ଅହମଦାବାଦ: ଗୁଜରାଟରେ କରୋନାଭାଇରସ୍ ସଂକ୍ରମଣଜନିତ ଅଧିକ ମୃତ୍ୟୁହାର ପ୍ରଥମରୁ ହିଁ ବିଶେଷଜ୍ଞମାନଙ୍କୁ ବିସ୍ମିତ କରିଥିଲା। ସେତେବେଳେ ମଧ୍ୟ ସେମାନେ କହିଥିଲେ ଯେ, ଦେଶରେ ଅନ୍ୟ ଭା‌ଗରେ ଲୋକଙ୍କୁ ସଂକ୍ରମିତ କରୁଥିବା ଭୂତାଣୁ ଠାରୁ ଗୁଜରାଟରେ ସଂକ୍ରମଣ କରୁଥିବା ଭୂତାଣୁର ଗୁଣସୂତ୍ରରେ ସମ୍ଭବତଃ କିଛି ଫରକ ରହିଛି। ସମ୍ପ୍ରତି ସରକାରୀ ଅନୁଦାନ ପ୍ରାପ୍ତ ‘ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ ସେଣ୍ଟର୍’ ଦ୍ବାରା ହୋଇଥିବା ଅଧ୍ୟୟନରୁ ଏହା ସତ୍ୟ ବୋଲି ଜଣାପଡ଼ିଛି। ଗୁଜରାଟରେ ବ୍ୟାପୁଥିବା କୋଭିଡ୍-୧୯ ଭୂତାଣୁର ଗୁଣସୂତ୍ର ପ୍ରୋଫାଇଲ୍ ଭାରତର ଅନ୍ୟତ୍ର ଏବଂ ବିଶ୍ବରେ ବ୍ୟାପୁଥିବା କୋଭିଡ୍-୧୯ ଭୂତାଣୁ ଠାରୁ ଭିନ୍ନ।

Advertisment

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଗୁଜରାଟରୁ ଫେରିଥିବା ବହୁସଂଖ୍ୟକ ସଂକ୍ରମିତଙ୍କର ମୃତ୍ୟୁ ଘଟୁଛି। ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ସଂକ୍ରମଣ ଯୋଗୁଁ ଏହା ଘଟୁଥିବା କାରଣକୁ ଏଡ଼ାଇ ଦିଆଯାଇ ନ ପାରେ।

publive-image Image Courtesy of The Times of India

ଗୁଜରାଟରୁ ମିଳିଥିବା ଛଅଟି ଗୋଷ୍ଠୀର କରୋନାଭାଇରସ୍ ମଧ୍ୟରୁ ନମୁନାରୁ ୫୧. ୮% ‘ଜିଏଚ୍’ ଗୋଷ୍ଠୀର ଭୂତାଣୁ ଉପସ୍ଥିତ ଥିବାବେଳେ ୩୮.୫% ‘ଜି’ ଭୂତାଣୁ ଉପସ୍ଥିତ ଅଛି। ଭାରତୀୟ ଗବେଷଣାରୁ ଜଣାପଡ଼ିଛି ଯେ, ଆଧିପତ୍ୟ ବିସ୍ତାର କ୍ଷେତ୍ରରେ ସର୍ବାଗ୍ରେ ରହୁଛି ‘ଓ’ ଗୋଷ୍ଠୀ, ତା’ପଛକୁ ‘ଜିଆର୍’, ‘ଜିଏଚ୍’ ଓ ‘ଜି’ ଗୋଷ୍ଠୀର ଭୂତାଣୁ। ସମଗ୍ର ବିଶ୍ବରେ ସଂଗୃହୀତ ନମୁନାଗୁଡ଼ିକରେ ୩୧.୧% ‘ଜିଆର୍’ ଗୋଷ୍ଠୀର ଭୂତାଣୁ ରହୁଥିବା ଜଣାପଡୁଛି। ତା’ ପଛକୁ ରହିଛି ‘ଜି’ (୨୪.୮%) ଏବଂ ‘ଜିଏଚ୍’ (୨୨.୬%)।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦୁଇ ପ୍ରକାର ନିର୍ଦ୍ଦିଷ୍ଟ ଗୁଣସୂତ୍ର ପରିବର୍ତ୍ତିତ (ଏ୨୩୪୦୩ଜି ଏବଂ ସି୧୪୪୦୮ଟି) ଭୂତାଣୁ ରାଜ୍ୟରେ ହୋଇଥିବା ୯୫% ମୃତ୍ୟୁ ନିମନ୍ତେ ଦାୟୀ। ଜୁନ୍ ମାସର ପ୍ରଥମ ସପ୍ତାହରେ ଗୁଜରାଟର ମୃତ୍ୟୁହାର ୬. ୨% ଥିବା ବେଳେ ଭାରତରେ ମୃତ୍ୟୁହାର ୨. ୮% ଥିଲା। ଜୁଲାଇ ୨୦ରେ ମୃତ୍ୟୁହାର ୪.୪%କୁ ହ୍ରାସ ପାଇଥିଲେ ବି ଜାତୀୟ ମୃତ୍ୟୁହାର ୨. ୪% ଠାରୁ ଅଧିକ ରହିଛି।