ଗୁଜୁରାଟ: ଗୁଜୁରାଟର ଖେଡା ଜିଲ୍ଲାରେ ପୋଲ ଭାଙ୍ଗି ଯିବା ହେତୁ ଲୋକମାନେ ଓ ଛୋଟପିଲାମାନେ କିପରି ବିପଦପୂର୍ଣ୍ଣ ନଳା ଦେଇ ପାର ହେଉଛନ୍ତି ତାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଖେଡାର ନାଏକା ଓ ଭେରାଇ ଗ୍ରାମକୁ ଯୋଡ଼ୁଥିବା ଏକ ପୋଲ ଦୁଇ ମାସ ହେବ ଭାଙ୍ଗି ଯାଇଛି। ଏଯାବତ୍ ଏହାର ମରାମତି କରା ଯାଇନାହିଁ। ଏମିତିରେ ଗ୍ରାମରୁ ବାହାରକୁ ଯିବାକୁ ହେଲେ ୯ଫୁଟ ଉଚ୍ଚ ବିପଦପୂର୍ଣ୍ଣ ନଳା ଉପର ଦେଇ ଯିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି। ଏହି ନଳା ଛଡ଼ା ଗ୍ରାମ ବାହାରକୁ ଯିବା ପାଇଁ ଲୋକମାନଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ହିଁ ନାହିଁ। କେବଳ ବଡ଼ ଲୋକ ନୁହନ୍ତି, ଛୋଟ ପିଲାମାନେ ବି ଏହି ନଳା ଦେଇ ପ୍ରତିଦିନ ସ୍କୁଲ ଯାଉଥିବା ଦେଖିବାକୁ ମିଳୁଛି।
କାରଣ ପୋଲ ଭାଙ୍ଗି ଯିବା ପରେ ସ୍କୁଲ ଯିବା ପାଇଁ ଅନ୍ୟ କୌଣସି ପାଖ ରାସ୍ତା ନାହିଁ। ଏଥିପାଇଁ ଅଭିଭାବକମାନେ ପ୍ରତିଦିନ ବାଧ୍ୟ ହୋଇ ନିଜ ପିଲାଙ୍କ ହାତ ଧରି ଏହି ନଳା ପାର କରି ସ୍କୁଲରେ ନେଇ ଛାଡିଥାଆନ୍ତି। ଏହି ନଳାପାର କରି ଗ୍ରାମ ବାହାରକୁ ଯିବା ପାଇଁ ଗ୍ରାମବାସୀଙ୍କୁ ଏକଘଣ୍ଟା ସମୟ ଲାଗିଥାଏ। ଯଦି ଏହି ନଳା ବାଟେ ସେମାନେ ନଯିବେ ତେବେ ୧୦କିମି ଦୂର ଅତିକ୍ରମ କଲା ପରେ ଯାଇ ଗ୍ରାମବାସୀ ବାହାରକୁ ଯାଇ ପାରିବେ।
ଗ୍ରାମବାସୀ କହନ୍ତି, ଏହି ପୋଲ ମରାମତି ପାଇଁ ଅନେକ ଥର ସେମାନେ ପ୍ରାଶାସନକୁ କହିଛନ୍ତି। କିନ୍ତୁ ଏଯାବତ୍ କେହି ସେମାନଙ୍କ କଥା ଶୁଣି ନାହାନ୍ତି। ଏହି ଘଟଣାକୁ ନେଇ ପ୍ରାଶାସନ କହୁଛି, ବର୍ଷା ହେତୁ ପୋଲ ମରାମତି କାମ ଆରମ୍ଭ ହୋଇପାରି ନାହିଁ।
ତେବେ ଖେଡା କଲେକ୍ଟର ଆଇକେ ପଟେଲ ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇ କହିଛନ୍ତି ଖୁବ୍ ଶୀଘ୍ର ପୋଲ ମରାମତି କାମ ଆରମ୍ଭ କରି ଦିଆଯିବ।
#WATCH: School children crossing a bridge between Naika & Bherai village of Kheda district. The bridge broke down 2 months ago. #Gujaratpic.twitter.com/7ToM5W783I
— ANI (@ANI) July 11, 2018