିକମ୍ପ ଅନୁସନ୍ଧାନ ସଂସ୍ଥା (ଆଇଏସଆର) ଅନୁଯାୟୀ, ପ୍ରଥମ ଭୂମିକମ୍ପ ସକାଳ ୧୧.୧୨ରେ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ଜିଲ୍ଲାର ରାପରରୁ ୧୬କିଲୋମିଟର ଦୂରରେ ଥିବା ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ଥିଲା ।
ଏହି ଭୂମିକମ୍ପର ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ୨.୮ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭଚାଉର ଉତ୍ତର-ଉତ୍ତର-ପୂର୍ବରେ ଅବସ୍ଥିତ ଥିଲା।
ଭୂମିକମ୍ପ ଝଟକା ପରେ ଜିଲ୍ଲା ପ୍ରଶାସନ ସମଗ୍ର ଅଞ୍ଚଳର ବାସିନ୍ଦାଙ୍କୁ ସତର୍କତା ରହିବାକୁ ଚେତାବନୀ ଦେଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଜୀବନ କିମ୍ବା ସମ୍ପତ୍ତି କ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତଥାପି, ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଉକ୍ତ ଅଞ୍ଚଳରେ ପ୍ରଶାସନିକ ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ସକ୍ରିୟ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ କୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଜ୍ଞାନିକଙ୍କ ମତରେ, କଚ୍ଛ ଜିଲ୍ଲା ଭୂକମ୍ପ ଦୃଷ୍ଟିରୁ ସମ୍ବେଦନଶୀଳ। ଯେଉଁ କାରଣରୁ ଏଠାରେ ସମୟ ସମୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥାଏ।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୦୦୧ରେ କଚ୍ଛ ଜିଲ୍ଲାରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ୧୩,୮୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ୧.୬୭ଲକ୍ଷରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।
ଏହି ଭୂମିକମ୍ପ ଯୋଗୁଁ ଜିଲ୍ଲାର ଅନେକ ସହର ଏବଂ ଗାଁରେ ବ୍ୟାପକ ସମ୍ପତ୍ତି କ୍ଷତି ହୋଇଥିଲା। ପ୍ରଶାସନ ଏହି ଅଞ୍ଚଳରେ ଭୂକମ୍ପ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି।