ନୂଆଦିଲ୍ଲୀ: ଗୁଜରାଟର ମେହସାଣା ଜିଲ୍ଲା ଜସାଲପୁର ଗ୍ରାମରେ ଶନିବାର  ଏକ ନିର୍ମାଣ ସ୍ଥଳରେ ମାଟି ଧସିବା ଫଳରେ ୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଆଜି ଦ୍ବିପହର ସମୟରେ ଏକ ଫ୍ୟାକ୍ଟ୍ରିର ଭୂମିଗତ ଟ୍ୟାଙ୍କ ପାଇଁ ଗଭୀର ଗାତ ଖୋଳୁଥିବା ସମୟରେ ଘଟିଥିଲା । ମାଟି ଭିତରେ ଏବେ ବି କିଛି ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି।

Advertisment

ପୁଲିସ ଇନ୍ସପେକ୍ଟର ପ୍ରହ୍ଲାଦସିଂହ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ କେହି କିଛି ବୁଝିବା ପୂର୍ବରୁ ମାଟି ଧସି ଯାଇଥିଲା। ମାଟି ତଳେ କାମ କରୁଥିବା ଶ୍ରମିକମାନେ ଜଣକ ପରେ ଜଣେ ଫସି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ୭ ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୩ରୁ ୪ ଜଣ ଶ୍ରମିକ ମାଟି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । 

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ଓ ପୁଲିସ ଟିମ୍  ପହଞ୍ଚି ଯୁଦ୍ଧକାଳିନଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।   ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା କରିବା ସହିତ ନିର୍ମାଣ ସ୍ଥଳର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ ଘଟଣାର ଯାଞ୍ଚ କରୁଛି। ଦୁର୍ଘଟଣା ଘଟିବା ସ୍ଥାନରେ ଶ୍ରମିକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା କି ନାହିଁ ସେ ଦିଗରେ ତଦନ୍ତ କରୁଛି। ଯେଉଁମାନଙ୍କ  ଅବହେଳା ପାଇଁ ୭ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।