୨ ପର୍ଯ୍ୟାୟରେ ଗୁଜରାଟର ୯୩ଟି ଆସନ ପାଇଁ ମତଦାନ ଆରମ୍ଭ: ଭୋଟ୍‌ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଅହମଦାବାଦ: ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଗୁଜରାଟ ବିଧାନସଭା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ଉତ୍ତର ଓ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ୧୪ଟି ଜିଲ୍ଲାରେ ଥିବା ୯୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ମତଦାନ ଆରମ୍ଭ ହୋଇଛି।

ଆଜିର ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଭୋଟ୍‌ ଦେବାକୁ ଆସିଥିବାରୁ ଅହମଦାବାଦ ପୋଲିଙ୍ଗ୍‌ ବୁଥ୍‌ରେ ବିଶେ‌ଷ ପ୍ରସ୍ତୁତି କରାଯାଇଛି। ଅହମଦାବା ଅନ୍ତର୍ଗତ ରାନିପସ୍ଥିତ ନିଶାନ ପବ୍ଲିକ୍‌ ସ୍କୁଲ୍‌ରେ କରାଯାଇଥିବା ବୁଥ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ୍‌ ଦେବେ।

ଭୋଟ୍‌ ଦେବାକୁ ଯିବା ପୂର୍ବରୁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଗୁଜରାଟ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଯେଉଁମାନେ ଭୋଟ୍‌ ଦେବେ, ବିଶେଷକରି ଯୁବ ‌ଓ ମହିଳା ଭୋଟର୍‌ମାନଙ୍କୁ ଅନୁରୋଧ ସେମାନେ ବହୁସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ। ସକାଳ ପ୍ରାୟ ୯ଟା ବେଳେ ମୁଁ ଅହମଦାବାଦରେ ଭୋଟ୍‌ ଦେବି।

Image Courtesy of ANI

ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବା ଭଳି ସରକାରକୁ ଭୋଟ୍‌ ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୁବ ଭୋଟର୍‌ମାନଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ଆଜି ଗୁଜରାଟରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟର ସମସ୍ତ ଭୋଟ୍‌ଦାତାଙ୍କୁ, ବିଶେଷକରି, ଯୁବବର୍ଗଙ୍କୁ ନିବେଦନ କରୁଛି କି, ଗୁଜରାଟରେ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବାକୁ ସମର୍ଥ ସରକାରକୁ ବିପୁଳ ସଂଖ୍ୟାରେ ଅଧିକର ଅଧିକ ଭୋଟ୍‌ ଦେଇ ଜୟଯୁକ୍ତ କରନ୍ତୁ। ଆପଣମାନଙ୍କର ଖଣ୍ଡିଏ ଭୋଟ୍‌ରେ ଗୁଜରାଟର ସମୃଦ୍ଧ ଭବିଷ୍ୟତ ନିହିତ ଅଛି।

‘ଆପ୍‌’ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଭୋଟର୍‌ମାନଙ୍କୁ ଅନୁରୋଧ କରି ଟୁଇଟର୍‌ରେ ଲେଖିଛନ୍ତି: ଦ୍ବିତୀୟ ପର୍ଯ୍ୟାୟରେ ଆଜି ଗୁଜରାଟର ୯୩ଟି ଆସନରେ ମତଦାନ ଚାଲିଛି। ସମସ୍ତ ଭୋଟ୍‌ଦାତାଙ୍କୁ ଅନୁରୋଧ, ଏ ନିର୍ବାଚନ ଗୁଜରାଟର ନୂଆ ଆଶା-ଆକାଙ୍‌କ୍ଷାର ଭୋଟ୍‌। ଅନେକ ଦଶନ୍ଧି ପରେ ବଡ଼ ସୁଯୋଗ ଜୁଟିଛି। ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଗୁଜରାଟର ଉନ୍ନତିର ଭୋଟ୍‌ ନିଶ୍ଚୟ ଦେଇ ଆସନ୍ତୁ। ଏଥର କିଛି ଭିନ୍ନ ଓ ବିଚିତ୍ର କରି ଆସନ୍ତୁ।

ସେହିପରି, ଗୁଜରାଟର ବୀରମ୍‌ଗାମ୍‌ରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ବିଜୟ ସୁନିଶ୍ଚିତ ବୋଲି ତାଙ୍କ ପତ୍ନୀ କିଞ୍ଜାନ୍‌ବେନ୍‌ ପଟେଲ୍‌ କହିଛନ୍ତି। ସେ କହିଛନ୍ତି ଯେ, ପ୍ରତିଦ୍ବନ୍ଦ୍ବୀତା ଏତେ ତୀବ୍ରତର ହେଉ ନ ଥିବାରୁ ସେ (ହାର୍ଦ୍ଦିକ) ନିଶ୍ଚୟ ବିଜୟ ଲାଭ କରିବେ। ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବା ପାଇଁ ନିଜେ ହାର୍ଦ୍ଦିକ ମଧ୍ୟ ଭୋଟର୍‌ମାନଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର