ଗୁଜରାଟ ଦଙ୍ଗା: ତିସ୍ତା ଶୀତଲୱାଡଙ୍କୁ ଗିରଫ କଲା ଏଟିଏସ୍‌

ଜଣେ ପୂର୍ବ ପୁଲିସ ଡିଜି ବି ଗିରଫ

ଅହମଦାବାଦ : ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏସ୍‌ଆଇଟି ପକ୍ଷରୁ ଦିଆଯାଇଥିବା କ୍ଲିନଚିଟକୁ ସୁପ୍ରିମ କୋର୍ଟ କାଏମ ରଖିବାର ଗୋଟିଏ ଦିନ ପରେ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ଶୀତଲୱାଡ ଏବଂ ଗୁଜରାଟର ଅବସରପ୍ରାପ୍ତ ପୁଲିସ ଡିଜି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସର ଆତଙ୍କବାଦ ବିରୋଧୀ ସ୍କ୍ବାଡ୍ (ଏଟିଏସ୍) ସେମାନଙ୍କୁ ଶନିବାର ଦିନ ଗିରଫ କରିଛି। ସେମାନଙ୍କ ବିରୋଧରେ ଫୌଜଦାରୀ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଆଇପିସିର ଅନ୍ୟାନ୍ୟ ଦଫା ଲଗାଇଛି ପୁଲିସ। ମାମଲାକୁ ଜୀବିତ ରଖିବା ଲାଗି ଏଭଳି ପିଟିସନ ଦାଖଲ କରାଯାଉଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଏଭଳି ପିଟିସନ ଦାଖଲ କରିବାରେ ସେମାନଙ୍କର ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ପିଟିସନ ମାମଲାରେ ଅନ୍ୟତମ ବହିଷ୍କୃତ ଆଇପିଏସ୍ ଅଧିକାରୀ ସଂଜୀବ ଭଟ୍ଟ ମଧ୍ୟ ସାମିଲ ଅଛନ୍ତି।

ତିସ୍ତାଙ୍କ ସମେତ ଆଉ ଦୁଇ ଜଣ ପୂର୍ବ ଆଇପିଏସ୍‌ ଅଫିସର ସଂଜୀବ ଭଟ୍ଟ ଏବଂ ଆର୍‌ଭି ଶ୍ରୀକୁମାରଙ୍କ ବିରୋଧରେ ଶନିବାର ଦିନ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଅହମଦାବାଦ ସହର ପୁଲିସ ଅପରାଧ ଶାଖା ଇନ୍‌ସପେକ୍ଟର ଦର୍ଶନାସିଂହ ବି ବରାଡଙ୍କ ଅଭିଯୋଗ ଆଧାରରେ ଏହି ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗୁଜରାଟ ଏଟିଏଏସ୍‌ର ଏକ ଟିମ ଶନିବାର ଦିନ ମୁମ୍ବାଇର ଜୁହୁ ପହଞ୍ଚି ତିସ୍ତା ଶୀତଲୱାଡଙ୍କୁ ତାଙ୍କ ଘରୁ ଗିରଫ କରିଛି। ଅହମଦାବାଦ କ୍ରାଇମ ବ୍ରାଞ୍ଚ ପୂର୍ବ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟର ଅବସରପ୍ରାପ୍ତ ଡିଜି ଶ୍ରୀକୁମାରଙ୍କୁ ମଧ୍ୟ ଗିରଫ କରିଛି । ଏହି ତିନି ଅଭିଯୁକ୍ତ ଜାକିଆ ଜାଫ୍‌ରିଙ୍କ ମାଧ୍ୟମରେ କୋର୍ଟରେ ବିଭିନ୍ନ ଆବେଦନ ଦାଖଲ କରି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖିବା ସହ ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ମିଥ୍ୟା ସୂଚନା ଦେଇଥିବା ଏଟିଏସ୍‌ କହିଛି। ଶନିବାର ଅପରାହ୍ନରେ ତିସ୍ତାଙ୍କୁ ଗିରଫ ସମୟରେ ତାଙ୍କର କେତେକ କର୍ମଚାରୀ ସେଠାରେ ପହଞ୍ଚି ବିରୋଧ କରିଥିଲେ ଏବଂ ଏଟିଏସ୍‌ ଟିମ୍‌ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲେ।

ସୂଚନାଯୋଗ୍ୟ ଯେ ଗତକାଲି ସୁପ୍ରିମ୍‌ କୋର୍ଟ ଗୁଜରାଟ ଦଙ୍ଗା ଉପରେ ଏସ୍‌ଆଇଟିର ରିପୋର୍ଟ ବିରୋଧରେ ଦାଖଲ ପିଟିସନ ଖାରଜ କରିଥିଲେ। ଏହି ଆବେଦନ ନିହତ ସାଂଦଙ୍କ ପତ୍ନୀ ଜାକିଆ ଜାଫ୍‌ରିଙ୍କ ଦ୍ବାରା କରାଯାଇଥିଲା। ସୁପ୍ରିମ୍‌ କୋର୍ଟ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ ତିସ୍ତା ଶୀତଲୱାଡଙ୍କ ସଂପର୍କରେ ଅଧିକ ଖୋଳତାଡ଼ ହେବା ଜରୁରୀ। ଜାଫ୍‌ରିଙ୍କୁ ବ୍ୟବହାର କରି ତିସ୍ତା ନିଜ ସ୍ବାର୍ଥ ହାସଲ ପାଇଁ ଷଡ଼ଯନ୍ତ୍ର କରୁଥିବା ଖଣ୍ଡପୀଠ ଅନୁଭବ କରୁଥିବା କହିଥିଲେ। ଏଭଳି ବ୍ୟକ୍ତିଙ୍କ କାର୍ଯ୍ୟ ସାମ୍ନାକୁ ଆସିବା ଉଚିତ ବୋଲି କୋର୍ଟ କହିଥିବା ବେଳେ ଶନିବାର ଦିନ ଏଟିଏସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଶନିବାର ସକାଳେ ଅମିତ ଶାହ ଏଏନ୍‌ଆଇକୁ ଏକ ସାକ୍ଷାତକାରରେ କହିଥିଲେ ଯେ ତିସ୍ତାଙ୍କ ନାମ ସୁପ୍ରିମ୍‌ କୋର୍ଟ ରାୟରେ ଉଲ୍ଲେଖ ଅଛି। ଗୁଜରାଟ ଦଙ୍ଗା ନେଇ ପୁଲିସକୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ ବୋଲି ଶାହ କହିଥିଲେ।

ସମ୍ବନ୍ଧିତ ଖବର