ଗୁଜୁରାଟ ପୁଲିସ ଆମ ବିଧାୟକମାନଙ୍କୁ ବନ୍ଧକ ରଖିଛି : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ରରେ ଶାସନ କରୁଥିବା ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ଘନେଇ ଆସୁଛି । ବିଦ୍ରୋହୀ ଏକନାଥ ସିନ୍ଧେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହେବାରେ ଲାଗିଛି । ବିଜେପି ପକ୍ଷରୁ ବିଧାୟକମାନଙ୍କୁ ବଳପୂର୍ବକ ଅପହରଣ କରାଯାଇଛି ଓ ଗୁଜୁରାଟ ପୁଲିସ ସେମାନଙ୍କୁ ବନ୍ଧକ ରଖିଛି ବୋଲି ଶିବସେନା ପକ୍ଷରୁ ଅଭିଯୋଗ କରାଯାଇଛି ।

ଗୁଜୁରାଟରେ ସୁରତରେ ଥିବା ସିନ୍ଧେ ଓ ଅନ୍ୟ ବିଧାୟକମାନଙ୍କୁ ମନାଇବାକୁ ଶିବସେନା ପକ୍ଷରୁ ପଠାଯାଇଥିବା ଦୁଇ ବିଶ୍ବସ୍ତ ନେତା ମିଲିନ୍ଦ ନରବେକର ଓ ରବୀନ୍ଦ୍ର ଫାଟକଙ୍କୁ ଭେଟିବାକୁ ମନା କରିଦେଇଛନ୍ତି ବିଦ୍ରୋହୀ । ସୁରତରେ ବିଦ୍ରୋହୀ ବିଧାୟକମାନେ ରହୁଥିବା ହୋଟେଲକୁ ପ୍ରବେଶ କରିବାକୁ ଉଭୟ ନେତାଙ୍କୁ ଗୁଜୁରାଟ ପୁଲିସ ଅନୁମତି ଦେଇନାହିଁ ।

ଅନ୍ୟପକ୍ଷରେ ବିଦ୍ରୋହୀ ମନ୍ତ୍ରୀ ଏକନାଥ ସିନ୍ଧେ ଓ ଅନ୍ୟ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିବସେନା ନେତା ସଂଜୟ ରାଉତ କହିଛନ୍ତି । ସେ କହିଛନ୍ତି ଯେ ବିଜେପି ପକ୍ଷରୁ ବଳପୂର୍ବକ ସେମାନଙ୍କୁ ଗୁଜୁରାଟ ନିଆଯାଇଛି ଓ ଗୁଜୁରାଟ ପୁଲିସ ସେମାନଙ୍କୁ ବନ୍ଧକ ରଖିଛି । ମହାରାଷ୍ଟ୍ର ପୁଲିସକୁ ଯଦି ସୁଯୋଗ ମିଳେ ତେବେ ସେମାନଙ୍କୁ ଫେରାଇ ଅଣାଯିବ ।

ମହା ବିକାଶ ଅଗାଢି (ଏମଭିଏ) ସରକାର ଏକତ୍ରିତ ଅଛି । ସିନ୍ଧେଙ୍କ ସହିତ ୨୭ ବିଧାୟକ ନୁହେଁ, କେବଳ ୧୭-୧୮ ବିଧାୟକ ଅଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର