ଗୁଜୁରାଟ ନିର୍ବାଚନ: ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୯୩ ଆସନ ପାଇଁ ଭୋଟ୍‌ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦିନ ଗୁଜୁରାଟ ବିଧାନସଭା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଏହି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ୯୩ ବିଧାନସଭା ଆସନ ନିମନ୍ତେ ଅନୁଷ୍ଠିତ ହେଉଛି। ଉତ୍ତର ଏବଂ କେନ୍ଦ୍ରୀୟ ଗୁଜୁରାଟର ୧୪ ଗୋଟି ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ। ଦ୍ୱୀତିୟ ପର୍ଯ୍ୟାୟ ଭୋଟ୍‌ରେ ସମୁଦାୟ ୮୫୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିରେ ୨. ୨୨ କୋଟି ଲୋକ ଭୋଟ ଦେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି।

ହାର୍ଦ୍ଦିକ ପଲେଟ୍‌ଙ୍କ ଜନ୍ମିତ ସହରରେ ଭୋଟ୍‌ ଗ୍ରହଣ ଆରମ୍ଭ ହେବା ମାତ୍ରେ ତାଙ୍କ ପିତାମାତା ଭାରତ ପଟେଲ ଏବଂ ଉଷା ପଟେଲ ପ୍ରାର୍ଥନା କରିଥିଲେ। ସେମାନେ ବୀରଗ୍ରାମ ଠାରେ ନିଜର ମତଦାନ କରିଥିଲେ। କ୍ଷମତାକୁ ଆସିଲେ ପଟିଦାରମାନଙ୍କୁ ସଂରକ୍ଷଣ ସୁବିଧା ଦେବ ବୋଲି ପ୍ରତିଶ୍ରୁତି ଦେବାରୁ ପଟେଲ୍‌ କଂଗ୍ରେସକୁ ଖୋଲାଖୋଲି ସମର୍ଥନ କରିଥିଲେ।


Courtesy: ANI

ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ପୋଲ୍‌ ପାନେଲ୍‌ ଶହ ଶହ କମ୍ପାନି ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୁଲିସ ଫୋର୍ସ୍‌, ୧୨ କମ୍ପାନି ରାପିଡ୍‌ ଆକ୍ସନ୍‌ ଫୋର୍ସ୍‌ ଏବଂ ୧୯ କମ୍ପାନି ଷ୍ଟେଟ୍‌ ରିଜର୍ଭ ପୋଲିସ୍‌ ଫୋର୍ସ ମୁତୟନ କରିଛି।

ଗାନ୍ଧୀନଗର ଠାରେ ଭୋଟ୍‌ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ୍‌ ନିଜର ସାନଭାଇର ପୁଅ ପଙ୍କଜ ମୋଦି ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଭୋଟ୍‌ ଦେବାକୁ ଆସିବେ ବୋଲି ଆଶା କରାଯାଉଛି।


Courtesy: ANI

ଭୋଟ୍‌ ଦେଇ ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ ୯୦ ବର୍ଷୀୟ ମାଆ ବୁଥ୍‌ ବାହାରେ ନିଜର କାଳିଲଗା ଆଙ୍ଗୁଠି ସାମ୍ବାଦିକମାନଙ୍କୁ ଦେଖାଇ ଥିଲେ। ‘ଠାକୁରେ ଗୁଜୁରାଟର ମଙ୍ଗଳ କରନ୍ତୁ’ ବୋଲି ବୁଥ୍‌ ବାହାରି ଆସିବାବେଳେ ସେ ଉଚ୍ଚାରଣ କରିଥିଲେ।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲ ମଧ୍ୟ ଅହମଦାବାଦର ଘାଟଲୋଡ଼ିଆରେ ଭୋଟ୍‌ ଦେଇଥିଲେ।


Courtesy: ANI

ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଦେବାକୁ ଗୁଜୁରାଟର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ନିବେଦନ କରିଛନ୍ତି।


Courtesy ANI


Image Courtesy of ANI

ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ନରଣପୁର ଠାରେ ନିଜର ଭୋଟ୍‌ ଦେଇଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅହମଦାବାଦର ବେଜାଲପୁର ଠାରେ ଭୋଟ୍‌ ଦେଇଛନ୍ତି। ‘ବିକାଶ ଯାତ୍ରା’ ଚାଲୁ ରଖିବା ପାଇଁ ଲୋକେ ବିପୁଳ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ ବୋଲି ବୁଥ୍‌ରୁ ବାହାରି ଗୁଜୁରାଟ ଲୋକଙ୍କୁ ନିବେଦନ କରିଥିଲେ ଜେଟ୍‌ଲୀ। ଗୁଜୁରାଟର ମୁଖ୍ୟ ନିର୍ବାଚନ ଅଧିକାରୀ ବି ସ୍ୱାଇଁ ମଧ୍ୟ ନିଜର ମତଦାନ କରିଛନ୍ତି।

ଛୋଟା ଉଦୟପୁର ଅନ୍ତର୍ଗତ ସାଙ୍ଖେଡ଼ାର ସୋଢ଼ାଲିୟା ଗାଁ’ରେ ଗୋଟିଏ ଇଭିଏମ୍‌ କାମ ନ କରିବାରୁ ୫୦ ମିନିଟ୍‌ ପାଇଁ ଭୋଟ ଦାନରେ ବିଳମ୍ବ ହୋଇଥିଲା। କିନ୍ତୁ, ତୁରନ୍ତ ତାହାକୁ କାର୍ଯ୍ୟକ୍ଷମ କରାଯାଇ ପୁଣି ଭୋଟ ଆରମ୍ଭ କରାଯାଇଥିଲା ବୋଲି ସେଠାକାର ପୁଲିଙ୍ଗ୍‌ ଅଧିକାରୀ ଗୌରାଙ୍ଗ ରାଣା କହିଛନ୍ତି।

ନିର୍ବାଚନ ପ୍ରକ୍ରିୟାରେ ୪୦ ହଜାରରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପ୍ରଥମ ଥର ପାଇଁ ଅହମଦାବାଦ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀର ୨୧ଟି ବୁଥ୍‌କୁ କେବଳ ମହିଳାମାନେ ପରିଚାଳନା କରୁଛନ୍ତି।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଅପରାହ୍ଣ ୫ଟା ଯାଏଁ ଚାଲିବ। ଡିସେମ୍ବର ୧୮ ତାରିଖରେ ଗୁଜୁରାଟ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହେବ।

ସମ୍ବନ୍ଧିତ ଖବର