ଗୁଜରାଟ ଝୁଲାପୋଲ ଭାଙ୍ଗିବା ଘଟଣା: ୨୨୦ ଟିକେଟ୍‌ ବିକ୍ରି, ଚଢ଼ିଥିଲେ ୫୦୦ ଲୋକ

ଜଗିଥିଲେ ଜଣେ ମାତ୍ର ସୁରକ୍ଷାକର୍ମୀ, ପୋଲ ବାଡ଼ ଧରି ବର୍ତ୍ତିଗଲେ ଅନେକ ବ୍ୟକ୍ତି

ଅହମଦାବାଦ: ମୋର୍ବି ଜିଲ୍ଲାରେ ମାଚ୍ଛୁ ନଦୀର ଝୁଲା ପୋଲ ଭୁଶୁଡ଼ି ପଡ଼ିବାର କାରଣ ସଂପର୍କରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ଏକ ସୂଚନା ଅନୁଯାୟୀ, ରବିବାର ଛଟ୍‌ ପୂଜା ଅବସରରେ ମାଚ୍ଛୁ ନଦୀରେ ପ୍ରବଳ ଭିଡ଼ ହୋଇଥିଲା। ନଦୀ କୂଳରେ ଭିଡ଼ ବଢ଼ିବାରୁ ଲୋକ ନଦୀ ଉପରେ ଥିବା ୧୪୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଝୁଲାପୋଲ ଉପରେ ଚଢ଼ି ପୂଜା ‌ଦେଖିଥିଲେ। ନିକଟରେ ୭୬୫ ଫୁଟ ଲମ୍ବ ଏହି ପୋଲର ମରାମତି ଏବଂ ନବୀକରଣ କାମ ଶେଷ ହୋଇଥିଲା। ଅକ୍ଟୋବର ୨୬ରେ ସର୍ବସାଧାରଣଙ୍କ ପାଇଁ ଝୁଲା ପୋଲଟି ପୁନର୍ବାର ଖୋଲିଥିଲା। ସାଧାରଣତଃ ସୁରକ୍ଷାକର୍ମୀ ଯେତେବେଳେ ପୋଲ ଉପ‌ରେ ଭିଡ଼ ଦେଖିଥାନ୍ତି ସେତେବେଳେ ଟିକେଟ ବିକ୍ରି ବନ୍ଦ କରି ଦିଆଯାଇଥାଏ। କିନ୍ତୁ ସୁଲେମାନ ନାମକ ଜଣେ ପ୍ରତ୍ୟକ୍ଷ୍ୟଦର୍ଶୀ କହିଛନ୍ତି, ରବିବାର ଦିନ ଏମିତି ହୋଇନଥିଲା। ମିଳିଥିବା ସୂଚନାନୁଯାୟୀ ରବିବାର ଦିନ ଟିକେଟ କାଉଣ୍ଟର୍‌ରୁ ପ୍ରା‌ୟ ୨୨୦ ଟିକେଟ୍‌ ବିକ୍ରି ହୋଇଛି। କିନ୍ତୁ ପୋଲ ପାଖରେ ମାତ୍ର ଜଣେ ସୁରକ୍ଷାକର୍ମୀ ଥିବାରୁ ଅଧିକ ଲୋକ ଟିକେଟ୍‌ ନକିଣି ମଧ୍ୟ ପୋଲ ଉପରେ ଚଢ଼ି ଯାଇଥିଲେ। ସୁରକ୍ଷାକର୍ମୀ ଲୋକଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ ବୋଲି ମୋର୍ବିର ଜଣେ ମ୍ୟୁନିସପାଲ କର୍ମଚାରୀ କହିଛନ୍ତି।

ସନ୍ଧ୍ୟା ପ୍ରାୟ ୬.୧୫ ସମୟରେ ପୋଲ ଉପରେ ଅସମ୍ଭାଳ ଭିଡ଼ ହୋଇଥିଲା। ପୋଲ ଉପରେ ସନ୍ଧ୍ୟା ୬ଟା ପରେ ୪୦୦ରୁ ୫୦୦ ଲୋକ ଥିଲେ। କିଛି ଲୋକ ପୋଲ ଉପରେ ଠିଆ ହୋଇଥିଲେ ଏବଂ କିଛି ଯୁବପିଢ଼ି ପୋଲ ଉପରେ ଡେଇଁଥିଲେ । ଏହାଦ୍ବାରା ପୋଲ୍‌ ଜୋର୍‌ରେ ଝୁଲିଥିଲା ଏବଂ ଶବ୍ଦ ମଧ୍ୟ ହୋଇଥିଲା ବୋଲି ଅଜୟ କୁମାର ନାମକ ଜଣେ ନିର୍ମାଣ କର୍ମୀ କହିଛନ୍ତି। ଅନ୍ୟଜଣେ ସ୍ଥାନୀୟ ଲୋକ କହିଛନ୍ତି, ସନ୍ଧ୍ୟା ପ୍ରାୟ ୬.୪୦ ସମୟରେ ପୋଲର ଏକ ଲୁହା ତାର ମଧ୍ୟଭାଗରୁ ଛିଣ୍ଡି ଯାଇଥିଲା। ଫଳରେ ପୋଲ ଭୁଶୁଡ଼ି ପଡ଼ିଥିଲା। ଏହାପରେ ଲୋକମାନେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ଏହି ପୋଲର ପାର୍ଶ୍ବରେ ଠିଆ ହୋଇଥିବା କିଛି ଲୋକ ରେଲିଂ ଧରି ବଞ୍ଚି ଯାଇଥି‌ଲେ। ସ୍ଥାନୀୟ ଲୋକ କହିଛନ୍ତି, ସବୁଆଡ଼ୁ କେବଳ ଚିତ୍କାର ଶୁଭିଥିଲା। ପୋଲ ଉପରୁ ବିଜୁଳି ବି ଚାଲିଗଲା। ଫଳରେ ସବୁଆଡ଼ ଅନ୍ଧାର ହୋଇଯାଇଥିଲା। ଅନ୍ଧାର ଭିତରେ କେବଳ ଲୋକଙ୍କ କାନ୍ଦ ଏବଂ ସାହାଯ୍ୟ ପାଇଁ ଚିତ୍କାର ଶୁଣିବାକୁ ମିଳିଥିଲା।

୨୪ ବର୍ଷୀୟ ଜଣେ ଯୁବକ ପଙ୍କଜ କୁମାର କହିଛନ୍ତି, ଆମେ ଆମ ଘରେ ବସିଥିଲୁ ଏବଂ ମୋର ଜଣେ ସାଙ୍ଗ ମତେ କହିଲା ଯେ ପୋଲ ଅତି ଭିଡ଼ ଦେଖାଯାଉଛି। ତେବେ ଏହାର ମାତ୍ର କିଛି ସମୟ ପରେ ହଠାତ୍‌ ଲୋକଙ୍କ କାନ୍ଦବୋବାଳି ଶୁଭାଯାଇଥିଲା। ଶତାଧିକ ଲୋକ ପୋଲର ରେଲିଂ ଧରି ଝୁଲି ରହିଥିଲେ ଆଉ ଅନେକ ଲୋକ ନଦୀ ଭିତ‌ରେ ଜୀବନ ସହ ସଂଘର୍ଷ କରିଥିଲେ। ପଙ୍କଜ କହିଛନ୍ତି, ପୋଲରେ ଝୁଲିଥିବା ୩୦-୩୫ ଲୋକଙ୍କୁ ଆମେ ଉଦ୍ଧାର କରିବାରେ ସକ୍ଷମ ହୋଇଛୁ। ପୁଲିସ ଏବଂ ଅନ୍ୟ ଉଦ୍ଧାର କର୍ମୀ ଦୁର୍ଘଟଣା ଘଟିବାର ପ୍ରାୟ ଅଧଘଣ୍ଟା ପରେ ଘଟଣାସ୍ଥଳକୁ ଆସିଥିଲେ। ସମସ୍ତ ଚେଷ୍ଟା ସତ୍ତ୍ବେ ଆମେ ୮ ବର୍ଷରୁ କମ୍‌ ୩ ଟି ପିଲାଙ୍କୁ ବଞ୍ଚାଇ ପାରିଲୁନି ବୋଲି କୁମାର କହିଛନ୍ତି। ଅନ୍ୟପକ୍ଷେ ସୁଲେମାନ କହିଛନ୍ତି, ଦୁର୍ଘଟଣା ଖବର ପ୍ରସାରିତ ହେବାପରେ କିଛି ସ୍ଥାନୀୟ ଧୀବର ସେମାନଙ୍କ ବୋଟ୍‌ ଧରି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଆମ ମଧ୍ୟରୁ କିଛି ଲୋକ ପାଣି ଭିତରେ ପଶି ପାଣିରେ ଭାସୁଥିବା ଲୋକଙ୍କୁ ଉଦ୍ଧାର କରିଥିଲୁ। ନଦୀର ମଧ୍ୟଭାଗରେ ଅଧିକାଂଶ ଲୋକ ଖସି ପଡ଼ିଛନ୍ତି। ନଦୀର ମଧ୍ୟଭାଗରେ ପାଣିର ଗଭୀରତା ୨୦ ମିଟର ଥିଲା। ଏହି ସ୍ଥାନରୁ ଧୀବରମାନେ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରିପାରିନଥିଲେ।

ଗାନ୍ଧୀନଗର ସ୍ଥିତ ରାଜଭବନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର୍ବି ଝୁଲା ପୋଲ ଦୁର୍ଘଟଣାର ଉଦ୍ଧାର ସଂପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରୁଛନ୍ତି। ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ରାଜ୍ୟ ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନି‌ର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ

ସନ୍ଧ୍ୟା ୭.୧୫ରେ ଏସଡିଆରଏଫ୍‌ ଏବଂ ଗୁଜରାଟ ପୁଲିସର ଏକ ଦକ୍ଷ ବୁଡ଼ାଳୀ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ରାଜ୍ୟ ଗୃହ ମନ୍ତ୍ରୀ କହିଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲାଇଟ୍‌ ନଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ୮ଟା ୧୫ରେ ମୋର୍ବି କର୍ତ୍ତୃପକ୍ଷ ଦୁର୍ଘଟଣା ସ୍ଥଳରେ ଆଲୋକ ବ୍ୟବସ୍ଥା କରିବାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୯ଟା ବେଳକୁ ୬୦ ମୃତଦେହ ମୋର୍ବି ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ପ୍ରତି ଘଣ୍ଟାଏରେ ମୃତ୍ୟୁସଂଖ୍ୟା ବଢ଼ୁଥିଲା ବୋଲି ଗୁଜରାଟ ପୁଲିସ ଆଇଜି ଅଶୋକ ଯାଦବ କହିଛନ୍ତି। ଏନ୍‌ଡିଆରଏଫ୍‌, ଭାରତୀୟ ସ୍ଥଳ ସେନା, ନୌ‌ସେନା ଟିମ୍‌ ଭୋର ପ୍ରାୟ ୨ଟା ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମବାର ସକା‌ଳେ ଗୃହ ମନ୍ତ୍ରୀ ‌ଘୋଷଣା କଲେ ଯେ ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଛି ଏବଂ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି। ଓରେଭା ଗ୍ରୁପ୍‌ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଓରେଭା ପକ୍ଷରୁ ଜିନ୍ଦଲ ଗ୍ରୁପ୍‌ ଦ୍ବାରା ଏହି ପୋଲର ନବୀକରଣ କାର୍ଯ୍ୟ କରାଯାଇଥିଲା। ଓରେଭା ଗ୍ରୁପ୍‌ ଏମ୍‌ଡି ଜୟସୁଖ ପଟେଲଙ୍କ ଦ୍ବାରା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ଝୁଲା ପୋଲ ଖୋଲା ଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଟାର୍ଗେଟ୍
ନୂଆଦିଲ୍ଲୀ: ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି, ଏହା ଏକ ଦୈବୀ ଦୁର୍ଘଟଣା (ଆକ୍ଟ ଅଫ୍ ଗଡ୍‌) ନୁହେଁ ବରଂ ବିଜେପି ସରକାରର ଦୁର୍ନୀତି (ଆକ୍ଟ ଅଫ୍ ଫ୍ରଡ୍)ର ଫଳ। ସେ କହିଛନ୍ତି, ପୂର୍ବରୁ ୨୦୧୬ରେ ପଶ୍ଚିମବଙ୍ଗର କୋଲକାତାରେ ଏକ ପୋଲ ଭୁଶୁଡ଼ିବା ଘଟଣାରେ ମୋଦୀଜୀ କହିଥିଲେ, ଏହା ‘ଆକ୍ଟ ଅଫ୍ ଗଡ୍’ ନୁହେଁ, ‘ଆକ୍ଟ ଅଫ୍ ଫ୍ରଡ୍‌’ର ଫଳ। ବର୍ତ୍ତମାନ ତାଙ୍କର ସେହି କଥା ମୋର୍ବି ଘଟଣା ପାଇଁ ପ୍ରଯୁଜ୍ୟ। ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ଓ ଆପ୍ ନେତା ସୌରଭ ଭରଦ୍ବାଜ ମଧ୍ୟ ଦିଗ୍‌ବିଜୟ ସିଂହଙ୍କ ସେହି କଥାକୁ ଦୋହରାଇଛନ୍ତି। ୨୦୧୬ରେ କୋଲକାତାର ବିବେକାନନ୍ଦ ଫ୍ଲାଇଓଭର ଭୁଶୁଡ଼ିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମମତା ସରକାରକୁ ଟାର୍ଗେଟ୍ କରିଥିଲେ।

ଏଭଳି ଦୁଃଖ କେବେ ଅନୁଭବ କରିନଥିଲି: ମୋଦୀ
ନୂଆଦିଲ୍ଲୀ: ସୋମବାର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡ଼ିୟାଠାରେ ଏକତା ନଗରରେ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍ଦ୍ଦାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମୋର୍ବି ପୋଲ ଦୁର୍ଘଟଣାରେ ପ୍ରାୟ ଦେଢ଼ଶହ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ମୋର୍ବି ପୋଲ ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ଏଭଳି ଦୁର୍ଦ୍ଦିନରେ ପ୍ରତ୍ୟେକ ପୀଡ଼ିତ ପରିବାରକୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା ନିମନ୍ତେ ସରକାର ପ୍ରସ୍ତୁତ ଅଛନ୍ତି। ଗୁଜରାଟ ସରକାର ସହାୟତା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଏବଂ କେନ୍ଦ୍ର ସରକାର ବି ସହଯୋଗ କରୁଛନ୍ତି। ରାଜ୍ୟ ସରକାର ଦୁର୍ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ବସାଇଛନ୍ତି ବୋଲି ମୋଦୀ କହିଛନ୍ତି। ମୋଦୀ କହିଥିଲେ, ମୁଁ ଏବେ ଏକତା ନଗରରେ ଅଛି, କିନ୍ତୁ ମୋର ମନ ମୋର୍ବି ଦୁର୍ଗତଙ୍କ ପାଖରେ ଅଛି। ଜୀବନରେ ଏଭଳି ଦୁଃଖ ଆଗରୁ କେବେ ମୁଁ ଅନୁଭବ କରି ନ ଥିଲି ବୋଲି ସେ କହିଥିଲେ।

ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ବାରା ତଦନ୍ତ ଦାବିକଲା କଂଗ୍ରେସ
ନୂଆଦିଲ୍ଲୀ: ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ କଂଗ୍ରେସ ନ୍ୟାୟିକ ତଦନ୍ତ ଦାବି କରିଛି। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ପାଇଁ କଂଗ୍ରେସ କହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦୁର୍ଘଟଣାରେ ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଖଡ଼ଗେ କହିଛନ୍ତି, ଏଭଳି ଦୁଃଖ ସହ ମୁକାବିଲା କରିବାପାଇଁ ଭଗବାନ ମୃତକଙ୍କ ପରିବାର ସଦସ୍ୟ ଏବଂ ଆତ୍ମୀୟ ସ୍ବଜନଙ୍କୁ ଶକ୍ତି ଦିଅନ୍ତୁ। ସାମ୍ବାଦିକଙ୍କୁ ସୂଚନା ଦେଇ ଖଡ଼ଗେ କହିଛନ୍ତି, ‌ଏତେ ଲୋକଙ୍କୁ କାହିଁକି ଅନୁମତି ଦିଆଯାଉଥିଲା। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ହେବା ଉଚିତ। ମୃତକଙ୍କ ପରିବାର ସଦସ୍ୟ ଏବଂ ପ୍ରଭାବିତଙ୍କୁ ସରକାର ସମସ୍ତ ସହାୟତା ପ୍ରଦାନ କରିବାପାଇଁ ସେ କହିଛନ୍ତି। ଖଡ଼ଗେ କହିଛନ୍ତି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସ ନେତାମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆମ ପକ୍ଷରୁ ଆମେ ଯଥା ସମ୍ଭବ ସହଯୋଗ ପାଇଁ ଚେଷ୍ଟା ଚଳାଇଛୁ। ବର୍ତ୍ତମାନ ସମୟରେ ଆମେ କୌଣସି ରାଜନୀତିରେ ପଶିବାକୁ ଚାହୁନୁ କି କାହାକୁ ଦାୟୀ କରିବାକୁ ଚାହୁନୁ। ତଦନ୍ତ ରିପୋର୍ଟ ଆସିବାପରେ ଉକ୍ତ ଘଟଣା ପାଇଁ କିଏ ଦାୟୀ ତାହା ଜଣାପଡ଼ିବ।

ବିଶ୍ବ ନେତାଙ୍କ ଦୁଃଖ
ନୂଆଦିଲ୍ଲୀ: ମୋର୍ବି ଝୁଲାପୋଲ ଭୁଶୁଡ଼ି ପ୍ରାୟ ଦେଢ଼ଶହ ଲୋକଙ୍କ ମୃତ୍ୟୁ ଘଟଣାରେ ବିଶ୍ବର ବିଭିନ୍ନ ଦେଶର ନେତା, ବିଦେଶ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସମବେଦନା ଜ୍ଞାପନ କରିଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପୋଲାଣ୍ଡ ବିଦେଶ ମନ୍ତ୍ରୀ କହିଛନ୍ତି, ଭାରତ-ପୋଲାଣ୍ଡ ସମ୍ପର୍କରେ ମୋର୍ବିର ବିଶେଷ ଭୂମିକା ରହିଛି। ଦୁଃଖଦ ଘଟଣା ପାଇଁ ସେ ମର୍ମାହତ। ସାଉଦି ଆରବର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା ଓ ଆହତଙ୍କ ଆରୋଗ୍ୟ କାମନା କରାଯାଇଛି। ଭାରତସ୍ଥ ଆମେରିକା ମିସନ ମୋର୍ବି ପୋଲ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି। ଭାରତରେ ଅବସ୍ଥାପିତ ସିଙ୍ଗାପୁର ଉଚ୍ଚାୟୁକ୍ତ ସାଇମନ ୱଙ୍ଗ କହିଛନ୍ତି, ମୃତ ଓ ଆହତଙ୍କ ପରିବାରଗୁଡ଼ିକ ପ୍ରତି ସିଙ୍ଗାପୁର ପକ୍ଷରୁ ସେ ଗଭୀର ସମବେଦନା ଜଣାଉଛନ୍ତି।

ସମ୍ବନ୍ଧିତ ଖବର